ବିଦ୍ୟୁତ ଆଘାତରେ ଜଣଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ
25/05/2023 at 4:59 PM

ପାରାଦୀପ ୨୫।୫: ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ଓ ବେପରୁଆ ମନୋଭାବ ଯୋଗୁ ଚାଲିଯାଇଛି ଏକ ନିରୀହ ଜୀବନ l ଯାହାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ କଟକ-ପାରାଦୀପ ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି l ଯେପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ରାଶି ନ ମିଳିଛି ସେ ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରଖିବାକୁ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି l ପାରାଦୀପ ଉପକଣ୍ଠ ଭୁତମୁଣ୍ଡାଇ ପଞ୍ଚାୟତର ବରେଇ ଗ୍ରାମରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ବରେଇ ଗ୍ରାମର କଣ୍ଡୁରୀ ରାଉତ ବିଲକୁ ଆସିଥିବା ବେଳେ ବିଲ ଉପରେ ଅତି ବିପଜ୍ଜନକ ଭାବରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ଛିଣ୍ଡି କଣ୍ଡୁରୀ ରାଉତଙ୍କ ଉପରେ ପଡିଯାଇଥିଲା l ଯାହା ଫଳରେ ଘଟଣାସ୍ଥଳରେ କଣ୍ଡୁରୀଙ୍କର ମୃତ୍ୟୁ ଘଟିଥିଲା l ଖବର ପାଇ ସ୍ଥାନୀୟ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉତ୍ତେଜନା ଲାଗି ରହିଛି l

ଉତ୍ତ୍ୟକ୍ତ ଲୋକମାନେ କଟକ-ପାରାଦୀପ ରାଜରାସ୍ତା ଅବରୋଧ କରିବା ସହିତ ଯେପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ନ ମିଳିଛି ସେ ପର୍ଯ୍ୟନ୍ତ ମୃତ ଶରୀର ପଡିରହିବା ସହିତ ରାସ୍ତା ଅବରୋଧ ଜାରି ରଖିବା ନେଇ ଉତ୍ତ୍ୟକ୍ତ ଲୋକେ ଚେତାବନୀ ଦେଇଛନ୍ତି l ତେବେ ବିଲ ମଧ୍ୟରେ ଅତି ବିପଜ୍ଜନକ ଭାବରେ ତାରଗୁଡିକ ଯାଇଥିବା କାରଣରୁ ଏହିଭଳି ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ସ୍ଥାନୀୟ ସରପଞ୍ଚ ପ୍ରକାଶ କରିଛନ୍ତି l