ପଞ୍ଜାବରେ କିଏ ଗଢିବ ସରକାର ? ଆଜତକ୍ ଏକଜିଟ୍ ପୋଲ୍‌ରେ ଆପ୍‌କୁ ଅଧିକ ଆସନ, କଂଗ୍ରେସ-ଅକାଳି-ବିଜେପି ବହୁ ପଛରେ

Published By : Prameya-News7 Bureau | March 07, 2022 IST

ଚଣ୍ଡିଗଡ ୦୭।୦୩: ପଞ୍ଜାବରେ କିଏ ଗଢିବ ସରକାର। କାହା ମୁଣ୍ଡରେ ଖସିବ ସୁନାକଳସ। କଣ କଂଗ୍ରେସ ପୁଣି ଥରେ ନିଜର କ୍ଷମତା ଦଖଲ କରିବ ନା ଦିଲ୍ଲୀ ପରି ପଞ୍ଜାବରେ ନିଜର ପ୍ରଥମ ସରକାର ଗଢିବାରେ ସଫଳ ହେବ ଆପ୍। କଣ ବିଜେପି ସହ ମେଣ୍ଟ କରିଥିବା ଅମରିନ୍ଦର ସିଂହଙ୍କ ପାର୍ଟି ନିର୍ବାଚନରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ରାଜ୍ୟର ଆଉ ଏକ ପ୍ରମୁଖ ଦଳ ଶିରୋମଣି ଅକାଳି ଦଳ କେତେ ଆସନ ପାଇବ। ଏସବୁ ନେଇ ଆସିଛି ଏକଜିଟ୍ ପୋଲ୍ ବା ବୁଥ ବାହୁଡା ମତ। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଶେଷ ବା ସପ୍ତମ ପର୍ଯ୍ୟାୟ ମତଦାନ ସରିବା ପରେ ଅନେକ ଜାତୀୟ ଗଣମାଧ୍ୟମ ଦ୍ଵାରା ସାମ୍ନାକୁ ଆସିଛି ଏକଜିଟ୍ ପୋଲ୍। ଆଭ୍ୟନ୍ତରୀଣ କନ୍ଦଳ ଦେଇ ଗତି କରୁଥିବା ପଞ୍ଜାବରେ କଂଗ୍ରେସକୁ ଜୋରଦାର ଝଟକା ଲାଗିଛି। ଦିଲ୍ଲୀ ପରେ ପଞ୍ଜାବରେ ପ୍ରଥମ ଥର ଆମ୍ ଆଦମୀ ପାର୍ଟି ସରକାର ଗଠନ କରୁଥିବା ଅନେକ ଜାତୀୟ ଗଣମାଧ୍ୟମ ଦ୍ଵାରା ହୋଇଥିବ ଏକଜିଟ୍ ପାେଲର ଅନୁମାନରୁ ଜଣା ପଡିଛି।

ଆଜତକ ଏକ୍ସିସ ଏକଜିଟ୍ ପୋଲ୍‌ର ସର୍ଭେ ଅନୁଯାୟୀ କଂଗ୍ରେସକୁ ୨୮ ପ୍ରତିଶତ ଭୋଟ୍ ମିଳିବ ବୋଲି ଅନୁମାନ କରାଯାଇଛି। ସେହି ପରି ବିଜେପି ୭ ପ୍ରତିଶତ, ଶିରୋମଣି ଅକାଳି ଦଳକୁ ୧୯ ପ୍ରତିଶତ ଏବଂ ଆପକୁ ୪୧ ପ୍ରତିଶତ ଭୋଟ୍ ମିଳିବ ବୋଲି ଅନୁମାନ କରାଯାଇଛି। ଆପ୍ ୭୬ ରୁ ୯୦ ସିଟ୍ ସହ ପ୍ରଥମ ଥର ପଞ୍ଜାବରେ ସରକାର ଗଠନ କରୁଥିବା ଆଜତକ୍ ଏକଜିଟ୍ ପୋଲର  ପୁର୍ବାନୁମାନରୁ ଜଣା ପଡିଛି। କଂଗ୍ରେସ ୧୯ ରୁ ୩୧ ସିଟ୍‌, ବିଜେପି ପ୍ଲସ୍ ୧ ରୁ ୪, ଅକାଳି ଦଳକୁ ୭ ରୁ ୧୧ ସିଟ୍ ମିଳୁଥିବା ପୂର୍ବାନୁମାନରୁ ଜଣା ପଡିଛି। ପଞ୍ଜାବରେ ବହୁମତ ପାଇଁ ଦରକାର ୫୯ ଆସନ।

