କୋଲ୍କାତା ୧୩/୯: ଆର୍.ଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା । ଡାକ୍ତରଙ୍କ ଆନ୍ଦୋଳନ ଥମିବା ବଦଳରେ ବଢି ବଢି ଚାଲିଛି । ମାମଲାରେ ହସ୍ତକ୍ଷେପ କରିବାକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଆନ୍ଦୋଳନରେ ବସିଥିବା ଡାକ୍ତର ।୪ ପୃଷ୍ଠାର ଚିଠି ରାଷ୍ଟ୍ରପତିଙ୍କୁ ପଠାଇବା ସହ ଏହାର କପିକୁ ପ୍ରଧାନମନ୍ତ୍ରୀ ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନକର ଓ ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କ ପାଖକୁ ପଠାଇଛନ୍ତି ।
ସେଥିରେ ଲେଖା ହୋଇଛି ଦେଶର ମୁଖିଆ ହିସାବରେ ଆମେ ଏହି ପ୍ରସଙ୍ଗକୁ ଆପଣଙ୍କ ଆଗରେ ରଖୁଛୁ । ଭୟଙ୍କର ଅପରାଧର ଶିକାର ହୋଇଥିବା ଆମ ସହକର୍ମୀଙ୍କ ନ୍ୟାୟ ମିଳିବାର ଆଶା ରଖିଛୁ । ଏପରି ଏକ କଠିନ ସମୟରେ ଆପଣଙ୍କ ହସ୍ତକ୍ଷେପ ଆମ ସମସ୍ତଙ୍କ ପାଇଁ ଆଶାର କିରଣ ହେବ । ଆମ ଚାରିପଟେ ଘେରି ରହିଥିବା ଅନ୍ଧକାରକୁ ମୁକୁଳିବା ପାଇଁ ଏହା ରାସ୍ତା ଦେଖାଇବ । ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲୋଚନା କରିବାକୁ ଡାକିଲେ ମଧ୍ୟ ସେମାନେ ଯାଉନାହାନ୍ତି । ଲଗାତର ତୃତୀୟ ଦିନ ପାଇଁ ଆଲୋଚନା ହୋଇନପାରିବାରୁ ଇସ୍ତଫା ଦେବାକୁ ରାଜି ଥିବା ଘୋଷଣା କରିଛନ୍ତି ମମତା । ଘଟଣାରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପ୍ରତିକ୍ରିୟା ରଖିଥିଲେ । ସେ ଏହାକୁ ଅତ୍ୟନ୍ତ ଭୟଙ୍କର ଓ ସେ ବିଚଳିତ ବୋଲି କହିଥିଲେ ।