ଗର୍ଭାବସ୍ଥାରେ ଜଙ୍କ୍‌ଫୁଡ୍‌ ଖାଇଲେ ପିଲାଙ୍କ ଠାରେ ମେଦବହୁଳତାର ଆଶଙ୍କା ରୁହେ, ଜାଣନ୍ତୁ କ’ଣ କହୁଛି ଅଧ୍ୟୟନ

Published By : Prameya-News7 Bureau | October 15, 2022 IST

ମୁମ୍ଵାଇ ୧୫।୧୦: ବଜାରରେ ପ୍ୟାକେଟ୍‌ରେ ମିଳୁଥିବା ଚିପ୍ସ, ନମ୍‌କିନ୍‌, ଚକ୍‌ଲେଟ୍‌, ମିଠା, ସୋଡ଼ା ଓ ପାନୀୟ ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ବିଏମ୍‌ଜେ ପତ୍ରିକାରେ ପ୍ରକାଶିତ ଏକ  ଅଧ୍ୟୟନ ଅନୁସାରେ, ଗର୍ଭାବସ୍ଥାରେ ଅଧିକ ପ୍ରକ୍ରିୟାକୃତ ଖାଦ୍ୟ ଖାଉଥିବା ମହିଳାଙ୍କ ପିଲାଠାରେ ମେଦବହୁଳତା  ଆଶଙ୍କା ବଢ଼ିପାରେ । ଅର୍ଥାତ୍‌ ମା’ ସହିତ ସନ୍ତାନ ଜନ୍ମ  ପରେ ତା’ର ଓଜନ ମଧ୍ୟ ଆବଶ୍ୟକଠୁ ଅଧିକ ବଢ଼ିପାରେ।  

ଗବେଷକମାନେ ଆମେରିକାର  ନର୍ସେଜ ହେଲ୍‌ଥ ଷ୍ଟଡି ୨ ଓ ଗ୍ରୋଇଙ୍ଗ  ଅପ୍‌ ଟୁଡେ ଷ୍ଟଡିର ତଥ୍ୟ ବିଶ୍ଳେଷଣ  କରିଥିଲେ । ଏଥିରେ ୧୪,୫୫୩  ଜଣ ମହିଳା ଜନ୍ମ ଦେଇଥିବା  ୧୯,୯୫୮  ପିଲାଙ୍କୁ ଯାଞ୍ଚ୍‌  କରାଯାଇଥିଲା ।  ଏଥିରେ ୭ରୁ ୧୭  ବର୍ଷ ବୟସର ୪୫ ପ୍ରତିଶତ ପୁଅ  ଥିଲେ । ମା’ ଓ ପିଲାଙ୍କ ଖାଦ୍ୟପେୟ  ଅଭ୍ୟାସ ଏବଂ ଅନ୍ୟ କାରକଗୁଡ଼ିକର ପ୍ରତି  ୨ ବର୍ଷରେ ଯାଞ୍ଚ୍‌ କରାଯାଇଥିଲା ।  ଆଉ ଏକ ବିଶ୍ଳେଷଣରେ ୨,୭୯୦ ମା’ ଓ ୨,୯୨୫  ପିଲାଙ୍କର ଯାଞ୍ଚ୍‌ କରାଯାଇଥିଲା । ସମ୍ବନ୍ଧ ସ୍ଥାପନର ୩ ମାସ  ପୂର୍ବରୁ ସନ୍ତାନ ଜନ୍ମ ପର୍ଯ୍ୟନ୍ତ ମହିଳାଙ୍କ ଖାଦ୍ୟପେୟ  ଉପରେ ନଜର ରଖାଯାଇଥିଲା । ଗର୍ଭବତୀ ହେବା ପୂର୍ବର  ଖାଦ୍ୟପେୟ ସହିତ ପିଲାର ମେଦବୃଦ୍ଧିର କୌଣସି ସମ୍ପର୍କ  ନ ଥିଲା । ଗର୍ଭାବସ୍ଥା ସମୟରେ ମହିଳାଙ୍କ ଖାଦ୍ୟପେୟ  ସମେତ ଅନ୍ୟ କାରକଗୁଡ଼ିକୁ ମଧ୍ୟ ଅଧ୍ୟୟନ କରାଗଲା ।  ସେମାନଙ୍କ ବଡି ମାସ୍‌ ଇଣ୍ଡେକ୍ସ, ଶାରୀରିକ କାର୍ଯ୍ୟକଳାପ,  ଧୂମପାନ, ସାଥୀ ସହ ରହିବାର ସ୍ଥିତି, ସାଥୀଙ୍କ ଶିକ୍ଷା,  ପିଲାଙ୍କ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଓ ସେମାନଙ୍କ  ଜୀବନଶୈଳୀ ସାମିଲ ଥିଲା । ଏ ସମସ୍ତ କାରକ ପିଲାଙ୍କର  ମେଦବୃଦ୍ଧି ପାଇଁ  ଦାୟୀ ବୋଲି  ଜଣାପଡ଼ିଲା । 

ଉପଯୁକ୍ତ ପ୍ରଜନନ  ସମୟରେ  ମହିଳା ପୋଷକ  ତତ୍ତ୍ୱରେ  ଭରପୂର  ଖାଦ୍ୟ ଖାଇବା  ଉଚିତ୍ ।  ଏହା ଦ୍ୱାରା ଆଗାମୀ  ପିଢ଼ି ସୁସ୍ଥ ହୋଇ  ଜନ୍ମ ହେବେ ବୋଲି ଗବେଷକମାନେ କହିଛନ୍ତି ।  ୨୦୨୦ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଜାରି  କରାଯାଇଥିବା ତଥ୍ୟ ଅନୁସାରେ, ବିଶ୍ୱରେ ୩.୯ କୋଟି  ପିଲା ମେଦବହୁଳତାରେ ପୀଡ଼ିତ କିମ୍ବା ଆବଶ୍ୟକଠୁ ସେମାନଙ୍କ ଓଜନ ଅଧିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.