ଭାରତ ସହ ଯୁଦ୍ଧ ପାଇଁ ଯୋଜନା ପ୍ରସ୍ତୁତ କଲା ପାକିସ୍ତାନ : ପ୍ରସ୍ତୁତ ରହିବା ପାଇଁ ହସ୍ପିଟାଲଗୁଡିକୁ ଦେଲା ନିର୍ଦେଶ

Published By : Prameya-News7 Bureau | February 22, 2019 IST

ଶ୍ରୀନଗର ୨୨/୨ : ପାକିସ୍ତାନ ସେନା ଭାରତ ସହ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି | ପାକିସ୍ତାନ ସୀମାରେ ନିୟୋଜିତ ପାକିସ୍ତାନୀ ସେନାଙ୍କୁ ଯୁଦ୍ଧ ସାମଗ୍ରୀ ପଠାଇବା ଆରମ୍ଭ କରିଦେଇଛି ପାକିସ୍ତାନ | ହସ୍ପିଟାଲଗୁଡିକରେ ମଧ୍ୟ ଜରୁରୀ ମେଡିକାଲ ସହାୟତା ପ୍ରସ୍ତୁତ ରଖିବା ପାଇଁ  ଆଲର୍ଟ କରିଦିଆଯାଇଛି | ଜୈସ-ଏ-ମହମ୍ମଦ ସଂଗଠନର ମୁଖ୍ୟ ମସୁଦ ଅଜହର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କହିଛି ଯେ, ଭାରତ ତରଫରୁ ଆସୁଥିବା ଚାପ ଆଗରେ ମୁଣ୍ଡ ନୂଆଇଁବା କିଛି ଦରକାର ନାହିଁ | ଜାତିସଂଘ ସୁରକ୍ଷା ପରିଷଦ ପୁଲୱାମା ହମଲାକୁ ନେଇ କଡା ସମାଲୋଚନା କରିଛି | ଅପରପକ୍ଷରେ, ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ଏବଂ ଅନ୍ୟ ୧୦ଟି ରାଜ୍ୟକୁ ନୋଟିସ ଜାରି କରି କାଶ୍ମିରୀ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି |

୧. ରିପୋର୍ଟ ଅନୁସାରେ, ବେଲୁଚିସ୍ତାନରେ ଥିବା ପାକିସ୍ତାନ ସେନା ଏବଂ ପାକିସ୍ତାନ କବଜାରେ ଥିବା କାଶ୍ମୀରର ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦିଆଯାଇଛି | ଭାରତ ସହ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ଏହି ନିର୍ଦେଶ ଦିଆଯାଇଛି |

୨. ପାକିସ୍ତାନ ସେନାର ମୁଖ୍ୟ କାର୍ଯ୍ୟାଳୟ କ୍ୱେଟା ବେଶ ଲାଂଜିଷ୍ଟିକ୍ସ ଅଂଚଳରୁ ଜିଲାନି ହସ୍ପିଟାଲକୁ ଫେବୃଆରୀ ୨୦ ତାରିଖରେ ପଠାଯାଇଥିବା ଏକ ନିର୍ଦେଶନାମାରେ କୁହାଯାଇଥିଲା ଯେ, ଭାରତ ସହ ଯୁଦ୍ଧ ପରିସ୍ଥିତିକୁ ଆଖିଆଗରେ ରଖି ମେଡିକାଲକୁ  ପ୍ରସ୍ତୁତ ରଖନ୍ତୁ |

