ମୌଜପୁର CAA ବିରୋଧୀ ବିକ୍ଷୋଭରେ ଯୁବକର ଦୁଃସାହସ, ପୋଲିସ ଉପସ୍ଥିତିରେ ଚଳାଇଲା ୮ ରାଉଣ୍ଡ ଗୁଳି
24/02/2020 at 5:33 PM

ନୂଆଦିଲ୍ଲୀ ୨୪।୨: ନାଗରିକ (ସଂଶୋଧିତ) ଆଇନ (ସିଏଏ)କୁ ବିରୋଧ କରି ସୋମବାର ମଧ୍ୟ ଦିଲ୍ଲୀରେ ଉତ୍ତେଜନା ଲାଗି ରହିଛି। ମୌଜପୁର ଚୌକରେ ସିଏଏ ବିରୋଧୀ ବିକ୍ଷୋଭ ବେଳେ ଜନୈକ ଯୁବକ ପୋଲିସ ଉପସ୍ଥିତିରେ ଫାଙ୍କା ଗୁଳି ଚାଳନା କରିବା ଜାତୀୟ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପରିସ୍ଥିତିକୁ ଦିଲ୍ଲୀ ସରକାର ଗୁରୁତ୍ୱ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଉପରାଜ୍ୟପାଳ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।

CAA ବିରୋଧୀ ଓ ସମର୍ଥକ ମୁହାଁମୁହିଁ
ସିଏଏକୁ ବିରୋଧ କରି ଶାହିନ ବାଗ୍ରେ ଗତ ୨ ମାସ ହେଲା ଆନ୍ଦୋଳନ ଚାଲିଥିବା ବେଳେ ସମାଧାନର ରାସ୍ତା କିନ୍ତୁ ଏପର୍ଯ୍ୟନ୍ତ ବାହାରି ପାରିନାହିଁ। ଏଥିରେ ସୁପ୍ରିମକୋର୍ଟ ବାର୍ତ୍ତାକାର ନିଯୁକ୍ତ କରିଥିବା ବେଳେ ସେମାନେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ଆନ୍ଦୋଳନ ସ୍ଥଳ ପରିବର୍ତ୍ତନ କରାଇବାରେ ବାର୍ତ୍ତାକାର ବିଫଳ ହୋଇଥିବା ବେଳେ ରବିବାର ସକାଳେ ଜାଫରାବାଦରେ ନୂଆ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ସିଏଏ ବିରୋଧୀ ଜାଫରାବାଦ ମେଟ୍ରୋକୁ ସଂଯୁକ୍ତ କରୁଥବା ମାର୍ଗକୁ ଶନିବାର ବିଳମ୍ବିତ ରାତ୍ରିରେ ଅବରୋଧ କରିଥିଲେ। ଏହାକୁ ବିରୋଧ କରି ରବିବାର ରାଜଧାନୀରେ ପ୍ରଥମ କରି ସିଏଏ ସପକ୍ଷରେ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ସମର୍ଥନକାରୀ ମୌଜପୁର ଚୌକ ଅବରୋଧ କରିଛନ୍ତି।

ରାଜଧାନୀରେ ଦ୍ୱିତୀୟ ଶାହିନବାଗ ହେବାକୁ ଦିଆଯିବନି ବୋଲି ସପକ୍ଷବାଦୀମାନେ କହୁଥବା ବେଳେ ରାଜଧାନୀରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ଉପଦ୍ରବକାରୀମାନେ ସୋମବାର ଭଜନପୁରାରେ ଏକ ପେଟ୍ରୋଲ ପମ୍ପ ଜାଳିଦେଇଥିବା ବେଳେ ଏହାର କିଛି ସମୟ ପୂର୍ବରୁ ଅପରାହ୍ଣ ୪ଟା ୪୦ରେ ଚାନ୍ଦବାଗ ବଜାର ନିକଟରେ ଉପଦ୍ରବୀ ଶାହଦରା ଡିସିପିଙ୍କ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ବିକ୍ଷୋଭକାରୀଙ୍କ ସହ ସଂଘର୍ଷରେ ଡିସିପି ଅମିତ ଶର୍ମା ଆହତ ହୋଇଛନ୍ତି। ଆଜି ଆନ୍ଦୋଳନକାରୀଙ୍କ ଟେକା ପଥର ମାଡରେ ଗୁରୁତର ଆହତ ଗକୁଲପୁରୀ ଏସିପିଙ୍କ କାର୍ଯ୍ୟାଳୟ ହେଡ କନଷ୍ଟେବଲ ରତନ ଲାଲଙ୍କର ଅପରାହ୍ଣରେ ମୃତ୍ୟୁ ହୋଇଥିବା ଜଣାପଡିଛି।

ରାଜଧାନୀରେ ଆନ୍ଦୋଳନ ଓ ହିଂସା କାଣ୍ଡ ଯୋଗୁସନ୍ଧ୍ୟା ସୁଦ୍ଧା ଜାଫରାବାଦ ସମେତ ମୌଜପୁର-ବାବରପୁର, ଗୋକୁଲପୁରୀ, ଝୋରି ଏନକ୍ଲେଭ ଓ ଶିବ ବିହାର ମେଟ୍ରୋଷ୍ଟେସନକୁ ବନ୍ଦ କରିଦିଆଯାଇଛି। ଉପୁଜିଥିବା ପରିସ୍ଥିତିରେ ଦିଲ୍ଲୀର ସମ୍ପ୍ରଦାୟିକ ସଦଭାବ ଏବେ ବିପଦରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଶଙ୍କା ବ୍ୟକ୍ତ କରିବା ସହ ଉପରାଜ୍ୟପାଳ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ଏଥିରେ ରାଜଧାନୀର ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଲାଗି କେଜରିୱାଲ ନିବେଦନ କରିଛନ୍ତି।