ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଘେରଉ; ଆଇଆଇସିଙ୍କ ପ୍ରତିଶୃତି ପରେ ହଟିଲା ଧାରଣା
27/01/2023 at 4:31 PM

କେନ୍ଦ୍ରାପଡ଼ା ୨୭/୦୧: ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରଉ କଲେ ଗାଁ ଲୋକ। ସାମାନ୍ୟ ଭଲି ଖେଳକୁ ନେଇ ୨ ସାଙ୍ଗ ଅନ୍ୟ ଜଣେ ସାଙ୍ଗକୁ କଲେ ହତ୍ୟା। ପରେ ସେମାମନେ ଫେରାର ହୋଇଯାଇଛନ୍ତି। ଏପରି ହତ୍ୟା ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଥାନା ଅନ୍ତର୍ଗତ ଛେଡାକଣୀ ଗାଁରେ ହୋଇଛି।
ଖବର ଅନୁସାରେ, ଛେଡାକଣୀ ଗାଁର ମୃତ ପ୍ରିୟରଞ୍ଜନ ରାଉଳ ଜେକେବିକେ କଲେଜ କଟକରେ ପଢୁଥିଲେ। ସେହି ଗାଁର ରୁଦ୍ରନାରାୟଣ ରାଉତ, ବ୍ରିଜେଶ ରାଉତଙ୍କ ମଧ୍ୟରେ ତାଙ୍କର ଘନିଷ୍ଠ ବନ୍ଧୁତା ଥିଲା। ଏହି ୩ ଜଣ ସାଙ୍ଗଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା। ଚଳିତ ମାସ ୨୧ରେ ସେମାନେ ସାଙ୍ଗ ହୋଇ ସକାଳେ ମାର୍ଶାଘାଇ ପିଏନ୍ଏସ କଲେଜକୁ ଯାଇଥିଲେ। କିନ୍ତୁ ସେମାନଙ୍କ ଫେରିବା ଡେରି ହେବାରୁ ସନ୍ଧ୍ୟାରେ ପ୍ରିୟ ରଞ୍ଜନଙ୍କୁ ତାଙ୍କ ବାପା କଲ୍ କରିଥିଲେ। କିନ୍ତୁ କେହି କଲ୍ ରିଲିଭ୍ କରିନଥିଲେ।
ପରେ ତାଙ୍କ ପରିବାର ଲୋକ ରୁଦ୍ରନାରାୟଣ ଓ ବ୍ରିଜେଶଙ୍କୁ ପ୍ରିୟଙ୍କ କଥା ପଚାରିବାରୁ ସେ ଦାଣ୍ଡ ପଟ ଘରେ ଅଛି ବୋଲି କହିଥିଲେ। କିନ୍ତୁ ଏହାର କିଛି ସମୟ ପରେ ରୁଦ୍ରନାରାୟଣ କଲ୍ କରି କହିଥିଲେ ପ୍ରିୟରଞ୍ଜନ ଗୁରୁତର ଭାବେ ମହାକାଳପଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛି ଶୀଘ୍ର ଆସ। ପରିବାର ଲୋକେ ମେଡିକାଲରେ ପହଞ୍ଚିବା ବେଳକୁ ରୁଦ୍ରନାରାୟଣ, ବ୍ରିଜେଶ ଫେରାର ହାଇଯାଇଥିଲେ। ପ୍ରିୟଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ମୃତଦେହ ବ୍ୟବଚ୍ଛେଦ ପରେ ଗାଁରେ ଶେଷକ୍ରିୟା କରାଯାଇଥିଲା।
ଅନ୍ୟପଟେ, ପ୍ରିୟଙ୍କ ଅସ୍ୱଭାବିକ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏନେଇ ପ୍ରିୟଙ୍କ ବାପା ବିଚିତ୍ରାନନ୍ଦ ରାଉଳ ଜାନୁଆରୀ ୨୩ରେ ଥାନାରେ ଏତଲା ଦେଇଥିଲେ। ତାଙ୍କ ପୁଅକୁ ଦୁଇ ସାଙ୍ଗ ଷଡ଼ଯନ୍ତ୍ର କରି ହତ୍ୟା କରିଛନ୍ତି ବୋଲି ସେ ଏତଲାରେ ଦର୍ଶାଇଛନ୍ତି। ସେପଟେ ଧାରା ୩୦୨ ଓ ୩୪ ଦଫାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନରେ ଶିଥିଳତାକୁ ନେଇ ଗାଁ ଲୋକମାନେ ଥାନା ଆଗରେ ଧାରଣା ଦେଇଥିଲେ। ଏହାପରେ ଥାନାଧିକାରୀ ମହେଶ୍ୱର ସେଠୀ ୨ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ହଟିଛି।