ମନ୍ଦିର ଖୋଲିବା ପାଇଁ ଦାବି ବେଳେ ଲିଙ୍ଗରାଜ ଆଗରେ ସ୍ବେଛାସେବୀ-ସେବାୟତ ଠେଲାପେଲା : ସେପଟେ ସବୁ ଧର୍ମାନୁଷ୍ଠାନ ଖୋଲିବାକୁ ବଢୁଛି ସ୍ୱର

Published By : Prameya-News7 Bureau | December 14, 2020 IST

ଭୁବନେଶ୍ୱର ୧୪/୧୨ : ୯ମାସ ହେଲାଣି ମନ୍ଦିର ବନ୍ଦ। ଅଧୀର ହେଲେଣି ଭକ୍ତଓ ଶ୍ରଦ୍ଧାଳୁ। ଏହାକୁ ନେଇ ଲିଙ୍ଗରାଜ ମନ୍ଦିର ଆଗରେ ଘଟିଛି ଅଘଟଣ। ମନ୍ଦିର ଖୋଲିବା ଦାବିରେ ଧାରଣା ଦେଇଥିବା ସ୍ବେଛାସେବୀ ସଙ୍ଗଠନ ସହ ସେବାୟତମାନେ ମୁହାଁମୁହିଁ ହୋଇଛନ୍ତି । ଚର୍ଚ୍ଚ ଓ ମସଜିଦ ଖୋଲିବାକୁ ମଧ୍ୟ ଦାବି ଜୋର ଧରିଲାଣି। ଏପଟେ ମନ୍ଦିର ଖୋଲିବା ନେଇ ଗାଇଡଲାଇନ୍ ପ୍ରସ୍ତୁତ କରି ରାଜ୍ୟସରକାରଙ୍କୁ ଦେଇଛନ୍ତି ଦେବୋତ୍ତର କମିଶନ ।

କେ​ବେ ଖୋଲିବ ମନ୍ଦିର। କେବେ ଦର୍ଶନ କରିବେ ଭକ୍ତ?  ଧୈର୍ଯ୍ୟହରା ହୋଇଗଲେଣି ଶ୍ରଦ୍ଧାଳୁ । ଏପରି ସ୍ଥିତିରେ ମନ୍ଦିର ଖୋଲିବାକୁ ନେଇ ଆଜି ଲିଙ୍ଗରାଜ ମନ୍ଦିର ଆଗରେ ଠେଲାପେଲା ହୋଇଛି । ମନ୍ଦିର ଖୋଲିବା ଦାବିରେ  ଧାରଣା ଦେଇଥିଲେ କିଛି ସ୍ବେଛାସେବୀ ସଙ୍ଗଠନ। ଏଣେ  ସେବାୟତମାନେ କହିଥିଲେ ଆମକୁ ନପଚାରି ମନ୍ଦିର ଆଗରେ ଧାରଣା ଦେବାକୁ ତୁମେ କିଏ । ଯାହାକୁ ନେଇ ଆରମ୍ଭ  ହୋଇଥିଲା ଠେଲାପେଲା।

ଚର୍ଚ୍ଚ ଓ ମସଜିଦ ଖୋଲିବାକୁ ବି ଦାବି ଜୋର ହେଲାଣି  ।  ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ବଡ ଦିନରେ ଚର୍ଚ୍ଚ ଖାଲିବାକୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଚାହିଁ ବସିଛନ୍ତି।  କିନ୍ତୁ ଏହି ଦିନ ପ୍ରବଳ ଭିଡ ହେଉଥିବାରୁ  ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ।   ତେଣୁ ସରକାର  ଅନୁମତି ଦେଲେ ବି ଚର୍ଚ୍ଚ ପକ୍ଷରୁ ତର୍ଜମା କରାଯିବ। ସେପଟେ  କୋଭିଡ୍ ଗାଇଡଲାଇନ୍ ଭିତରେ ତୁରନ୍ତ ମସଜିଦ ଖୋଲିବାକୁ ଦାବି କରିଛନ୍ତି ମୁସଲିମ ସମ୍ପ୍ରଦାୟ ଲୋକେ।

ବିଭିନ୍ନ ଜିଲ୍ଲାର ଧର୍ମପୀଠଗୁଡ଼ିକ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇ୍‌ଥିବା  ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।  ରାଜ୍ୟରେ  ଦେବୋତ୍ତର କମିଶନ ଅଧୀନରେ ୧୮ ହଜାର ମନ୍ଦିର ରହିଛି। ଏସବୁ ମନ୍ଦିର ଖୋଲିବା ନେଇ  ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ  ଦେବୋତ୍ତର କମିଶନର ମୋଡାଲିଟି ପ୍ରସ୍ତୁତ କରି ସରକାରଙ୍କୁ ଦେଇଛନ୍ତି।  ଏହି ଅନୁଯାୟୀ, ମନ୍ଦିର ଭିତରକୁ ଏକକାଳୀନ  ଭକ୍ତଙ୍କ ପ୍ରବେଶ ଉପରେ ବାରଣ ରହିବ । ସାମାଜିକ ଦୁରତ୍ବ ରକ୍ଷା କରି ଭକ୍ତଙ୍କୁ ଛଡାଯିବ । ମନ୍ଦିରରେ ଭକ୍ତ କେବଳ ଦର୍ଶନ କରିବେ, ବଡ ପୂଜା କରିପାରିବେ ନାହିଁ। ମନ୍ଦିର ପରିସରକୁ ବାରମ୍ବାର ବିଶୋଧନ କରିବାକୁ କମିଶନ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନଗୁଡ଼ିକୁ ଖୋଲିବାକୁ ଜିଲ୍ଲାପାଳମାନଙ୍କୁ  କ୍ଷମତା ଦିଆଯାଇଛି । ତେବେ କିଭଳି SOP ଜାରି ହେବ ଏବଂ ଧର୍ମାନୁଷ୍ଠାନ ଖୋଲିବ ତାହା ଉପରେ ନଜର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.