ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ କେନ୍ଦ୍ର ସରକାର, ଆସନ୍ତାକାଲି ଠାରୁ ପଞ୍ଜାବ ଏବଂ ହରିୟାଣାରେ ଆରମ୍ଭ ହେବ ଧାନ କିଣା

Published By : Prameya-News7 Bureau | October 02, 2021 IST

ଚଣ୍ଡିଗଡ ୦୨/୧୦ : ପଞ୍ଜାବ ଏବଂ ହରିୟାଣାରେ ଧାନ କିଣାକୁ ନେଇ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ମଧ୍ୟରେ ଚାଷୀଙ୍କକୁ ବଡ ଆଶ୍ବସ୍ତି ମିଳିଛି । ଆସନ୍ତାକାଲି ଠାରୁ ପଞ୍ଜାବ ଏବଂ ହରିୟାଣାରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଏ ନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ବିନ ଚୌବେଙ୍କୁ ଭେଟି ଆଲୋଚନା କରିବା ପରେ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୩ ତାରିଖରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ।

wp:html /wp:html

ସୂଚନା ଅନୁସାରେ, ମୌସୁମୀ ବିଳମ୍ବ କାରଣରୁ ଅକ୍ଟୋବର ୧୧ ତାରିଖରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ପ୍ରତିବର୍ଷ ଅକ୍ଟୋବର ପହିଲାରୁ ହିଁ ଧାନ କିଣା ଆରମ୍ଭ ହୁଏ । ଧାନ କିଣା ବିଳମ୍ବ କାରଣରୁ ଚାଷୀମାନେ ରାଜରାସ୍ତାକୁ ଓଲ୍ଲାଇଥିଲେ । ପଞ୍ଜାବ ଏବଂ ହରିୟାଣା​‌ରେ ହଜାର ହଜାର ସଂଖ୍ୟାରେ ଚାଷୀ ପ୍ରଦର୍ଶନ କରୁଥିଲେ । ପୂର୍ବରୁ କେନ୍ଦ୍ର ସରକାରଙ୍କ ୩ ନୂଆ ଆଇନ ବିରୁଦ୍ଧରେ ଆନ୍ଦୋଳନ କରିଆସୁଛନ୍ତି । ଏବେ ଧାନ କିଣାକୁ ନେଇ ମଧ୍ୟ ପ୍ରଦର୍ଶନ କରୁଥିଲେ ଚାଷୀ ।

wp:html /wp:html

ଧାନ କିଣା ତାରିଖକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘ମୌସୁମୀ ବିଳମ୍ବ କାରଣରୁ କେନ୍ଦ୍ର ସରକାର ଧାନ ଏବଂ ବାଜରା କ୍ରୟ ତାରିଖକୁ ବଢାଇ ଅକ୍ଟୋବର ୧୧ ତାରିଖ କରିଥିଲେ । କିନ୍ତୁ ଏବେ ଏଥିରେ ପରିବର୍ତ୍ତନ କରାଯାଇ ଆସନ୍ତାକାଲି ଠାରୁ ହି ଧାନ ସଂଗ୍ରହ ଆରମ୍ଭ ହେବ ।’ କେନ୍ଦ୍ରମନ୍ତ୍ରୀ ଅଶ୍ବିନ ଚୌବେ ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି, ହରିୟାଣା ସମେତ ପଞ୍ଜାବରେ ମଧ୍ୟ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୩ ତାରିଖରୁ ଧାନ ସଂଗ୍ରହ ଆରମ୍ଭ ହେବ ।    

ସୂଚନାଯୋଗ୍ୟ, ଖରିଫ୍‌ ଫସଲ କିଣା ତାରିଖ ବଢାଯିବାକୁ ନେଇ ଉତ୍ତ୍ୟକ୍ତ ପଞ୍ଜାବ ଏବଂ ହରିୟାଣାର ଚାଷୀମାନେ ଆନ୍ଦୋଳନକୁ ଓଲ୍ଲାଇଥିଲେ। ପ୍ରଦର୍ଶନ ପାଇଁ ରାସ୍ତାକୁ ଓଲ୍ଲାଇଥିବା ହଜାର ହଜାର ସଂଖ୍ୟାରେ ଚାଷୀମାନେ ସାଂସଦ ଏବଂ ବିଧାୟକଙ୍କ ବାସଭବନ ଘେରାଉ କରିଛନ୍ତି । କରନାଲ୍‌ରେ ଚାଷୀମାନେ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କ ବାସଭବନକୁ ଘେରାଉ କରିବାକୁ ଚେଷ୍ଟା କରିଥିଲେ ।

ପ୍ରଦର୍ଶନକାରୀ ଚାଷୀମାନେ ଏତେ ଉଗ୍ର ହୋଇଯାଇଥିଲେ ଯେ, ପୋଲିସ ପକ୍ଷରୁ ଲଗାଯାଇଥିବା ବ୍ୟାରିକେଡ୍‌ ଉପରେ ଟ୍ରାକ୍ଟର ଚଢାଇ ଦେଇଥିଲେ । ଚାଷୀଙ୍କୁ ଆୟତ କରିବା ପାଇଁ ମୁତୟନ ହୋଇଥିବା ସୁରକ୍ଷାବଳ ସେମାନଙ୍କୁ କାବୁ କରିବା ପାଇଁ ପ୍ରୟାସ କରିଥିଲେ । ସ୍ଥିତି ଅଣାୟତ ହେବାରୁ ବାଧ୍ୟ ହୋଇ ଲାଠି ଚାର୍ଜ କରିଥିଲା ପୋଲିସ ।

ପ୍ରଦର୍ଶନରତ ଚାଷୀମାନେ ମୁଖ୍ୟମନ୍ତ୍ରୀ ଆବାସ ବାହାରେ ବ୍ୟାରିକେଡ୍‌ ଭାଙ୍ଗିବାକୁ ଉଦ୍ୟତ ହୋଇଥିଲେ । ଟ୍ରାକ୍ଟର ମଡାଇ ମୁଖ୍ୟମନ୍ତ୍ରୀ ଆବାସ ମଧ୍ୟକୁ ପଶିବାକୁ ଚେଷ୍ଟା କରିଥିଲେ । ଚାଷୀଙ୍କ ଉଗ୍ରରୂପ ଦେଖି ସ୍ଥିତି ଅଣାୟତ ପାଇଁ ପୋଲିସ ପାଣି ମାଡ କରିବା ସହ ଲାଠିଚାର୍ଜ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.