ଆପ୍ ଭଗବତ ସିଂହ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ନିର୍ବାଚନ ଲଢିଥିବା ବେଳେ କଂଗ୍ରେସ ଚରଣଜିତ ସିଂହ ଚନ୍ନିଙ୍କୁ ଚେହେରା କରି ମଇଦାନକୁ ଓହ୍ଲାଇଥିଲା। ତେବେ ପଞ୍ଜାବରେ କଂଗ୍ରେସକୁ ନିଜର ଦଳୀୟ କନ୍ଦଳ ଭାରି ପଡିଛି। ଅମରିନ୍ଦର ସିଂହ ଏବଂ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ବାଦ ବିବାଦର ପରିଣାମ କଂଗ୍ରେସକୁ ଭୋଗିବାକୁ ପଡୁଥିବା ଆଜତକ ଏକ୍ସିସ ଏକଜିଟ୍ ପାେଲରୁ ଜଣା ପଡିଛି। ଅନ୍ୟପଟେ ୨୦୧୭ରେ ୨୦ଟି ଆସନ ପାଇ ବିରୋଧୀ ଦଳ ଆସନରେ ଥିବା ଆପ୍ ରାଜ୍ୟରେ ତୃଣମୂଳ ସ୍ତରରେ ନିଜର ସ୍ଥିତି ମଜବୁତ କରିବାରେ ସଫଳ ହୋଇଛି। ଏହାର ଫାଇଦା ବର୍ତ୍ତମାନ ଦଳକୁ ମିଳିଛି। ଦିଲ୍ଲୀ ପରେ ଏବେ ପଞ୍ଜାବରେ ମଧ୍ୟ ଆପ୍ ସରକାର ଗଢିବାକୁ ଯାଉଥିବା ଏକଜିଟ୍ ପୋଲର ପୂର୍ବାନୁମାନରୁ ଜଣା ପଡିଛି।

ବିଜେପି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମେଣ୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଜନତା। ଶିରୋମଣି ଅକାଳି ଦଳ ରାଜ୍ୟରେ ଜନତାଙ୍କ ବିଶ୍ଵାସଭାଜନ ହୋଇ ପାରି ନାହିଁ। ବିଜେପି ଏବଂ ଅମରିନ୍ଦର ସିଂହଙ୍କ ମେଣ୍ଟକୁ ମାତ୍ର ୧ରୁ ୪ ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି। ସେହି ପରି ୨୦୧୭ରୁ ବିଜେପି ସହ ମେଣ୍ଟ ଭାଙ୍ଗି ଏକା ଲଢୁଥିବା ଅକାଳି ଦଳ ଦିନକୁ ଦିନ ନିଜର ଜନାଧାର ହରାଇବାରେ ଲାଗିଛି।

ଆଜତକ ଏକ୍ସିସ ଏକଜିଟ୍ ପୋଲ୍

କଂଗ୍ରେସ- ୧୯ ରୁ ୩୧

ବିଜେପି ପ୍ଲସ୍- ୧ ରୁ ୪

ଶିରୋମଣି ଅକାଳି ଦଳ- ୭ ରୁ ୧୧

ଆପ୍ - ୭୬ ରୁ ୯୦ ସିଟ୍

ସି ଭୋଟର

କଂଗ୍ରେସ- ୨୨ରୁ ୨୮

ଆପ୍- ୫୧ ରୁ ୬୧

ଅକାଳି ଦଳ- ୨୦ ରୁ ୨୬

ଅନ୍ୟ- ୮ ରୁ ୧୪

ନ୍ୟୁଜ ୨୪-ଚାଣକ୍ୟ

କଂଗ୍ରେସ- ୧୦

ଆପ୍- ୧୦୦

ଅକାଳି ଦଳ- ୬

ଅନ୍ୟ- ୧

ଟାଇମ୍ସ ନାଓ

କଂଗ୍ରେସ- ୨୨

ଆପ୍- ୭୦

ଅକାଳି ଦଳ- ୧୯

ଅନ୍ୟ- ୬

ରିପବ୍ଲିକ ପି ମାର୍କ

କଂଗ୍ରେସ- ୨୧ ରୁ ୩୧

ଆପ୍- ୬୨ ରୁ ୭୦

ଅକାଳି ଦଳ- ୧୬ ରୁ ୨୪

ଅନ୍ୟ- ୧ ରୁ ୩

ଟିଭି ୯ ଭାରତ ବର୍ଷ

କଂଗ୍ରେସ- ୨୪ ରୁ ୨୯

ଆପ୍- ୫୬ ରୁ ୬୧

ଅକାଳି- ୨୨ ରୁ ୨୬

ପୂର୍ବରୁ ଏହି ରାଜ୍ୟରେ ମୋଟ ୧୧୭ ଆସନରୁ କଂଗ୍ରେସ ୭୭ଟି ଆସନ ହାତେଇ ସରକାର ଗଢ଼ିଥିବା ବେଳେ ୨୦ଟି ସିଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା ଆପ୍‌। ସେହିଭଳି ଅକାଳୀ ଦଳ ୧୫ଟି ଆସନରେ ବିଜୟ ହୋଇଥିବା ବେଳେ ବିଜେପି ମାତ୍ର ୩ଟି ଆସନରେ ବିଜୟ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.