ରାସ୍ତା ନିର୍ମାଣକୁ ନେଇ ଉତ୍ତେଜନା, ରୁଙ୍ଗଟା କାରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ ଏକାଠି ହେଲେ ଗ୍ରାମବାସୀ

Published By : Prameya-News7 Bureau | February 14, 2021 IST

ଢେଙ୍କାନାଳ,୧୪/୦୨:  ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ଝାଡବନ୍ଧଠାରେ ନିର୍ମାଣାଧୀନ ରୁଙ୍ଗଟା କାରଖାନା ରାସ୍ତା ନିର୍ମାଣକୁ ବିରୋଧ । ରାସ୍ତାକାମକୁ ସ୍ଥାନୀୟ ତରକାବେଡା ଗ୍ରାମବାସୀଙ୍କ ବିରୋଧ ଏବେ ଜଟିଳ ହେବାରେ ଲାଗିଛି । ଏହି କାରଖାନା ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ସ୍ଥାନୀୟ ତରକାବେଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ଦଖଲକୁ ନେଵା ପରେ ଗତ ଦୁଇଦିନ ଧରି ଲାଗି ରହିଥିବା ଉତ୍ତେଜନା ବୃଦ୍ଧି ପାଇଛି ।

ଅଭିଯୋଗ ହେଉଛି ଯେ, ଜନସାଧାରଣଙ୍କ ରାସ୍ତାକୁ  ପୋଲିସ ଲଗାଇ ରୁଙ୍ଗଟା କର୍ତ୍ତୃପକ୍ଷ ଦଖଲ କରିବାରେ ସକ୍ଷମ ହୋଇଛନ୍ତି । ଏପରିକି ଗତ ଏକ ମାସ ଧରି ରାସ୍ତା ନିର୍ମାଣକୁ ବିରୋଧ କରି ଘଟଣାସ୍ଥଳରେ ଗଣଧାରଣା ଜରିରଖିଥିବା ତରକାବେଡା ଗ୍ରାମର ୮୭ଜଣ ଉଭୟ ପୁରୁଷ ଓ ମହିଳାଙ୍କୁ ଜବରଦସ୍ତ ପୋଲିସ ଉଠାଇ ନେଇଥିଲା ।  ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରି ପୋଲିସ ସହାୟତାରେ ରୁଙ୍ଗଟା କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି ।

ପୋଲିସ ଉଠାଇ ନେଇଥିବା ଲୋକମାନଙ୍କୁ ପରେ ଛାଡ଼ିଦେଇଥିବା ଜଣାପଡିଛି । ମାତ୍ର  କାରଖାନା କର୍ତ୍ତୃପକ୍ଷଙ୍କ ଏପରି ମନମାନି ଓ ପ୍ରଶାସନର ଏପରି ଏକପାଖିଆ କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜଣ ଅସନ୍ତୋଷ ତେଜିବାରେ ଲାଗିଛି । ଏପରିକି ରବିବାର ଘଟଣାସ୍ଥଳରେ ପୁଣି ତରକାବେଡା ଗ୍ରାମବାସୀ ଏକାଠି ହୋଇଛନ୍ତି । କାରଖାନା ଯୋଗୁଁ କ୍ଷତିଗ୍ରସ୍ତ ଅନ୍ୟ ଗ୍ରାମ ଲୋକଙ୍କ ସହାୟତାରେ ଆନ୍ଦୋଳନକୁ ତୀବ୍ର କରିବାକୁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି । ଫଳରେ ଆଗାମୀ ସମୟରେ ପୁଣି ଏହି ରୁଙ୍ଗଟା ଓ ସ୍ଥାନୀୟ ଲୋକଙ୍କ ବିବାଦ ତୀବ୍ର ହେବାର ଯଥେଷ୍ଟ ଆଶଙ୍କା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.