ଆଥଲେଟିକ୍ ଆକାଡେମୀରେ ଚାଲିଛି ଜବରଦସ୍ତି ଅଧିଗ୍ରହଣ ଓ ଗୁଣ୍ଡାଗର୍ଦ୍ଦି: IOA ଅଧ୍ୟକ୍ଷ ପିଟି ଉଷା
4/02/2023 at 6:35 PM

ନୂଆଦିଲ୍ଲୀ: କିମ୍ବଦନ୍ତୀ ଆଥଲେଟ ତଥା ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ପିଟି ଉଷାଙ୍କ ବଡ଼ ଅଭିଯୋଗ। କେରଳର ‘ଉଶା ସ୍କୁଲ୍ ଅଫ୍ ଅଥ୍ଲେଟିକ୍ସ’ରେ ଜବରଦସ୍ତି ଅଧିଗ୍ରହଣ ସହ ଚାଲିଛି ଗୁଣ୍ଡାଗର୍ଦ୍ଦି। ଆଜି ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ପିଟି ଉଷା। ଏହା ବିରୋଧରେ ସେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କୁ ଅଭିଯୋଗ ମଧ୍ୟ କରିଛନ୍ତି।
କେରଳରେ ଥିବା ‘ଉଶା ସ୍କୁଲ୍ ଅଫ୍ ଅଥ୍ଲେଟିକ୍ସ’ରେ ଦେଶରୁ ହଜାର ହଜାର ପିଲା ଆଥ୍ଲେଟ୍ ପାଇଁ ପ୍ରଶିକ୍ଷଣ ନେଉଛନ୍ତି। ଦେଶର ଦକ୍ଷ ଆଥଲେଟ୍ ଗଢ଼ି ତୋଳିବା ପାଇଁ ୨୦୦୨ରେ ଏହି ସଂସ୍ଥାନ ସ୍ଥାପନା କରାଯାଇଥିଲା। ଏହି ସଂସ୍ଥାନରେ ଗୁଣ୍ଡାଗର୍ଦ୍ଦି ଚାଲିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଉଷା। ସେ ଗତବର୍ଷ ରାଜ୍ୟସଭା ସଂସଦ ଭାବେ ମନୋନୀତ ହେବା ପରେ ଏଠାରେ ଗୁଣ୍ଡାଗର୍ଦ୍ଦି ଜାରି ରହିଛି ବୋଲି ଉଷା କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ଦେବା ବେଳେ ନିଜର କୋହ ସମ୍ଭାଳିପାରି ନଥିଲେ ଉଷା। ତାଙ୍କ ଆଥଲେଟ୍ ସଂସ୍ଥାର ଥିବା ମହିଳା ଖେଳାଳିମାନଙ୍କ ସୁରକ୍ଷା ପାଇଁ ସେ ଚିନ୍ତିତ ବୋଲି ଉଷା କହିଛନ୍ତି। ଅତୀତରେ ସେ ଆକାଡେମୀ ଚାରିପଟେ ପାଚେରି ନିର୍ମାଣ କରିବାକୁ ଉଦ୍ୟମ କରିଥିଲେ। ହେଲେ ସରକାରୀ ଆର୍ଥିକ ସହଯୋଗ ନ ମିଳିବାରୁ ଏହା ହୋଇପାରି ନଥିଲା।
ନିକଟରେ କିଛି ଲୋକ ସଂସ୍ଥା ଭିତରେ ପଶି ଜବରଦସ୍ତି ନିର୍ମାଣ କାର୍ଯ୍ୟ କରୁଥିଲେ। ବିରୋଧ କରିବାରୁ ସେ ପାନାନଗଡ଼ ପଞ୍ଚାୟତର ଅନୁମତି ନେଇ ନିର୍ମାଣ କରୁଥିବା କହିବା ସହ ଦୁର୍ବ୍ୟବହାର କରିଥିଲେ। ଏହାପରେ ପୁଲିସକୁ ଖବର ଦେବାରୁ ନିର୍ମାଣ କାମ ସ୍ଥଗିତ ରଖାଯାଇଥିଲା ବୋଲି ଉଷା କିଛିଦିନ ତଳେ ଅଭିଯୋଗ କରିଥିଲେ।
ଉଷା ଅଭିଯୋଗ କରି କହିଛନ୍ତି ଯେ ବାଲୁସେରୀରେ ୩୦ ଏକର ଜମିରେ ତିଆରି ହୋଇଥିବା ଏହି ସଂସ୍ଥାନ ପରିସରକୁ ନିଶାଶକ୍ତ ଯୁବକ ଯୁବତୀମାନେ ରାତିରେ ପଶି ଆସି ହଙ୍ଗାମା କରୁଛନ୍ତି। ଏହି ଆଥ୍ଲେଟିକ୍ ସ୍କୁଲ୍ର ଅନେକ ସ୍ଥାନକୁ ଅଳିଆ ଗଦା ଭଳି ବ୍ୟବହାର କରାଯାଉଛି। ଏନେଇ ବାରମ୍ବାର ଆମେ କେରଳ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଆସିଛୁ। ମହିଳା ଖେଳାଳିଙ୍କୁ ସୁରକ୍ଷା ଆମ ଗୁରୁତ୍ୱପୂର୍ଣ୍ଣ ବୋଲି ଉଷା କହିଛନ୍ତି।