ଅମୃତସରରେ ଟ୍ରେନ୍ ଧକ୍କାରେ ୬୧ଜଣଙ୍କ ମୃତ୍ୟୁ ଘଟଣା : ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ

Published By : Prameya-News7 Bureau | October 20, 2018 IST

ଅମୃତସର ୨୦|୧୦: ପଞ୍ଜାବ ଅମୃତସରରେ ଟ୍ରେନ୍ ଧକ୍କାରେ ୬୧ଜଣଙ୍କର ମୃତ୍ୟୁ ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ୪ ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ । ମୃତକଙ୍କ ପିଛା ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା ମଧ୍ୟ କରିଛନ୍ତି ।  ଏଥିପାଇଁ ୩ କୋଟି ଟଙ୍କା ରିଲିଜ୍ କରାଯାଇଛି । ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ଏବେ ଦୋଷାରୋପର ସମୟ ନୁହେଁ ବୋଲି କ୍ୟାପଟେନ୍ ଅମରିନ୍ଦର ସିଂହ  କହିଛନ୍ତି । ତେବେ ଏବେ ସୁଦ୍ଧା ଅଧିକାଂଶ ମୃତଦେହର ଚିହ୍ନଟ ହୋଇସାରିଛି । ଏହାଛଡା ଆହତଙ୍କ ସବୁପ୍ରକାର ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯାଇଥିବା କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଆଜି ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ଘଟଣାସ୍ଥଳକୁ ଯିବା ପୂର୍ବରୁ ଡାକ୍ତରଖାନା ଯାଇ ଆହତମାନଙ୍କୁ ଭେଟିଥିଲେ । ତେବେ ଘଟଣାର ୧୭ଘଣ୍ଟା ପରେ ମୁଖ୍ୟମନ୍ତ୍ରୀ ଆସିଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ଲୋକେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ । ଗତକାଲି ପଞ୍ଜାବ ଅମୃତସରରେ ରାବଣ ପୋଡି ଉତ୍ସବ ଚାଲିଥିବା ବେଳେ ଲୋକଙ୍କ ଉପରେ ମାଡି ଯାଇଥିଲା ଟ୍ରେନ୍ । ଏବେ ସୁଦ୍ଧା ୬୧ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୪୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ୨୧ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ୭୦ରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଚିକିତ୍ସାଧିନ ଥିବା କିଛି ଲୋକଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବହୁତ ବଢିପାରେ ବୋଲି ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.