ଇନ୍ଦୋର: ରିଲିଜ୍ ପୂର୍ବରୁ ବିବାଦରେ ଶାହାରୁଖ ଖାନ୍ଙ୍କ ଫିଲ୍ମ ପଠାନ। ସିନେମାକୁ ବ୍ୟାନ୍ କରିବାକୁ ଆରମ୍ଭ ହୋଇଗଲାଣି ବିକ୍ଷୋଭ, ରାଲି ଓ କୁଶପୁତ୍ତିଳିକା ଦାହ ସିନ୍। ଫିଲ୍ମକୁ ବିରୋଧ କରି ମଧ୍ୟପ୍ରଦେଶ ଇନ୍ଦୋରରେ ଶାହାରୁଖ ଖାନ୍ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଫିଲ୍ମର ପ୍ରଥମ ଗୀତ ବେଶରମ ରଙ୍ଗକୁ ନେଇ ଜୋର୍ଦାର ବିରୋଧ କରାଯାଇଛି। ଏଥିରେ ଅଶ୍ଳିଳତା ରହିଛି ବୋଲି ଅଭିଯୋଗ ହେଉଛି। ବିଶେଷ କରି ଗେରୁଆ ବସ୍ତ୍ର ପିନ୍ଧି ଦୀପିକା ପାଦୁକୋନ ଏଭଳି ନୃତ୍ୟ କରିବାକୁ ନାପସନ୍ଦ କରିଛନ୍ତି ବିକ୍ଷୋଭକାରୀ।
ବୀର ଶିବାଜୀ ଗ୍ରୁପର କର୍ମୀମାନେ ଏକାଠି ହୋଇ ନାରାବାଜି କରିବା ସହିତ ରାସ୍ତାରେ ଏକାଠି ହୋଇ ଦୀପିକା ଓ ଶାହାରୁଖ ଖାନ୍ଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଜାନୁଆରୀ ୧୫ ତାରିଖରେ ମୁକ୍ତିଲାଭ କରିବାକୁ ଥିବା ବେଳେ ଫିଲ୍ମକୁ ବ୍ୟାନ୍ କରିବାକୁ ସେମାନେ ଦାବି କରିଛନ୍ତି। ବେଶରମ ରଙ୍ଗ ଗୀତରେ ହିନ୍ଦୁ ସମ୍ପ୍ରଦାୟକୁ ଅପମାନିତ କରାଯାଇଛି ବୋଲି ସେମାନେ ଦାବି କରିଛନ୍ତି।
ଏହା ପୂର୍ବରୁ ଆଜି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଫିଲ୍ମର ଗୀତକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଯଦି ଏଥିରେ ସଂଶୋଧନ କରା ନଗଲା ତେବେ ଫିଲ୍ମକୁ ମଧ୍ୟ ପ୍ରଦେଶରେ ରିଲିଜ୍ କରିଦିଆଯିବ ନାହିଁ ବୋଲି ପରୋକ୍ଷରେ ଚେତାବନୀ ବି ଦେଇଥିଲେ। ଏନେଇ ସେ କହିଥିଲେ “ ଗୀତରେ କଳାକାରଙ୍କ ବେଶଭୂଷା ଓ ପ୍ରଥମ ଦୃଶ୍ୟ ବହୁତ ଆପତ୍ତିଜନକ। ଦୂଷିତ ମାନସିକତାକୁ କାରଣରୁ ଏହାକୁ ଶୁଟ୍ କରାଯାଇଛି। ଏମିତିରେ ଦୀପିକା ପାଦୁକୋନ ଟୁକଡେ ଟୁକଡେ ଗ୍ୟାଙ୍ଗଙ୍କର ସମର୍ଥକ ରହିଛନ୍ତି। ତେଣୁ ଏଥିପାଇଁ ମୁଁ ନିବେଦନ କରୁଛି ଯେ ଏହାର ଦୃଶ୍ୟକୁ ସଂଶୋଧନ କରନ୍ତୁ। ଅନ୍ୟଥା ଫିଲ୍ମଟି ମଧ୍ୟପ୍ରଦେଶରେ ରିଲିଜ୍ ହେବ କି ନାହିଁ ତାହା ବିଚାର କରାଯିବ।”