ଆଖି ବୁଜିଲେ ପ୍ରଖ୍ୟାତ ଶଲ୍ୟ ଚିକିତ୍ସା ବିଶେଷଜ୍ଞ ପ୍ରଫେସର୍ ଧୀରେନ୍ଦ୍ର କୁମାର ରାୟ; ସମ୍ ଅଲ୍ଟିମେଟ୍ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
22/01/2023 at 6:05 PM

ଭୁବନେଶ୍ୱର ୨୨/୦୧: ସମ୍ ହସ୍ପିଟାଲ୍ର ପୂର୍ବତନ ଡିନ୍ ପ୍ରୋଫେସର୍ ତଥା ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡାକ୍ତର ଧୀରେନ୍ଦ୍ର କୁମାର ରାୟ ଆଉ ନାହାନ୍ତି। ୭୬ ବର୍ଷରେ ସମ୍ ଅଲ୍ଟିମେଟ୍ ମେଡିକେୟାର୍ରେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଜଣେ ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଭାବେ ଓଡ଼ିଶାରେ ତାଙ୍କର ସୁନାମ ରହିଛି। ସେ ବହୁ ଚିକିତ୍ସା ଅନୁଷ୍ଠାନରେ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଛନ୍ତି। କଟକରେ ଥିବା ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସସିବି) ମେଡ଼ିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ସେ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ଆଞ୍ଚଳିକ ସ୍ପାଇନାଲ୍ ଇଞ୍ଜୁରି କେନ୍ଦ୍ର (ରିଜୋନାଲ୍ ସ୍ପାଇନାଲ୍ ଇଞ୍ଜୁରି ସେଣ୍ଟର) ଓ ସର୍ଦ୍ଦାର ବଲ୍ଲବଭାଇ ପଟେଲ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ପେଡିଆଟ୍ରିକ୍ କଟକରେ ମଧ୍ୟ ସେ ନିର୍ଦ୍ଦେଶକ ଥିଲେ।
ପ୍ରଫେସର ଧିରେନ୍ଦ୍ର ମଧ୍ୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ମଧ୍ୟବର୍ତ୍ତି କାଳୀନ କୂଳପତି ଥିଲେ। ୧୯୬୮ ମସିହାରେ ଏସସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ସେ ଏମବିବିଏସ୍ ପଢ଼ିବା ପରେ ୧୯୭୩ରେ ସେଠାରୁ ଶଲ୍ୟ ଚିକିତ୍ସା ବିଭାଗରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ନୂଆଦିଲ୍ଲୀରୁ ସେ ୧୯୮୬ ମସିହାରେ କାର୍ଡିଓ ଥୋରେସିକ୍ ଓ ଭସ୍କୁଲାର୍ ସର୍ଜରି ବିଭାଗରେ ଉଚ୍ଚଶିକ୍ଷା ଲାଭ କରିଥିଲେ।
ପ୍ରୋଫେସର୍ ଧୀରେନ୍ଦ୍ରଙ୍କ ପତ୍ନୀ ପ୍ରୋଫେସର୍ ଡାକ୍ତର ଜୁଥିକା ରାୟ ଓ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ଡାକ୍ତର ପ୍ରୋଫେସର ଜୁଥିକା ରାୟ ପୂର୍ବରୁ ସମ୍ ମେଡ଼ିକାଲ୍ରେ ତ୍ୱଚା ବିଜ୍ଞାନ ବିଭାଗରେ ପ୍ରଧ୍ୟାପିକା ଭାବେ କାର୍ଯ୍ୟ କରିଛନ୍ତି। ପ୍ରୋଫେସର୍ ରାୟଙ୍କ ଅବର୍ତ୍ତମାନରେ ସୋଆର ପ୍ରତିଷ୍ଠାତା ପ୍ରଫେସର୍ ଡକ୍ଟର ମନୋଜ ରଞ୍ଜନ ନାୟକ ଶୋକ ବ୍ୟକ୍ତ କରିବା ସହିତ ସେ ଜଣେ ମହାନ୍ ମଣିଷ ଓ ଆଶୀର୍ବାଦ ପ୍ରାପ୍ତ ବ୍ୟକ୍ତି ଥିଲେ ବୋଲି କହିଛନ୍ତି। ପ୍ରଫେସର୍ ଧୀରେନ୍ଦ୍ର ଆଇଏମଏସ ଓ ସମ୍ ଡାକ୍ତରଖାନାର ପ୍ରତିଷ୍ଠା ଠାରୁ ଏହାର ବିକାସ ପାଇଁ ତାଙ୍କର ଅବଦାନ ଅବର୍ଣ୍ଣନୀୟ ”ସୋଆ ପରିବାର ତାଙ୍କ ପାଖେ ଋଣି” ବୋଲି ଡକ୍ଟର ମନୋଜ ରଞ୍ଜନ ନାୟକ ତାଙ୍କର ଶୋକ ବାର୍ତ୍ତାରେ ଜଣାଇଛନ୍ତି।