ପଞ୍ଜାବରେ ଦୁଇ ସପ୍ତାହ ବଢିଲା ଲକ୍ଡାଉନ୍
29/04/2020 at 4:20 PM

ଚଣ୍ଡିଗଡ ୨୯।୦୪: କରୋନା ଭାଇରସ୍ର ବଢୁଥିବା ସଂକ୍ରମଣ ମଧ୍ୟରେ ପଞ୍ଜାବ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ରାଜ୍ୟରେ ଦୁଇ ସପ୍ତାହ ପାଇଁ ଲକ୍ଡାଉନ୍ ବା କର୍ଫ୍ୟୁ ବଢାଇଛନ୍ତି। ଏହାର ଅର୍ଥ ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଶେଷ ହେବା ପରେ ମଧ୍ୟ କର୍ଫ୍ୟୁ ଜାରି ରହିବ। ଖୋଦ୍ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅମରିନ୍ଦର କହିଛନ୍ତି, ପଞ୍ଜାବରେ କର୍ଫ୍ୟୁ ଦୁଇ ସପ୍ତାହ ଲାଗୁ କରାଯାଉଛି।
କିନ୍ତୁ କର୍ଫ୍ୟୁରେ ପ୍ରତି ଦିନ ୪ ଘଣ୍ଟା ରିହାତି ଦିଆଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ପଞ୍ଜାବରେ ପ୍ରତିଦିନ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଚାରି ଘଣ୍ଟା ପାଇଁ କର୍ଫ୍ୟୁରେ ରିହାତି ଦିଆଯିବ। ଏହି ସମୟରେ ଲୋକେ ଘରୁ ବାହାରି ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ। ଏହି ସମୟରେ ଦୋକାନ ଖୋଲା ରହିବ। ଏହା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ସଂପ୍ରତି କରୋନାରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତ୍ଵ ହିଁ ଏକ ମାତ୍ର ଉପାୟ।
ଉଲ୍ଲେଖଯୋଗ୍ୟ, ପଞ୍ଜାବ ସରକାର ଏହା ପୂର୍ବରୁ ରାଜ୍ୟରେ ଏପ୍ରିଲ ୩୦ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୩ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରିଥିଲେ। ଏମିତିରେ ପୁଣି ଥରେ ପଞ୍ଜାବ ସରକାର ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟରେ ମେ ୧୪ ପର୍ଯ୍ୟନ୍ତ କର୍ଫ୍ୟୁ୍ ବା ଲକ୍ଡାଉନ୍ ଜାରି ରହିବ।
ପଞ୍ଜାବରେ ମଙ୍ଗଳବାର କରୋନା ଭାଇରସ୍ର ୧୨ ନୂତନ କରୋନା ପଜିଟିଭ୍ ଚିହ୍ନଟ ହେବା ସହିତ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ବଢି ୩୪୨ରେ ପହଞ୍ଚିଛି। ରାଜ୍ୟରେ ଜଳନ୍ଧରରେ ସର୍ବାଧିକ ୮୫, ମୋହାଲିରେ ୬୫, ପଟିଆଲାରେ ୬୧, ପଠାନକୋଟରେ ୨୫, ଏସବିଏସ ନଗରରେ ୨୦, ଲୁଧିଆନାରେ ୧୮, ଅମୃତସରରେ ୧୪, ମନସାରେ ୧୩, ହୋସିଆପୁରରେ ଆଠ, ତରଣ ସାରଣରେ ସାତ, କପୁରଥଲାରେ ଛଅ, ମୋଗାରେ ଚାରି, ରୂପନଗର, ସଙ୍ଗରୁର ଓ ଫରିଦକୋଟରେ ତିନି-ତିନି, ଫତେହଗଡ, ସାହିବ ଓ ବରନାଲାରେ ଦୁଇ-ଦଇ, ମୁଫତସର, ଗୁରଦାସପୁର ଓ ଫିରୋଜପୁରରେ ଗୋଟିଏ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।