ସତ ହେଲା କି ରାଜନାଥ ସିଂହଙ୍କ କଥା ? ସୀମା ସେପଟୁ ପିଓକେରୁ ତେଜିଲା ଆନ୍ଦୋଳନ

Published By : Prameya-News7 Bureau | May 12, 2024 IST

internet

ନୂଆଦିଲ୍ଲୀ: ନିକଟରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ପିଓକେକୁ ଭାରତରେ ମିଶାଇବାକୁ ଭାରତ ସରକାରଙ୍କୁ ସେନାର ଆବଶ୍ୟକତା ପଡ଼ିବ ନାହିଁ। ଦିନେ ପିଓକେରୁ ପାକିସ୍ତାନ ବିରୋଧରେ ସ୍ୱର ଉଠିବ। ଏହା ଆନ୍ଦୋଳନର ରୂପ ନେବ। ଆଉ ପିଓକେବାସୀ ଭାରତରେ ମିଶିବାକୁ ନିଜେ ଦାବି କରିବେ। ବର୍ତ୍ତମାନ ତାହା ଘଟିଛି। ରାଜନାଥଙ୍କ କହିବା ଭଳି ଯଦିଓ ଏହି ଆନ୍ଦୋଳନ ଭାରତରେ ମିଶିବା ପାଇଁ ନୁହେଁ, ତେବେ ମହଙ୍ଗା ବଜାର ଅତ୍ୟଧିକ ଟ୍ୟାକ୍ସ, ବିଜୁଳି ଅଭାବ ଯୋଗୁ ସେଠାକାର ଲୋକେ ଅତିଷ୍ଠ ହୋଇ ପାକିସ୍ତାନ ସରକାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି।


ଏହି ଆନ୍ଦୋଳନ ପିଓକେ ରାଜଧାନୀ ମୁଜାଫରବାଦରେ ହେଉଛି। ହେଲେ ସବୁଥର ପରି ଏଥର ବି ପାକିସ୍ତାନ ସୈନ୍ୟ ଶକ୍ତି ଲଗାଇ ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରୁଛି। ଦାଦ୍ୟାଲ, ମୀରପୁର, ସମାହନି, ଶେହନ୍‌ସା, ରାୱାଲକୋଟ, ଖୁଇରତ୍ତା, ତତ୍ତାପନୀ ଏବଂ ହତ୍ତିଆନ ବାଲାରେ ବିକ୍ଷୋଭକାରୀ, ଓ ଜାମ୍ମୁ-କାଶ୍ମୀର ସେନା ମଧ୍ୟରେ ଲଢ଼େଇ ହୋଇଛି। ତେବେ ଏହି ଆନ୍ଦୋଳନରେ ବିକ୍ଷୋଭକାରୀମାନେ ଭାରତର ତ୍ରିରଙ୍ଗା ପତାକା ଉଡ଼ାଉଥିବାର ଦେଖିବାକୁ ମିଳିଛି। ଦୋକାନ ବଜାରରେ ଭାରତୀୟ ପତାକାକୁ ମରାଯାଇଛି। ଲେଖାଯାଇଛି ଖୁଦ୍‌ମୁଖତାରୀ କିମ୍ବା ହିନ୍ଦୁସ୍ତାନ। ଯାହାର ଅର୍ଥ ହେଲା ଆମେ ସ୍ୱାଧୀନ ହେବାକୁ ଚାହୁଁଛୁ ନହେଲେ ଭାରତରେ ମିଶିବାକୁ ଚାହୁଁଛୁ। 


ଜାମ୍ମୁ ଓ କାଶ୍ମୀର ଯୁଗ୍ମ ଆୱାମୀ ଆକ୍‌ସନ କମିଟି(ଜେକେଜେଏଏସି) ମୁଜାପରାବାଦରେ ଏହି ବନ୍ଦ ଡାକରା ଦେଇଛି। ଆନ୍ଦୋଳନକୁ ଭାଙ୍ଗିବା ପାଇଁ ପୁଲିସ ଲୁହାବୁହା ଗ୍ୟାସ୍‌ର ବ୍ୟବହାର କରୁଛି। ଆୱାମୀ ଆକ୍ସନ କମିଟି ମଙ୍ଗଳା ଡ୍ୟାମ୍ ପାଇଁ କରମୁକ୍ତ ବିଜୁଳି, ଓ ଅଟା ପାଇଁ ସବ୍‌ସିଡି ଦାବି କରୁଛନ୍ତି। ତେବେ ଆନ୍ଦୋଳନ ସମ୍ପର୍କରେ ଆୱାମୀ ଆକ୍ସନ କମିଟି ପୂର୍ବରୁ ସୂଚନା ଦେଇଥିଲା। ମେ ୧୧ ତାରିଖରେ ଆନ୍ଦୋଳନ କରାଯିବ ବୋଲି କମିଟି କହିଥିଲା।

ପାକିସ୍ତାନ ସରକାର ପୁଲିସ ଓ ସେନା ଯବାନ ଲଗାଇ ଆନ୍ଦୋଳନ ବନ୍ଦ କରିବାକୁ ଚେଷ୍ଟା କରୁଥିବା ବେଳେ ଆନ୍ଦୋଳନକାରୀମାନେ ପୁଲିସକୁ ପିଟି ପିଟି ସେଠାରୁ ବିଦା କରିଦେଉଥିବା ଦେଖିବାକୁ ମିଳିଛି। ସୋସିଆଲ୍ ମିଡିଆରେ ଏହାର ଫଟୋ ଓ ଭିଡିଓ ଭାଇରାଲ୍ ବି ହେଉଛି। ପାକିସ୍ତାନ ସରକାର ମଧ୍ୟ ଅତିରିକ୍ତ ସେନା ଯବାନ ମୁତୟନ କରି ଆନ୍ଦୋଳନ ଦମନ କରିବାକୁ ପାଇଁ ପୂରା ଜୋର୍ ଲଗାଇ ଦେଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.