ଫିଲ୍ମ ପୃଥ୍ୱୀରାଜକୁ ବିରୋଧ: ବିକ୍ଷୋଭ ପ୍ରଦର୍ଶନ ସହ ଖିଲାଡୀ ଷ୍ଟାରଙ୍କ କୁଶପୁତ୍ତଳିକା ଦାହ, ନାରାବାଜିରେ କମ୍ପିଲା ପରିବେଶ

Published By : Prameya-News7 Bureau | June 18, 2021 IST

ନୂଆଦିଲ୍ଲୀ ୧୮/୦୬: ବଲିଉଡର 'ଖିଲାଡି' ଅକ୍ଷୟ କୁମାରଙ୍କ ଫିଲ୍ମ 'ପୃଥ୍ୱୀରାଜ' ଘୋଷଣା ହେବା ଦିନଠାରୁ ଚର୍ଚ୍ଚାରେ ରହିଆସିଛି। ଅକ୍ଷୟଙ୍କ ଏହି ଫିଲ୍ମ ମହାନ ରାଜା ରାଜପୁତ ପୃଥ୍ୱୀରାଜ ଚୌହାନଙ୍କ ଜୀବନ ଉପରେ ଆଧାରିତ। ଏହି ଫିଲ୍ମରୁ ପୂର୍ବ ମିସ୍ ୱାର୍ଲ୍ଡ ମାନୁଷୀ ଛିଲର୍ ବଲିଉଡରେ ଡେବ୍ୟୁ କରୁଛନ୍ତି, କିନ୍ତୁ ଫିଲ୍ମଟି ବର୍ତ୍ତମାନ ସମସ୍ୟା ମଧ୍ୟରେ ଘେରି ରହିଛି। ନିକଟରେ କରଣୀ ସେନା ଫିଲ୍ମର ଟାଇଟଲ୍ ଉପରେ ଆପତ୍ତି ଉଠାଇଥିଲେ। ବର୍ତ୍ତମାନ ଫିଲ୍ମର ନାମ ଉପରେ ଅଖିଳ ଭାରତୀୟ କ୍ଷତ୍ରିୟ ମହାସଭା ଆପତ୍ତି କରିଛନ୍ତି।

{"width":661,"height":371}
Biotech firm Mylab signs Akshay Kumar as brand ambassador

ସୂଚନା ଅନୁଯାୟୀ, ଗୁରୁବାର ଦିନ ଚଣ୍ଡିଗଡ଼ରେ କ୍ଷତ୍ରିୟ ମହାସଭାର ନେତୃତ୍ୱାଧୀନ ଫିଲ୍ମ 'ପୃଥ୍ୱୀରାଜ' ବିରୋଧରେ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି ଏବଂ ନାରାବାଜି ସହ ଅକ୍ଷୟ କୁମାରଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । କ୍ଷତ୍ରିୟ ମହାସଭା ସହ ଜଡିତ ଲୋକମାନେ କହିଛନ୍ତି ଯେ ଏହି ଫିଲ୍ମର ନାମ 'ହିନ୍ଦୁ ସମ୍ରାଟ ପୃଥ୍ୱୀରାଜ ଚୌହାନ' କିମ୍ବା 'ସମ୍ରାଟ ପୃଥ୍ୱୀରାଜ ଚୌହାନ' ହେବା ଉଚିତ। ସେମାନଙ୍କ କହିବା କଥା ଫିଲ୍ମର ନାମ କେବଳ 'ପୃଥ୍ୱୀରାଜ ' ହେବା ଉଚିତ ନୁହେଁ, ବରଂ ତାଙ୍କୁ ସମ୍ମାନ ଦେଇ ତାଙ୍କର ସମ୍ପୂର୍ଣ୍ଣ ନାମ ହେବା ଉଚିତ୍। ଏହା ବ୍ୟତୀତ ସଂଗଠନ ସହ ଜଡିତ ଲୋକମାନେ କହିଛନ୍ତି ଯେ ଫିଲ୍ମ ରିଲିଜ ହେବା ପୂର୍ବରୁ କ୍ଷତ୍ରିୟ ଏବଂ ରାଜପୁତ ସମାଜର ପ୍ରତିନିଧୀମାନଙ୍କୁ ଏହି ଫିଲ୍ମ ଦେଖାଇବା ଉଚିତ, ଯାହାଫଳରେ ସେମାନେ ଜାଣିପାରିବେ ଯେ ଫିଲ୍ମରେ କୌଣସି ବିବାଦ ନାହିଁ।

ଯଦି ଏପରି ନହୁଏ, ତେବେ 'ପଦ୍ମାବତ୍' ଏବଂ 'ଯୋଦ୍ଧା ଆକବର' ଭଳି ଏହି ଫିଲ୍ମ ବିରୋଧରେ ସମାନ ପ୍ରଦର୍ଶନ କରାଯିବ ବୋଲି ସେମାନେ କହିଛନ୍ତି। ଏହି ଫିଲ୍ମରେ ଅକ୍ଷୟ କୁମାର ମୁଖ୍ୟ ଭୂମିକା ଅର୍ଥାତ୍ ପୃଥ୍ୱୀରାଜ ଭୂମିକାରେ ଅଭିନୟ କରୁଥିବା ବେଳେ ମାନୁଷୀ ଛିଲର ପୃଥ୍ୱୀରାଜ ଚୌହ୍ୱାନଙ୍କ ପତ୍ନୀ ସନ୍ଜୁକ୍ତା ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମଟି ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ନିର୍ମିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.