ପୁରୀ ସେବାୟତଙ୍କ ଆକ୍ରମଣର ପ୍ରତିବାଦ, କାର୍ଯ୍ୟାନୁଷ୍ଠାନ ପାଇଁ ନୟାଗଡ଼ ଓ ଟିଟିଲାଗଡ଼ ସାମ୍ବାଦିକଙ୍କ ଡିଜିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
21/06/2023 at 9:20 PM

ନୟାଗଡ଼: ପୁରୀରେ ଘୋଷଯାତ୍ରା ସମୟରେ ନ୍ୟୁଜ୭ର ୨ ଜଣ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣକୁ ନୟାଗଡ ସାମ୍ବାଦିକମାନେ ଦୃଢ ନିନ୍ଦା କରିଛନ୍ତି । ଦୁଇ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ନୟାଗଡର ସାମ୍ବାଦିକମାନେ ଡିଜିଙ୍କ ଉଦ୍ଦେଶ୍ୟରେ ଏସ୍.ପି.ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଗତକାଲି ଘୋଷଯାତ୍ରା ସମୟରେ କର୍ତ୍ତବ୍ୟରତ ନ୍ୟୁଜ୭ର ୨ ଜଣ ସାମ୍ବାଦିକ ଚିତ୍ତରଞ୍ଜନ ମହାନ୍ତି ଏବଂ ଚନ୍ଦ୍ରଶେଖର ପାତ୍ରଙ୍କୁ ୨ ଜଣ ସେବାୟତ ମରଣାନ୍ତକ ଆକ୍ରମଣ କରିଥିଲେ । ଦୁଇ ସେବାୟତ ମାଧବ ମହାପାତ୍ର ଏବଂ ମାଧବ ପୂଜାପଣ୍ଡା ସାମ୍ବାଦିକମାନଙ୍କୁ ବେକଚିପି ହତ୍ୟା ଉଦ୍ୟମ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏ ନେଇ ସାମ୍ବାଦିକମାନେ ସିଂହଦ୍ଵାର ଥାନାରେ ଗତକାଲି ଅଭିଯୋଗ ମଧ୍ୟ କରିଥିଲେ।

୨ ସେବାୟତ ମାଧବ ମହାପାତ୍ର ଏବଂ ମାଧବ ପୂଜାପଣ୍ଡାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ନୟାଗଡ ସାମ୍ବାଦିକମାନେ ଡିଜିଙ୍କ ନିକଟରେ ଦାବି କରିଛନ୍ତି। ବରିଷ୍ଠ ସାମ୍ବାଦିକ ଶ୍ରୀକା ଖଟେଇ , କ୍ଷୀରୋଦ ପଟ୍ଟନାୟକ , ଦିନମଣି ମହାନ୍ତିଙ୍କ ସମେତ ୨୦ରୁ ଅଧିକ ସାମ୍ବାଦିକ ଡିଜିଙ୍କ ଉଦ୍ଦେଶ୍ୟରେ ଏସ୍.ପି.ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ।
ସେହିପରି ଟିଟିଲାଗଡ଼ ସାମ୍ବାଦିକସଂଘ ଘଟଣାକୁ ଦୃଢ ନିନ୍ଦା କରିବା ସହ ଟିଟିଲାଗଡ଼ ଥାନା ଅଧିକାରୀଙ୍କ ଜରିଆରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଆଗାମୀ ଦିନରେ ଅଭିଯୁକ୍ତ ସେବାୟତ ମାନଙ୍କ ବିରୁଦ୍ଧରେ ପୋଲିସ ଯଦି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଟିଟିଲାଗଡ଼ ଅଞ୍ଚଳର ସମସ୍ତ ସାମ୍ବାଦିକ ଭାଇ ଭଉଣୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବା ସହ ଧାରଣା ଦିଆଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଚେତାବନୀ ଦେଇଥିଲେ । ସାମ୍ବାଦିକ ସୁରକ୍ଷାକୁ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ସରକାରଙ୍କୁ ଅନୁରୋଧ କରିଛି ଟିଟିଲାଗଡ ସାମ୍ବାଦିକ ସଂଘ ।