ମାଲିକଙ୍କୁ ଜଣା ନାହିଁ ! ବର୍ଷକରେ ୨୦ଥର ବିକ୍ରି ଓ ବନ୍ଧକ ହୋଇଯାଇଛି ସେମାନଙ୍କ ସମ୍ପତ୍ତି, ଜାଣନ୍ତୁ କେଉଁଠି?
14/09/2022 at 7:10 PM

ପୁଣେ ୧୪।୯: ଏକ ୪ ମହଲା ବିଲ୍ଡିଂକୁ ଗତ ବର୍ଷକରେ ୨୦ ଥର ବିକା, କିଣା ଓ ବନ୍ଧକ ରଖାଯାଇଛି। ହେଲେ ବିଲ୍ଡିଂର ମାଲିକମାନଙ୍କୁ ଏବାବଦେ ସାମାନ୍ୟତମ ଖବର ବି ନାହିଁ। ଏପରି ଅଭାବନୀୟ ଘଟଣା ପୁଣେ କୋଣ୍ଢବାରେ ହୋଇଥିବା ଜଣାପଡିଛି। ଏହି ଚାରି ମହଲା ଘରର ମାଲିକ ହେଉଛନ୍ତି କିରଣ ଚଡ୍ଡା, ସୁମନ ଖଣ୍ଡଗଲେ, ନିରୁ ଗୁପ୍ତା ଓ ଅଞ୍ଜଳି ଗୁପ୍ତା। ଏହି ୪ ଜଣ ମହିଳା ମିସି ସମ୍ପତ୍ତିକୁ ୧୯୯୪ ମସିହାରେ କିଣିଥିଲେ। ୨୦୦୫ ମସିହାରେ ସମ୍ପତ୍ତିକୁ ପୁନର୍ବିକାଶ କରି ୪ ମହଲା ବିଲ୍ଡିଂ କରିଥିଲେ। ଯାହାର ନାମ ସେମାନେ ରଖିଥିଲେ ‘ନନ୍ଦନବନ’।
୨୦୨୧ ମସିହା ମେ ମାସରେ ସେମାନେ ଏହି ସମ୍ପତ୍ତି ବିକି ଦେବାକୁ ଚିନ୍ତା କରିଥିଲେ। ଏ ନେଇ ସେମାନେ କିଛି ରିଏଲ ଇଷ୍ଟେଟ୍ ଏଜେଣ୍ଟଙ୍କ ସହିତ ସମ୍ପର୍କ କରିଥିଲେ ଓ ସେମାନଙ୍କୁ ସମ୍ପତ୍ତିର କାଗଜପତ୍ର ନକଲ ଦେଇଥିଲେ। ମହିଳାମାନେ ସେମାନଙ୍କ ସମ୍ପତ୍ତି ବିକ୍ରି ପାଇଁ ରଖିବାରୁ ଅନୁନ୍ୟ ୧୦୦ରୁ ଅଧିକ ଲୋକେ ସେମାନଙ୍କ ସମ୍ପର୍କରେ ଆସିଥିଲେ। ହେଲେ କାହା ସହ କିଣାବିକା ନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ପାରିନଥିଲେ।
ତେବେ ଏହା ପଛେ ପଛେ ନକଲି କିଣାବିକା ଓ ବନ୍ଧକର ପର୍ବ ଆରମ୍ଭ ହୋଇଯାଇଥିଲା। ପ୍ରଥମ କିଣାବିକା ଗତ ୨୦୨୧ ମସିହା ଜୁଲାଇ ୧ ତାରିଖରେ ହୋଇଥିଲା। ନକଲି ମାଲିକ ଓ ନକଲି କାଗଜପତ୍ର ଆଧାରକାର୍ଡ ବଳରେ ସମ୍ପତ୍ତିର କିଣାବିକା ହୋଇଥିଲା। ଏହି ଠକେଇ କେବଳ କିଣାବିକାରେ ସୀମିତ ନଥିଲା ବ୍ୟାଙ୍କରେ ବନ୍ଧକ ରଖି ଏହା ବଦଳେ ଟଙ୍କା ମଧ୍ୟ ଋଣ କରାଯାଇଥିଲା। ପୃଥକ ପୃଥକ ବ୍ୟାଙ୍କରେ ସମ୍ପତ୍ତିକୁ ୩ ବାର ବନ୍ଧା ପକଯାଇଛି। ଯାହା ଫଳରେ ବ୍ୟାଙ୍କରୁ ଠକ ସମ୍ପତ୍ତି ବଦଳେ ୨.୩୫ କୋଟି ଟଙ୍କା ଋଣ ମଞ୍ଜୁର କରାଇନେଇଛନ୍ତି।

