ଚୌଦ୍ୱାର ୧୪।୯: ଜଗତପୁର ଠାରେ ଥିବା ଟାଙ୍ଗୀ-ଚୌଦ୍ଵାର ତହସିଲ୍ କାର୍ଯ୍ୟାଳୟକୁ ଟାଙ୍ଗୀକୁ ସ୍ଥାନାନ୍ତରଣ କରିବା ପ୍ରସ୍ତାବକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି । କଟକ-ଚୌଦ୍ଵାର, ଟାଙ୍ଗୀ-ସାଲେପୁର ଓ ଆଠଗଡ଼ ନିର୍ବାଚନମଣ୍ଡଳୀର କିଛି ପଞ୍ଚାୟତ ଓ ପୌରପାଳିକାର ୱାର୍ଡକୁ ନେଇ ୪୦ବର୍ଷ ଧରି ଏହି ତହସିଲ କାର୍ଯ୍ୟାଳୟ ରହିଛି । ଏହି କାର୍ଯ୍ୟାଳୟକୁ ଟାଙ୍ଗୀ ସ୍ଥାନାନ୍ତର ପାଇଁ ଟାଙ୍ଗୀ-ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଗତ ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ନାପସନ୍ଦ କରି ଶୁକ୍ରବାର ଚୌଦ୍ଵାର ରୂପଯାତ୍ରା ପଡ଼ିଆ ସ୍ଥିତ ୪୪ ମଣ୍ଡଳ ରାଜଦୋଳ ସମିତି ଗୃହରେ ଚୌଦ୍ଵାରର ବୁଦ୍ଧିଜୀବୀଙ୍କୁ ନେଇ ଦୀପକ ମଙ୍ଗରାଜଙ୍କ ପୌରାହିତ୍ୟରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ତଥା ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ରାଷ୍ଟ୍ରୀୟ ହିନ୍ଦ୍ ସେବକ ସଂଘ ସଭାପତି ଦାମୋଦର ସାହୁ, ଚୌଦ୍ଵାର ପୌରପାଳିକାର ଅଧ୍ୟକ୍ଷା ମାନସୀ ସ୍ବର୍ଣପ୍ରଭା ସାମଲ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । କୌଣସି ପରିସ୍ଥିତିରେ ଜଗତପୁରରୁ ତହସିଲ କାର୍ଯ୍ୟାଳୟକୁ ସ୍ଥାନାନ୍ତରଣ କରାଇ ଦିଆଯିବ ନାହିଁ ବୋଲି ଉପସ୍ଥିତ ବ୍ୟକ୍ତିବିଶେଷ ମତବ୍ୟକ୍ତ କରିଥିଲେ । ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ଵାଳ ଫୋନ୍ ଯୋଗେ ଆନ୍ଦୋଳନକୁ ସମର୍ଥନ କରିବା ସହିତ ତହସିଲ କାର୍ଯ୍ୟାଳୟକୁ ଜଗତପୁରରୁ ଟାଙ୍ଗୀକୁ ସ୍ଥାନାନ୍ତରଣ ନକରି ବରଂ ଟାଙ୍ଗୀରେ ଏକ ଉପ-ତହସିଲ କାର୍ଯ୍ୟାଳୟ ପ୍ରତିଷ୍ଠା କରାଗଲେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଥିଲେ ।
You Can Read:
ରବିବାର ଠାରୁ କଟକରେ ପ୍ରଥମ ପର୍ଯ୍ୟାୟ ଗଣେଶ ଭସାଣୀ ଉତ୍ସବ, ବିସର୍ଜନ ହେବେ ୩୬୮ ମୂର୍ତ୍ତି