ପୋର୍ଶ କାର୍ ଦୁର୍ଘଟଣା ମାମଲା: ଅଭିଯୁକ୍ତର ଜେଜେ ସୁରେନ୍ଦ୍ର ଅଗରୱାଲ୍‌ ଗିରଫ, ଦୋଷ ମୁଣ୍ଡାଇବାକୁ ଡ୍ରାଇଭରକୁ ଧମକାଉଥିଲେ

Published By : Prameya-News7 Bureau | May 25, 2024 IST

Pune Porsche crash

ନୂଆଦିଲ୍ଲୀ: ପୋର୍ଶ କାର୍ ଦୁର୍ଘଟଣା ମାମଲାରେ ଶନିବାର ପୁଣେ ପୁଲିସ ଅଭିଯୁକ୍ତ ନାବାଳକର ଜେଜେ ସୁରେନ୍ଦ୍ର ଅଗରୱାଲଙ୍କୁ ଗିରଫ କରିଛି। କାରଣ ସୁରେନ୍ଦ୍ର ନାତିକୁ ବଞ୍ଚାଇବାକୁ ଯାଇ ତାଙ୍କ ଡ୍ରାଇଭରକୁ ଫସାଇବାକୁ ଚେଷ୍ଟା କରିଥିଲେ। ସବୁ ଦୋଷ ନିଜ ମୁଣ୍ଡକୁ ନେଇଯିବାକୁ ସେ ଡ୍ରାଇଭରକୁ ଧମକ୍ ଦେଇ କହିଥିଲେ।  

ମେ ୧୯ ତାରିଖରେ ନାବାଳକ ଜଣଙ୍କ ନିଶାରେ ଗାଡ଼ି ଚଲାଇ ଦୁଇ ବାଇକ୍ ସବାରଙ୍କୁ ଧକ୍କା ଦେଇଥିଲା। ଏଥିରେ ଦୁଇ ଆଇଟି ପ୍ରଫେସ୍‌ନାଲ ଅନୀଶ ଅୱଧ୍ୟା ଓ ଅଶ୍ୱିନ କୋଷ୍ଟାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପ୍ରଥମେ କୋର୍ଟ ଅଭିଯୁକ୍ତ ୩୦୦ ଶବ୍ଦର ଏସେ (ରଚନା) ଲେଖିବାକୁ ସର୍ତ୍ତ ରଖି ଜାମିନ ପ୍ରଦାନ କରିଥିଲେ। ହେଲେ ସୋସିଆଲ୍ ମିଡିଆରେ ଲୋକେ ଏହାକୁ ତୀବ୍ର ନିନ୍ଦା କରିବାରୁ ତାକୁ ପୁଣିଥରେ ଗିରଫ ଯାଇ ଜୁନ ୫ ପର୍ଯ୍ୟନ୍ତ ଅବଜରବେସନରେ ରଖାଯାଇଛି। ସେପଟେ ସୁରେନ୍ଦ୍ରକୁ ମେ ୨୮ ତାରିଖ ପର୍ଯ୍ୟନ୍ତ ପୁଲିସ କଷ୍ଟୁଡିକୁ ପଠାଯାଇଛି।  

ଅଭିଯୋଗ ଅନୁସାରେ, ଜେଜେ ସୁରେନ୍ଦ୍ର ପରିବାରର ଡ୍ରାଇଭର ଥିବା ଗଙ୍ଗାରାମକୁ ଧମକାଇଥିଲେ। ଏବଂ ଦୁର୍ଘଟଣା ଦିନ କାର୍ ସେ ଚଳାଉଥିଲେ ବୋଲି ପୁଲିସ ଆଗରେ କହିବାକୁ ବାଧ୍ୟ କରିଥିଲେ। ଘଟଣାରେ ଶନିବାର ଅପରାହ୍ନ ୩ଟାରେ ସୁରେନ୍ଦ୍ରଙ୍କୁ ପୁଣେ କ୍ରାଇମ୍ ବ୍ରାଞ୍ଚ ଗିରଫ କରିଛି। ଏଥିସହିତ ବ୍ରହ୍ମା ସନ୍‌ସିଟିରେ ଥିବା ଅଗରୱାଲ୍‌ଙ୍କ ବଙ୍ଗଳାରେ ସର୍ଚ୍ଚ ଅପରେସନ ଚଳାଇଛି କ୍ରାଇମ ବ୍ରାଞ୍ଚ। ପୋର୍ଶ ମାମଲାରେ ଏହା ତୃତୀୟ ମାମଲା ରୁଜୁ ହୋଇଛି।  

ପୁଲିସ କହିଛି ଯେ ସୁରେନ୍ଦ୍ର ଗଙ୍ଗାରାମଙ୍କୁ ଅପହରଣ କରି ନାତିର ଦୋଷ ନିଜ ମୁଣ୍ଡକୁ ନେବା ପାଇଁ ବାଧ୍ୟ କରିଥିଲା। ଯାହାର ସିସିଟିଭି ଫୁଟେଜ୍ ଆମ ପାଖରେ ଲାଗିଛି। ଏଣୁ ସୁରେନ୍ଦ୍ରକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆମେ କୋର୍ଟରେ ଦାବି କରୁଛୁ ବୋଲି ପୁଲିସ କହିଛି। ଅନ୍ୟପଟେ ଅଭିଯୁକ୍ତଙ୍କ ଓକିଲ କହିଛନ୍ତି ଯେ ଦୁର୍ଘଟଣା ପରେ ନିଜ ଜୀବନକୁ ବିପଦ ଥିବା ଭୟରେ ଗଙ୍ଗାରାମ ନିଜେ ଆଜି ବଙ୍ଗଳାରେ ଲୁଚିଥିଲା।

ସୁରେନ୍ଦ୍ରଙ୍କ ପୂର୍ବରୁ ଅପରାଧିକ ରେକର୍ଡ ରହିଛି। ଶୁଟ୍‌ ଆଉଟ୍ କ୍ୟାସ୍ ମାଲମାରେ ଗ୍ୟାଙ୍ଗଷ୍ଟାର ଛୋଟା ରାଜନଙ୍କୁ ଟଙ୍କା ଦେବାର ଅଭିଯୋଗ ତା’ ନାଁରେ ରହିଛି ବୋଲି ସିବିଆଇ ସୂତ୍ରରୁ ସୂଚନା ମିଳିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.