ବାପା ଚାଲିଗଲେ, ମା ପର କରିଦେଲା; କିଏ ବୁଝିବ ପୂଜାର ଦୁଃଖ

Published By : Prameya-News7 Bureau | October 18, 2022 IST

ସାନଖେମୁଣ୍ଡି ୧୮/୧୦: ଅହାୟ ପୂଜା, ପିଲାଟି ବେଳୁ ନାହାନ୍ତି ବାପା। ବାପା ଆରପାରିକୁ ଗଲା ପରେ ମାଆ ଅନ୍ୟ ଜଣଙ୍କୁ ବିବାହ କରି ପୂଜାକୁ ଛାଡ଼ି ଚାଲିଗଲେ।ପୂଜାକୁ ଏବେ ୧୦ ବର୍ଷ। କିନ୍ତୁ ବର୍ତ୍ତମାନ ସୁଦ୍ଧା ପୂଜା ବିଦ୍ୟାଳୟକୁ ଯାଇପାରିନାହିଁ। ବହୁ ଦୁଃଖ କଷ୍ଟରେ ପୂଜା ଜୀବନ ଅତିବାହିତ କରୁଛି। ସେପଟେ ଏପରି ଏକ ସମ୍ୱେଦନଶୀଳ ଘଟଣା ବିଷୟରେ ସ୍ଥାନୀୟ ପ୍ରଶାସନ ପାଖରେ ଖବର ନାହିଁ। ଏଭଳି ଏକ ଘଟଣା ସାନଖେମୁଣ୍ଡି ବ୍ଲକର ଗୋବିନ୍ଦପୁର ଗାଁରେ ଦେଖିବାକୁ ମିଳିଛି।

ଖବର ଅନୁସାରେ,ପୁଜାଙ୍କ ବାପା କୃଷ୍ଣ ନାୟକ। ତାଙ୍କ ପରିବାରରେ କୃଷ୍ଣଙ୍କ ସ୍ତ୍ରୀ ଓ ପୂଜାଙ୍କୁ ମିଶାଇ ୩ ଝିଅ। ଏପରି ଭାବେ ଦୁଃଖ କଷ୍ଟରେ ତାଙ୍କ ପରିବାର ଚାଲୁଥିଲା। ୨୦୧୨ ରେ କୌଣସି କାରଣରୁ କୃଷ୍ଣଙ୍କ ମୃତ୍ୟୁ ପରେ ପରିବାରରେ କଳା ବାଦଲ ଘୋଟି ଆସିଥିଲା। ଏବେ କୃଷ୍ଣଙ୍କ ପରିବାର ପୁରା ଉଜୁଡ଼ି ଯାଇଛି। ପୂଜାଙ୍କ ମା ସାରଦା କୃଷ୍ଣଙ୍କ ମୃତ୍ୟୁ ପରେ ଆଉ ଜଣଙ୍କୁ ବିବାହ କରିଥିଲେ। କିନ୍ତୁ ଏପଟେ ୩ ଝିଅଙ୍କୁ ଏକା କରି ସାରଦା ଚାଲି ଯାଇଛନ୍ତି। ୩ ଝିଅଙ୍କ ମଧ୍ୟରୁ ମଝିଆ ଝିଅ ପ୍ରାଣ ହରାଇଛି। ବଡ଼ ଝିଅଙ୍କର ବାହାଘର ସରିଛି। କିନ୍ତୁ ଏବେ ସାନଝିଅ ପୂଜା ନାୟକ (୧୦) ବହୁ ଅସୁବିଧାର ସାମ୍ନା କରୁଛି।

ସେ ବହୁ କଷ୍ଟରେ ନିଜ ମାଉସି ସର୍ମଦା ନାୟକଙ୍କ ପାଖେ ରହୁଛନ୍ତି। ସର୍ମଦା ବର୍ତ୍ତମାନ ପୂଜାଙ୍କୁ ରଖି ବହୁ କଷ୍ଟରେ ଲାଳନ ପାଳନ କରୁଛନ୍ତି। କିନ୍ତୁ ସର୍ମଦାଙ୍କର ୩ଟି ପିଲା ଥିବାରୁ ସେ ପୂଜାଙ୍କୁ ବହୁ କଷ୍ଟରେ ଲାଳନ ପାଳନ କରୁଥିବା କହିଛନ୍ତି। ପୂଜାଙ୍କୁ ୧୦ ବର୍ଷ ହୋଇ ଥିଲେ ବି, ଏବେ ସୁଦ୍ଧା ମଧ୍ୟ ତାଙ୍କ ପାଖେ ଶିକ୍ଷା ଅପହଞ୍ଚ ରହିଛି। ଅନ୍ୟପଟେ ପୂଜାଙ୍କର ପଢ଼ିବା ପାଇଁ ବହୁତ ଆଗ୍ରହ ରହିଛି।

ଅର୍ଥାଭାବ ଓ ଗରିବିି କାରଣରୁ ପୂଜାର ଭବିଷ୍ୟତକୁ ନେଇ ଏବେ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ପୂଜା ମାତ୍ର ୬ ମାସ ହୋଇଥିବା ବେଳେ ବାପା କୃଷ୍ଣ ଦେହତ୍ୟାଗ କରିଥିଲେ। ଏପଟେ ମାଙ୍କୁ ଜାଣିବା ପୂର୍ବରୁ ମା ଅନ୍ଯଜଣଙ୍କ ସହିତ ବିବାହ କରି ଚାଲିଯାଇଥିଲେ। ସେବେଠାରୁ ପୂଜା ବାପା ମା ଛେଉଣ୍ଡ। ସାହି ପଡ଼ିଶା ପିଲାମାନେ ବିଦ୍ୟାଳୟ ଯିବା ଓ ବାପା ମାଙ୍କ ପାଖେ ସ୍ନେହ ଆଦର ପାଇବା ଦେଖି ପୁଜା ଆଖିରୁ ଏବେ ଲୁହ ଝରାଉଛନ୍ତି। କାନ୍ଦିବା ଛଡ଼ା ତାଙ୍କ ପାଖେ ଅନ୍ୟ କିଛି ଉପାୟ ମଧ୍ୟ ନାହିଁ। ଏବେ ପ୍ରଶ୍ନ ଉଠୁଛି ସରକାରଙ୍କ ଜନ୍ମଠୁ ମୃତୁ ପଯ୍ୟନ୍ତ ମାଳମାଳ ଯୋଜନା କିପରି ପୂଜା ପାଖରେ ପହଞ୍ଚିନି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.