ନୂଆଦିଲ୍ଲୀ: ଲୋକସଭାରେ ନବନିର୍ବାଚିତ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଇନିଂସ ଆରମ୍ଭ । ଓ୍ବାୟନାଡ଼ ସାଂସଦ ଭାବେ ସେ ଶପଥ ନେଇଛନ୍ତି । ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । କଂଗ୍ରେସର ଅନ୍ୟ ସାଂସଦଙ୍କ ଭଳି ଶପଥ ନେବା ବେଳେ ପ୍ରିୟଙ୍କା ଗାନ୍ଧି ହାତ ସମ୍ବିଧାନର ଏକ କପି ହାତରେ ଧରିଥିଲେ । ଆରମ୍ଭରୁ ଲୋକସଭାରେ ସରକାରଙ୍କୁ କଡ଼ା ସନ୍ଦେଶ ଦେଇଛନ୍ତି ।
ପ୍ରିୟଙ୍କା ଗାନ୍ଧି ଭଦ୍ରା ଗୁରୁବାର ମା’ ସୋନିଆ ଗାନ୍ଧି ଏବଂ ଭାଇ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସହିତ ସଂସଦ ଭବନରେ ପହଞ୍ଚିଥିଲେ । ଓ୍ବାୟନାଡ ଲୋକସଭା ଆସନରୁ ବିଜୟୀ ହେବା ପରେ ପ୍ରଥମ ଥର କୌଣସି ସାଂସଦ କେରଳି ସଂସ୍କୃତି ସହିତ ସଂସଦରେ ପହଞ୍ଚିଥିଲେ । ସେ କେରଳର କସଭୁ ପାଟ ଶାଢୀ ପିନ୍ଧିଥିଲେ । ଧାଳା ପାଟ ଶାଢୀରେ ସୁନେଲୀ ବର୍ଡର ବିଶେଷ କରି ମାଲାୟମ୍ ସଂସ୍କୃତିକୁ ବଖାଣୁଥିଲା । ଲୋକସଭା କାର୍ଯ୍ୟ ଆରମ୍ଭ କ୍ଷଣି ବାଚସ୍ପତି ଓମ୍ ବିର୍ଲା ତାଙ୍କ ଡାକିଥିଲେ । ପ୍ରିୟଙ୍କା ଗାନ୍ଧି ଭଦ୍ରା ଶପଥ ନେବା ବେଳେ ସ୍ବାମୀ ରବଟ୍ ଭଦ୍ରା ଏବଂ ପରିବାର ଲୋକସଭା ଗ୍ୟାଲେରୀ ରେ ଉପସ୍ଥିତ ଥିଲେ ।
ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ୍ବାୟନାଡ ଲୋକସଭା ଆସନ ଛାଡ଼ି ପରେ ଏହି ସିଟ୍ ଉପ-ନିର୍ବାଚନ ହୋଇଥିଲା । କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧି ଏହି ସିଟରୁ ପ୍ରାର୍ଥୀ ହୋଇଥିଲେ । ସେ ସିପିଆଇ ପ୍ରାର୍ଥୀ ସତ୍ୟନ ମୋକେରୀଙ୍କୁ ୪ ଲକ୍ଷ ୧୦ ଭୋଟରେ ମାତ୍ ଦେଇ ସଂସଦର ନିମ୍ନ ଗୃହକୁ ନିର୍ବାଚିତ ହୋଇଛନ୍ତି । ବୁଧବାର ତାଙ୍କୁ ନିର୍ବାଚନ ପ୍ରମାଣପତ୍ର ମିଳିବା ପରେ ଗୁରୁବାର ଶପଥ ନେଇଛନ୍ତି ।