କରୋନା ଉପରେ ଶୀଘ୍ର ବଡ ଖୁଲାସା କରିଥାନ୍ତେ ଚୀନର ଏହି ରିସର୍ଚ୍ଚର, ଗୁଳି କରି ହତ୍ୟା କରାଗଲା
6/05/2020 at 10:25 PM

ନୂଆଦିଲ୍ଲୀ ୦୬।୦୫: ସମଗ୍ର ଦୁନିଆରେ ହାହାକାର ସୃଷ୍ଟି କରୁଥିବା କରୋନା ଭାଇରସ୍ ଚୀନର ଉହାନରୁ ବ୍ୟାପିଥିଲା। ତେଣୁ ଅଧିକାଂଶ ଦେଶ ଏହି ଭୟାବହ ସ୍ଥିତି ଲାଗି ଚୀନକୁ ଦାୟୀ କରୁଛନ୍ତି। ମାତ୍ର ଚୀନ ଏହି ଭାଇରସ୍ ବ୍ୟାପିବାରେ ନିଜର ଭୂମିକା ନଥିବା ଦାବି କରି ଆସୁଛି। ଏବେ ସେଠାରେ କରୋନା ଭାଇରସ୍ ସମ୍ବନ୍ଧିତ ଜଣେ ଗବେଷକଙ୍କ ହତ୍ୟା ପରେ ପୁଣି ଥରେ ଚୀନର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠିଛି।
ଦାବି ମୁତାବକ, ପିଟ୍ସବର୍ଗ ମେଡିକାଲ ସେଣ୍ଟରରେ କାମ କରୁଥିବା ଗବେଷକ ଡାକ୍ତର ବିଙ୍ଗ ଲିଉ କରୋନା ଭାଇରସ୍କୁ ନେଇ ବହୁତ ବଡ ରିସର୍ଚ୍ଚ କରିଥିଲେ। ବିଙ୍ଗ ଲିଉ ଏହାକୁ ସାର୍ବଜନୀନ କରିବାକୁ ଯାଉଥିଲେ, ହେଲେ ଏହା ପୂର୍ବରୁ ହିଁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏବେ ପ୍ରଶ୍ନ ଉଠିଛି ଯେ, ବିଙ୍ଗ ପାଖରେ ଏମିତି କିଛି ତଥ୍ୟ ଥିଲା, ଯେଉଁଥିରେ ଚୀନର ଅସଲ ମୁଖା ଖୋଲି ଯାଇଥାନ୍ତା।

ବିଙ୍ଗ ଲିଉଙ୍କୁ ହତ୍ୟା କରିଥିବା ବ୍ୟକ୍ତି ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। ଉଲ୍ଲେଖଯୋଗ୍ୟ, ୩୭ ବର୍ଷୀୟ ବିଙ୍ଗ ଲିଉ ରସ୍ ଇଲାକାରେ ପତ୍ନୀଙ୍କ ସହ ରହୁଥିଲେ। ତାଙ୍କ ଆପାର୍ଟମେଣ୍ଟରେ ପଶି ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
ସିଏନଏନର ରିପୋର୍ଟ ଅନୁଯାୟୀ, ଲିଉଙ୍କ ମୁଣ୍ଡରେ, ବେକରେ ଏବଂ ଶରୀରର ଅନ୍ୟ ଭାଗରେ ଗୁଳି ବାଜିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ରିପୋର୍ଟ ଅନୁଯାୟୀ ଯେଉଁ ସମୟରେ ତାଙ୍କ ଉପରେ ଆକ୍ରମଣ କରାଗଲା ସେହି ସମୟରେ ଡାକ୍ତରଙ୍କ ପତ୍ନୀ ଘରେ ନଥିଲେ।

ୟୁନିଭର୍ସିଟି ଅଫ ପିଟ୍ସବର୍ଗ ମେଡିକାଲ ସେଣ୍ଟର ରିସର୍ଚ୍ଚର ଲିଉଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କରୋନା ଭାଇରସ୍କୁ ନେଇ ନିଜ ଗବେଷଣାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ। ଶୀଘ୍ର ସେ କରୋନା ଭାଇରସ୍ର ଔଷଧ ବାହାର କରିଥାନ୍ତେ।