ସିବିଆଇ ଚଢ଼ାଉରେ ୱାଙ୍ଖଡ଼େ କହିଲେ, ଦେଶ ଭକ୍ତ ବୋଲି ସଜା ପାଉଛି
13/05/2023 at 9:34 PM

ମୁମ୍ବାଇ: ଏନ୍ସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େଙ୍କ ଘରେ ସିବିଆଇ ଚଢ଼ାଉ ନେଇ ମୁହଁ ଖୋଲିଛନ୍ତି ସମୀର। ଦେଶ ଭକ୍ତ ପାଇଁ ଦଣ୍ଡ ପାଉଛି ବୋଲି ସେ କହିଛନ୍ତି। ଗତକାଲି ସିବିଆଇ ତାଙ୍କର ମୁମ୍ବାଇ ବାସଭବନରେ ୧୩ ଘଣ୍ଟାକାଳ ଚଢ଼ାଉ କରିଥିଲା।
ସୂଚନା ଥାଉକି ୨୦୨୧ ଠାରୁ ସମୀର ୱାଙ୍ଖଡ଼େ ଚର୍ଚ୍ଚାରେ ରହିଆସିଛନ୍ତି। ୨୦୨୧ କ୍ରୁସ ଡ୍ରଗ୍ସ ମାମଲାରେ ଶାହରୁଖ ଖାନ୍ଙ୍କ ପୁଅ ସମେତ ଏକାଧିକ ଲୋକଙ୍କୁ ଗିରଫ କରିଥିଲେ ସମୀର। ଏହାପରେ ମହାରାଷ୍ଟ୍ର ସରକାରଙ୍କ ତାଙ୍କ ବିରୋଧରେ ଜାଲ୍ ପ୍ରମାଣପତ୍ର ଦେବା ଅଭିଯୋଗ ଆଣି ପୁଲିସ ତଦନ୍ତ କରିଥିଲେ। ସେବେଠାରୁ ସମୀର ଚର୍ଚ୍ଚାରେ ରହିଆସିଛନ୍ତି।
ସିବିଆଇ ଚଢ଼ାଇ ନେଇ ୱାଙ୍ଖଡ଼େ କହିଛନ୍ତି “ଗତକାଲି ସିବିଆଇ ମୋ ଘରେ ଚଢ଼ାଉ କରି ୧୨ ଘଣ୍ଟା ସର୍ଚ୍ଚ ଅପରେସନ କରିଥିଲା। ସେମାନେ ମୋ ଘରୁ ୧୮ ହଜାର ନଗଦ ୪ ଟି ଘରବାଡ଼ି ପଟା ପାଇଛନ୍ତି। ମୁଁ ଚାକିରି ଯୋଗ ଦେବା ପୂର୍ବରୁ ଏହିସବୁ ସମ୍ପତ୍ତି ଆମର ଥିଲା। ଦେଶ ଭକ୍ତି ହେବାର ମୋତେ ଏହି ଦଣ୍ଡ ମିଳିଛି।”
ୱାଙ୍ଖଡ଼େ ଆହୁରି କହିଛନ୍ତି “ ଏକ ୬ ଜଣିଆ ଅଫିସର ଟିମ୍ ଅନ୍ଧେରୀ ସ୍ଥିତ ମୋ ବାପାଙ୍କ ଘରେ ଚଢ଼ାଉ କରିଥିଲେ। ହେଲେ କିଛି ପାଇ ନାହାନ୍ତି। ପୁଣି ୭ ଜଣିଆ ଟିମ୍ ମୋ ଶ୍ୱଶୁର ଘରେ ଚଢ଼ାଉ କରିଥିଲେ। ଉଭଯ ଶାଶୂ ଓ ଶ୍ୱଶୁର ମୋର ବୟସ୍କ ହୋଇଯାଇଛନ୍ତି।”
ସୂଚନା ଥାଉକି ଆର୍ଯ୍ୟନ ଖାନ୍ଙ୍କୁ ମାମଲାରେ ନ ଫସାଇବାକୁ ୨୫ କୋଟି ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ସିବିଆଇ ୱାଙ୍ଖଡ଼େଙ୍କ ନାଁରେ ମାମଲା ରୁଜୁ କରିଛି। ତାଙ୍କ ବିରୋଧରେ ଧାରା ୭,୭ଏ ଓ ଦୁର୍ନୀତି ନିବାରଣ ଆକ୍ଟ ର ଧାରା ୧୨, ଧାରା ୧୨୦ ବି(ଅପରାଧିକ ଷଡ଼ଯନ୍ତ୍ର), ୩୮୮(ଧମକ ଦେଇ ଚାନ୍ଦା ଆଦାୟ) ଆଇପିସି ଧାରା ଲଗାଯାଇଛି। ସୂଚନା ଥାଉକି ୨୦୨୧ ଅକ୍ଟୋବର ୨ ତାରିଖରେ ମୁମ୍ବାଇର କର୍ଡେଲିଆ କ୍ରୁସ୍ ମାମଲାର ଶାହରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟାନ ଖାନ୍ଙ୍କୁ ଗିରଫ କରିଥିଲେ ୱାଙ୍ଖଡ଼େ। ୨୬ ଦିନ ପୁଲିସ କଷ୍ଟୁଡିରେ ରହିବା ପରେ ସେ ଜେଲ୍ରୁ ମୁକୁଳିଥିଲେ। ପ୍ରମାଣ ଅଭାବରୁ ତାଙ୍କୁ ଜାମିନ୍ ମିଳିଥିଲା।