ସପ୍ତାହେ ଧରି ଅନ୍ଧାରରେ ପିଓକେ ଏବଂ ଗିଲଗିଟ୍-ବାଲ୍ଟିସ୍ତାନ, ରାସ୍ତାକୁ ଓହ୍ଲାଇଲେ ଲୋକେ
7/02/2023 at 4:53 PM

ନୂଆଦିଲ୍ଲୀ: ପାକିସ୍ତାନ କବଜାରେ ଥିବା କାଶ୍ମୀର ଏବଂ ଗିଲଗିଟ୍ ବାଲ୍ଟିସ୍ତାନରେ ଖାଦ୍ୟାନ୍ନର ଅଭାବ ମଧ୍ୟରେ ଏବେ ବିଜୁଳି ସଂକଟ ଭୟଙ୍କର ହୋଇଛି । ପାକିସ୍ତାନର ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ ଗିଲଗିଟ୍ ସହରର ଅନେକ ଅଞ୍ଚଳରେ ଗତ ଏକ ସପ୍ତାହ ଧରି ବିଜୁଳି ନାହିଁ । ସରକାରଙ୍କ ବିରୋଧରେ ଏବେ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି ।
ପ୍ରଦର୍ଶନ ଯୋଗୁଁ ଅନେକ ସହରରେ ଯାତାୟାତର ଠପ ହୋଇଯାଇଛି । ପାକିସ୍ତାନୀ ମିଡିଆ ଅନୁସାରେ ବିଜୁଳି ସେବା ସ୍ୱଭାବିକ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ପ୍ରଦର୍ଶନକାରୀ ଚେତାବନୀ ଦେଇଛନ୍ତି । ଏହାସହ ରାଜପଥ ଗୁଡିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ।
ପ୍ରଦର୍ଶନରେ ସାମିଲ ସ୍ଥାନୀୟ ଲୋକମାନେ ପାକିସ୍ତାନ ସେନା ଉପରେ ମଧ୍ୟ ଅନେକ ଅଭିଯୋଗ ଆଣିଛନ୍ତି । ସ୍ଥାନୀୟ ଅଞ୍ଚଳରେ ପାକିସ୍ତାନ ସେନା ବଡ଼ ଧରଣରେ ବେଆଇନ ଭାବେ ଜମି ଅଧିଗ୍ରହଣ କରିବା ସହ ଖଣିଜ ସମ୍ପଦକୁ କବଜା କରିଥିବା ପ୍ରଦର୍ଶନକାରୀ ଅଭିଯୋଗ ଆଣିଛନ୍ତି । ପ୍ରଦର୍ଶନକାରୀଙ୍କ କହିବା ଅନୁସାରେ, ଆର୍ଥିକ କରିଡୋର ନାଁରେ ଚୀନ ଏବଂ ପାକିସ୍ତାନର ବ୍ୟବସାୟୀ ସଂସ୍ଥା ଗୁଡିକ ଏହି ଅଞ୍ଚଳର ଖଣିଜ ସମ୍ପଦ ଗୁଡିକୁ ଲୁଟୁଛନ୍ତି । ଦ ଟାଇମ୍ସ ଅଫ୍ ଇସ୍ରାଏଲ ଅନୁସାରେ, ଗିଲଗିଟ୍ ବାଲ୍ଟିସ୍ତାନରେ ସେନା ଦ୍ୱାରା ଜମି ଅକ୍ତିଆରକୁ ନେଇ ଲୋକମାନେ ପ୍ରଶାସନ ଏବଂ ସଂଘୀୟ ସରକାରର ବିରୋଧ କରୁଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ଏକ ଭୟଙ୍କର ଆର୍ଥିକ ସଂକଟ ଦେଇ ଗତି କରୁଛି । ଦେଶରେ ଅଟା ଏବଂ ଦୈନନ୍ଦିନ ଜୀବନରେ ବ୍ୟବହୃତ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହୋଇଛି । ନାଗରିକଙ୍କୁ ସବସିଡିରେ ଗହମ ଉପଲବ୍ଧ କରାଯାଉଥିବା ସରକାରୀ ଡିପୋ ଗୁଡିକୁ ବନ୍ଦ କରି ଦିଆଯାଇଛି । ପାକିସ୍ତାନୀ ମିଡିଆ ଅନୁସାରେ ଗୋଟିଏ ଦିନରେ ଗହମର ମୂଲ୍ୟ ୧,୨୦୦ ଟଙ୍କା ଯାଏ ବଢିଥିଲା ।