ଭାରତ ଆସିବେ ଆଉ ୧୨ ଚିତା, ସ୍ୱାଗତ ପାଇଁ ପ୍ରସ୍ତୁତ କୁନୋ ନ୍ୟାସନାଲ ପାର୍କ; ଏଥର ଏହି ଦେଶରୁ ଆସିବେ ଅତିଥି
15/01/2023 at 10:41 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ୨୦୨୨ ସେପ୍ଟେମ୍ୱର ୧୭ରେ କୁନୋ ନ୍ୟାସନାଲ ପାର୍କରେ ନାମିବ୍ୟାରୁ ଆସିଥିବା ୮ ଚିତାଙ୍କୁ ଛାଡିଥିଲେ । ସେହି ସମୟରେ ନୂଆ ଅତିଥିଙ୍କୁ ସାରା ଦେଶରେ ସ୍ୱାଗତ ଜଣାଯାଇଥିଲା । ଏବେ ପୁଣି ଥରେ ବିଦେଶରୁ ଚିତା ଆସିବ । ମଧ୍ୟ ପ୍ରଦେଶର କୁନୋ ନ୍ୟାସନାଲ ପାର୍କକୁ ପୁଣି ଗୋଟିଏ ଖୁସି ଖବର ମିଳିବାକୁ ଯାଉଛି । କୁନୋରେ ନାମିବ୍ୟାରୁ ଆସିଥିବା ୮ ଚିତାଙ୍କ ସୁରକ୍ଷିତ ରହଣି ପରେ ଏବେ ଦକ୍ଷିଣ ଆଫ୍ରିକାରୁ ଚିତା ଆଣିବା ପାଇଁ ତାରଖ ଧାର୍ଯ୍ୟ ହୋଇଛି । ଏଥର ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯିବ । ମଧ୍ୟ ପ୍ରଦେଶ ସରକାର ଏହି ସୂଚନା ଦେଇଛନ୍ତି । କୁନୋକୁ ଆସିବାକୁ ଥିବା ଏହି ଚିତାମାନେ ଦ.ଅଫ୍ରିକାରେ କ୍ୱାରେଣ୍ଟାଇନରେ ଅଛନ୍ତି ।
ଦ.ଆଫ୍ରିକାରୁ ଆସିବାକୁ ଥିବା ୧୨ ଚିତା ମଧ୍ୟରୁ ୭ଟି ଅଣ୍ଡିରା ଏବଂ ୫ଟି ମାଇ ରହିଛି । ଏହି ଚିତା ଗୁଡିକୁ ଜାନୁଆରୀ ୨୫ରେ ଦିଲ୍ଲୀରୁ ଗ୍ୱାଲିୟର ଅଣାଯିବ। ହେଲିକପ୍ଟରରୁ ଚିତା ଗୁଡିକୁ କୁନୋ ନ୍ୟାସନାଲ ପାର୍କ ନିଆଯିବ । ଉଲ୍ଲେଖଯୋଗ୍ୟ ଯେ ଚିତା ଗୁଡିକୁ ଆଣିବା ପାଇଁ କେନ୍ଦ୍ରୀୟ ବନ ମହାନିର୍ଦ୍ଦେଶକ ଚନ୍ଦ୍ର ପ୍ରକାଶ ଗୋୟଲ, ଏଟିସିଏର ସଦସ୍ୟ ସଚିବ ଏସପି ଯାଦବଙ୍କ ସହ କେନ୍ଦ୍ରୀୟ ବନ ବିଭାଗର ଅଧିକାରୀ ଜାନୁଆରୀ ୨୦-୨୧ରେ ଦ.ଆଫ୍ରିକା ଯାତ୍ରା କରିବେ ।