ଏହି ଠକେଇ ଓ ଧୋକାବାଜୀ ପାଇଁ ବନ୍ଧକ ଓ ଅନ୍ୟ କାର୍ଯ୍ୟ ନିମନ୍ତେ ସରକାରୀ ଷ୍ଟାମ୍ପ ଡ୍ୟୁଟି ବାବଦେ ଅନୁନ୍ୟ ୧୮.୭୨ ଲକ୍ଷଟଙ୍କା ଶୁଳ୍କ ପୈଠ କରାଯାଇଥିବା ବେଳେ ରେଜିଷ୍ଟ୍ରେସନ ଶୁଳ୍କ ବାବଦେ ୯୦ ହଜାର ଟଙ୍କା ପୈଠ କରାଯାଇଛି। ୩ ବନ୍ଧକ ଅଭିଲେଖରେ ୨ଟି ବିଶାଲ ଗୋର୍ଡେଙ୍କ ନାମରେ ରହିଛି। ଏଥିରେ ସେ ୪ ମହଲା କୋଠାରୁ ୨ଟି ମହଲା ନିଜେ କିଣିଥିବାବେଳେ ଗୋଟିଏ ମହଲାକୁ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଓ କସମସ ବ୍ୟାଙ୍କରେ ବନ୍ଧକ ରଖିଥିବାର ଜଣାପଡିଛି।
ଗୋର୍ଡେ ଫେବୃଆରୀ ୨୪ ତାରିଖ ଦିନ ବିଲ୍ଡିଂର ପ୍ରଥମ ମହାଲାକୁ ୯୬ ଲକ୍ଷ ଟଙ୍କାରେ ନିଜ ନାମରେ ରେଜିଷ୍ଟ୍ରି କରାଇଥିଲା, ଯାହାକୁ ସେ କସମସ ବ୍ୟାଙ୍କକୁ ୬୯.୮୭ ଲକ୍ଷ ଟଙ୍କାରେ ବନ୍ଧକ ରଖିବାରେ ସଫଳ ହୋଇଥିଲା। ସେ ପୁଣି ୧.୨ କୋଟି ଟଙ୍କାରେ ବିଲ୍ଡିଂର ଆଉ ଗୋଟିଏ ମହଲା କିଣିଥିବା ବେଳେ ଏଥି ପାଇଁ ବ୍ୟାଙ୍କ ଅଫ ମହାରାଷ୍ଟ୍ରରୁ ୯୬ ଲକ୍ଷ ଟଙ୍କା ଋଣ ମଞ୍ଜୁର କରାଇ ନେଇଥିଲା। ସେହିପରି ତୃତୀୟ ବନ୍ଧକ ଅଭିଲେଖ ଅନିଲ ଅଗ୍ରୱାଲ ଓ ସୁନୀତା ଅନିଲ ଅଗ୍ରୱାଲ ନାମକ ଦମ୍ପତ୍ତିଙ୍କ ନାମରେ ହୋଇଥିବା ଜଣାପଡିଛି।
ଏହି ଦମ୍ପତ୍ତି ବିଲ୍ଡିଂର ଗୋଟିଏ ମହଲାକୁ ୯୬ ଲକ୍ଷ ଟଙ୍କାରେ କିଣିଥିବା ବେଳେ ଏଥିଲାଗି ୭୦ ଲକ୍ଷ ଟଙ୍କା କସମସ୍ ବ୍ୟାଙ୍କରୁ ଋଣ କରିଥିଲେ। ଏବେ ଏହି ସମ୍ପତ୍ତି କିଣାବିକା ଓ ବନ୍ଧକ ମାମଲା ସାମ୍ନାକୁ ଆସିଥିବା ବେଳେ ବ୍ୟାଙ୍କ ଗୋର୍ଡେ ଓ ଅଗ୍ରୱାଲଙ୍କ ସନ୍ଧାନ ପାଇପାରୁନି। ଏଣୁ ଏହା ବ୍ୟାଙ୍କ ଠକେଇ ମାମଲା ସ୍ପଷ୍ଟ ହୋଇଥିବା ବେଳେ ଭିଜିଲାନ୍ସ ଦ୍ୱାରା ମାମଲାର ତଦନ୍ତ କରାଯିବ ବୋଲି କୁହାଯାଉଛି।