ଭୁବନେଶ୍ବର ୧୨।୮: ନିର୍ବାଚନୀ ଇସ୍ତହାରରେ ବିଜେପି ଦେଇଥିବା ପ୍ରତିଶୃତି ପୂରଣ ନକରିବା ନେଇ ପ୍ରତିକ୍ରିୟା ରଖିଲେ ନବୀନ । ‘X’ରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟ୍ବିଟ୍ କରିଛନ୍ତି ।
ସେ ଲେଖିଛନ୍ତି, ବିଜେପି ତାର ନିର୍ବାଚନୀ ଘୋଷଣାପତ୍ରରେ ଭତ୍ତାଧାରୀଙ୍କୁ ୩,୦୦୦ ତଥା ୩,୫୦୦ ଟଙ୍କା ଭତ୍ତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲା । ଏଥିରେ ବୟସ୍କ, ଭିନ୍ନକ୍ଷମ, ବିଧବା ତଥା ନିରାଶ୍ରୟମାନେ ସାମିଲ ଥିଲେ । ହେଲେ ବଜେଟରେ କୁହାଯାଇଛି ଯେ, କେବଳ ୮୦ ବର୍ଷ ବୟସରୁ ଅଧିକ ବୟସ୍କ ଏବଂ ୮୦% ଅକ୍ଷମତା ଥିବା ଭିନ୍ନକ୍ଷମ ଏହି ବର୍ଦ୍ଧିତ ଭତ୍ତା ପାଇବେ । ୪୫,୦୦୦ କୋଟି ଟଙ୍କାର ଋଣ ନେଇ ମଧ୍ୟ ଘୋଷଣା ପାଳନ କରାଯାଉ ନାହିଁ । ଏଥିରୁ ପୁରା ସ୍ପଷ୍ଟ ହେଉଛି, ବିଜେପିର ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ଭତ୍ତାଧାରୀ ବୟସ୍କ ତଥା ସମସ୍ତ ଓଡ଼ିଶାବାସୀଙ୍କ ସହ ପ୍ରତାରଣା ହୋଇଛି । ଏପରି ପ୍ରତାରଣା ଲୋକଙ୍କ ଭିତରେ ଜନ ଅସନ୍ତୋଷ ବଢ଼ାଇଛି । ଏନେଇ ୧୬ ଅଗଷ୍ଟରୁ ବିଜେଡି ଜନଜାଗରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ପ୍ରତି ପଞ୍ଚାୟତରେ ଏନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ । ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ବିଜେଡି ଆଗକୁ ବାହାରିବ । ପ୍ରତିଟି କର୍ମୀ ତଥା ସଚେତନ ନାଗରିକ ଏଥିରେ ସାମିଲ ହୋଇ ଲୋକଙ୍କୁ ବିଜେପିର ପ୍ରତାରଣା ବିଷୟରେ ଜାଗ୍ରତ କରିବେ । ମୁଁ ଆଶା କରୁଛି, ବିଜେପି ଓଡ଼ିଶାର ଲୋକଙ୍କୁ ଭୁଆଁ ନ ବୁଲେଇ, ପ୍ରଦାନ କରିଥିବା ପ୍ରତିଶ୍ରୁତି ପାଳନ କରିବ । ବିଜେପି ନିଜ ପ୍ରତିଶ୍ରୁତି ପୂରଣ ନ କରିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ନିକଟରେ ଏହାକୁ ପହଞ୍ଚାଇବା ପାଇଁ ବିଜେଡି ସର୍ବଦା ନିଜର ଅଭିଯାନ ଜାରି ରଖିବ ।
You Can Read:
ଭୂମିହୀନଙ୍କୁ ଜମି ପଟ୍ଟା ଦେବେ ସରକାର, ମନ୍ତ୍ରୀ କହିଲେ- ୫ବର୍ଷ ପରେ ରାଜ୍ୟରେ କେହି ରହିବେନି ଭୂମିହୀନ ଓ ବାସହୀନ