ଅମିତ୍ ଶାହାଙ୍କ ଉପରେ ଟିଏମସିର ହମଲା- ଅଭିଯୋଗ ସାବ୍ୟସ୍ତ କର, ନଚେତ୍ କ୍ଷମା ମାଗ
9/05/2020 at 4:40 PM

କୋଲକାତା ୦୯।୦୫: କରୋନା ଲକ୍ଡାଉନ୍ ସମୟରେ ପଶ୍ଚିମବଙ୍ଗରେ ପ୍ରବାସୀଙ୍କ ଟ୍ରେନର ପ୍ରବେଶକୁ ରୋକିବା ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ମମତା ବାନାର୍ଜୀଙ୍କୁ ଚିଠି ଲେଖି ଆରୋପ ଲଗାଇଥିଲେ। ସେ କହିଥିଲେ ଯେ, ଟିଏମସି ସରକାର ପ୍ରବାସୀଙ୍କ ଟ୍ରେନ୍କୁ ରାଜ୍ୟରେ ଆସିବାକୁ ଦେଉ ନାହିଁ। ଏହା ଅନ୍ୟାୟ ଅଟେ। ଏହା ପରେ ପରେ ମମତାଙ୍କ ପାର୍ଟି ତୃଣମୂଳ କଂଗ୍ରେସ ଅମିତ୍ ଶାହାଙ୍କୁ ଟାର୍ଗେଟ୍ କରିଛି। ଟିଏମସି କହିଛି ଶାହା ଆରୋପ ସାବ୍ୟସ୍ତ କରନ୍ତୁ ନଚେତ୍ କ୍ଷମା ମାଗନ୍ତୁ। ଗୃହ ମନ୍ତ୍ରୀ ଏହା ଉପରେ ନିରବ ରହିବା ପରେ ମିଥ୍ୟା କହି ଲୋକଙ୍କୁ ଭ୍ରମିତ କରୁଛନ୍ତି। ତୃଣମୂଳ କଂଗ୍ରେସର ଅଭିଷେକ ବାନାର୍ଜୀ କହିଛନ୍ତି ଶାହା ସେହି ଲୋକଙ୍କ କଥା କହୁଛନ୍ତି, ଯାହାଙ୍କୁ କେନ୍ଦ୍ର ଭାଗ୍ୟ ଭରସାରେ ଛାଡି ଦେଇଛି।
ସେ ଟୁଇଟ୍ କରିଛନ୍ତି, ଏହ ସଙ୍କଟ ସମୟରେ ନିଜର କର୍ତ୍ତବ୍ୟ ପାଳନ କରିବାରେ ବିଫଳ ଗୃହ ମନ୍ତ୍ରୀ ସପ୍ତାହେ ଧରି ନିରବ ରହିବା ପରେ କେବଳ ମିଛ କହି ଲୋକଙ୍କୁ ଭ୍ରମିତ କରୁଛନ୍ତି। ବିଡମ୍ବନା ଏହା ଯେ, ଏମିତି ଲୋକଙ୍କ ବିଷୟରେ ମୁଁ କହୁଛି, ଯାହାଙ୍କୁ କେନ୍ଦ୍ର ସରକାର ଭାଗ୍ୟ ଭରସାରେ ଛାଡି ଦେଇଛି। ଅମିତ୍ ଶାହା ନିଜର ମିଥ୍ୟା ପ୍ରମାଣିତ କରନ୍ତୁ ନଚେତ୍ କ୍ଷମା ମାଗନ୍ତୁ।

ଉଲ୍ଲେଖନୀୟ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି କହିଥିଲେ ଯେ, ପଶ୍ଚିମବଙ୍ଗ ସରକାର ପ୍ରବାସୀ ଶ୍ରମଜୀବୀଙ୍କୁ ନେଇ ଯାତ୍ରା କରୁଥିବା ଟ୍ରେନକୁ ରାଜ୍ୟରେ ପ୍ରବେଶ କରିବାକୁ ଅନୁମତି ଦେଉ ନାହିଁ। ଏଥିର ଶ୍ରମିକଙ୍କ ଲାଗି ବହୁ ଅସୁବିଧା ହେଉଛି।
ଦେଶର ବିଭିନ୍ନ ଅଞ୍ଚଳକୁ ଅଲଗା ଅଲଗା ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ପ୍ରବାସୀ ଶ୍ରମଜୀବୀଙ୍କୁ ନେଇ ଯିବା ଲାଗି ରେଲଓ୍ଵେ ପକ୍ଷରୁ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ ହେଉଛି। ଗୃହ ମନ୍ତ୍ରୀ କହିଛନ୍ତି ଦୁଇ ଲକ୍ଷରୁ ଅଧିକ ଶ୍ରମ ଜୀବୀଙ୍କୁ ଟ୍ରେନ୍ ଜରିଆରେ ଘର ପହଞ୍ଚାଇବା ଅଭିଯାନ ଜାରି ରହିଛି।