‘ଶ୍ରୀ ସମ୍ମେଦ ଶିଖରଜୀ’ ପର୍ଯ୍ୟଟନସ୍ଥଳୀ ଘୋଷଣାକୁ ବିରୋଧ, ଝାଡ଼ଖଣ୍ଡ ସରକାରଙ୍କ ବିରୋଧରେ ଜୈନ ସମାଜର ପ୍ରଦର୍ଶନ

Published By : Prameya-News7 Bureau | January 01, 2023 IST

ମୁମ୍ବାଇ: ଝାଡ଼ଖଣ୍ଡ ସରକାରଙ୍କ ବିରୋଧରେ ତାତିଲା ଜୈନ୍ ସାମାଜ । ‘ଶ୍ରୀ ସମ୍ମେଦ ଶିଖରଜୀ’ ତୀର୍ଥସ୍ଥାନକୁ ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା କରିବା ପରେ ସବୁଠି ଆକ୍ରୋଶ ଦେଖିବାକୁ ମିଳିଛି । ଝାଡ଼ଖଣ୍ଡ ସରକାରଙ୍କ ନିଷ୍ପତ୍ତିକୁ ଘୋର ବିରୋଧ କରିଛନ୍ତି ଜୈନ ସମୁଦାୟ ଲୋକ ।  

ରବିବାର ମୁମ୍ବାଇ ସମେତ ଦେଶ ଅନ୍ୟ ପ୍ରାନ୍ତରେ ମଧ୍ୟ ବିରୋଧର ବହ୍ନି ପ୍ରଜ୍ଜ୍ବଳିତ ହୋଇଛି । ଝାଡ଼ଖଣ୍ଡ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ଜୈନ ସମାଜର ସମର୍ଥକ । ଗୁଜରାଟ ପାଲିତାନାର ଜୈନ ମନ୍ଦିରରେ ଲୋକେ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଲୋକେ ରାସ୍ତା ଅବରୋଧ କରି ପ୍ରଦର୍ଶନ କରିଛନ୍ତି ।    

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୁମ୍ବାଇରେ ଝାଡ଼ଖଣ୍ଡ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଲୋକ । ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଛି । ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଖବର ମୁତାବକ, ଝାଡ଼ଖଣ୍ଡ ସରକାର ଜୈନ ଦିଗମ୍ବର ଶ୍ବେତାମ୍ବର ସମାଜର ପବିତ୍ର ସ୍ଥଳ ତଥା ଭଗବାନ ପାରସନାଥ ପର୍ବତକୁ ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା କରିଛନ୍ତି । ଏହାକୁ ‘ଶ୍ରୀ ସମ୍ମେଦ ଶିଖରଜୀ’ ତୀର୍ଥସ୍ଥାନ କୁହାଯାଉଥିଲା । ପର୍ଯ୍ୟଟନସ୍ଥଳୀ ଖୋଲିବା ପରେ ଏଠାରେ ହୋଟେଲ ମାନ ଖୋଲିବ । ଫଳରେ ଭଗବାନଙ୍କ ପବିତ୍ର ତୀର୍ଥସ୍ଥାନ ଅପବିତ୍ର ହେବ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଜୈନ ସାମାଜ । ତେଣୁ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.