୩. ନିର୍ଦେଶନାମାରେ କୁହାଯାଇଛି ଯେ, " ଆମେ ଆଶା କରୁଛୁ ପୂର୍ବାଂଚଳ ମୋର୍ଚ୍ଚାରେ ଯୁଦ୍ଧ ଆହତ ଯବାନଙ୍କୁ ଅପାତକାଳୀନ ସ୍ବାସ୍ଥ୍ୟସେବା ସିନ୍ଧ ଏବଂ ପଞ୍ଜାବର ସିଭିଲ ଏବଂ ମିଲିଟାରୀ ହସ୍ପିଟାଲରୁ  ଯୋଗାଇ ଦିଆଯିବ | ପ୍ରାଥମିକ ଚିକିତ୍ସା ପରେ ଆହତ ଯବାନଙ୍କୁ ବେଲୁଚିସ୍ତାନର ସିଭିଲ ହସ୍ପିଟାଲ ପଠାଇଦିଆଯିବ | ସିଭିଲ ମିଲିଟାରୀ ହସ୍ପିଟାଲରେ ବେଡ଼ ବ୍ୟବସ୍ଥା ହେବା ଯାଏଁ ଆହତ ଯବାନ ସେଠାରେ ରହିବେ |" ସିଭିଲ ହସ୍ପିଟାଲରେ ବେଡ଼ ବ୍ୟବସ୍ଥା ୨୫ ପ୍ରତିଶତ ବଢାଇବା ପାଇଁ ନିର୍ଦେଶ ଦିଆଯାଇଛି |

୪. ଗୁରୁବାର ଦିନ ପାକିସ୍ତାନ ସରକାର ନିଲାମ, ଝେଲମ, ରାବଲକୋଟ, ହାବେଳୀ, କୋଟଲି ଏବଂ ଭିମ୍ବରର ନିୟନ୍ତ୍ରଣ ରେଖାଠୁ ପାଖ ଅଂଚଳରେ ରହୁଥିବା ଲୋକମାନଙ୍କ ପାଇଁ ଆଡ଼ଭାଇଜାରୀ ଜାରି କରାଯାଇଥିଲା | ଯୁଦ୍ଧ ସ୍ଥିତିରେ ଲୋକଙ୍କୁ ସଜାଗ  ରହିବାକୁ କୁହାଯାଇଛି |

୫. ପାକିସ୍ତାନ ସରକାର ଲୋକଙ୍କୁ କହିଛନ୍ତି ଯେ, ଯୁଦ୍ଧବେଳେ ସୁରକ୍ଷିତ ରାସ୍ତା ଦେଇ ଯିବା ଆସିବା କରିବେ | ନିୟନ୍ତ୍ରଣ ରେଖା ପାଖରେ ରହୁଥିବା ଲୋକେ ଯେଉଁମାନେ ବଙ୍କର ତିଆରି କରିନାହାନ୍ତି, ସେମାନଙ୍କୁ ତୁରନ୍ତ ବଙ୍କର ତିଆରି ପାଇଁ କୁହାଯାଇଛି | ଲୋକଙ୍କୁ ରାତିରେ ଅନାବଶ୍ୟକ ଭାବେ ଲାଇଟ ମଧ୍ୟ ଲଗାଇବା ଉଚିତ ନୁହେଁ | ନିୟନ୍ତ୍ରଣ ରେଖା ପାଖକୁ ନଯିବା ପାଇଁ ଲୋକଙ୍କୁ ନିର୍ଦେଶ ଦିଆଯାଇଛି |

୬. ଜାତିସଂଘ ସୁରକ୍ଷା ପରିଷଦର ବୟାନରେ କୁହାଯାଇଛି ଯେ, ଭାରତରେ ଉପରେ ହୋଇଥିବା ଆତଙ୍କୀ ହମଲାକୁ ଜାତିସଂଘ ନିନ୍ଦା କରୁଛି | ଭାରତ ସରକାରଙ୍କୁ ବିଶ୍ବସମୁଦାୟ ସମର୍ଥନ କରିବା ଦରକାର | ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା, ତାଙ୍କୁ ଆର୍ଥିକ ସହାୟତା ଯୋଗାଉଥିବା ସଂଗଠନକୁ ଜାତିସଂଘର ସୁରକ୍ଷା ପରିଷଦ ରୋକିବା ଦରକାର | ଏହାସହ ଜାତିସଂଘ ଆହୁରି କହିଥିଲେ ଯେ, ଆତଙ୍କୀ ହମଲା ପାଇଁ ଯେଉଁମାନେ ଦୋଷୀ ତାଙ୍କ ବିରୋଧରେ ମୋକଦ୍ଦମା କରିବା ଉଚିତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.