'ଗାନ୍ଧୀ ପରିବାର ବାହାରୁ ଜଣଙ୍କୁ କଂଗ୍ରେସର ନେତୃତ୍ୱ ଦିଆଯାଉ'- ପ୍ରିୟଙ୍କା ଗାନ୍ଧୀ

Published By : Prameya-News7 Bureau | August 19, 2020 IST

ନୂଆଦିଲ୍ଲୀ ୧୯/୦୮ : ପ୍ରିୟଙ୍କା ଗାନ୍ଧୀ କଂଗ୍ରେସକୁ ନେଇ ଏକ ବଡ ବୟାନ ଦେଇଛନ୍ତି | ସେ କହିଛନ୍ତି ଦଳର ନେତୃତ୍ୱ ଜଣେ ଅଣ-ଗାନ୍ଧୀ ବା ଗାନ୍ଧୀ ପରିବାର ବାହାରର କେହି ନେତା ନେବା ଉଚିତ | ଏକ ବହିରେ ପ୍ରକାଶିତ ଏକ ସାକ୍ଷାତକାରରେ ପ୍ରିୟଙ୍କା ଏହା କହିଛନ୍ତି | ଏହି ସାକ୍ଷାତକାର ଇଂରାଜୀ ଖବରକାଗଜ ଟାଇମ୍ସ ଅଫ ଇଣ୍ଡିଆରେ ମଧ୍ୟ ପ୍ରକାଶ ପାଇଛି | ଏହି ସାକ୍ଷାତକାରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଦଳର ନେତୃତ୍ୱ, ବିଜେପି ସହ ଦଳୀୟ ରଣନୀତି ଏବଂ ତାଙ୍କ ଉପରେ ରାଜନୈତିକ ଆକ୍ରମଣ ଦ୍ୱାରା ତାଙ୍କ ପାରିବାରିକ ଜୀବନରେ ପଡିଥିବା ପ୍ରଭାବ ସଂପର୍କରେ ମଧ୍ୟ ମତ ରଖିଛନ୍ତି ।

କଂଗ୍ରେସ ନେତୃତ୍ୱ ପ୍ରସଙ୍ଗରେ ପ୍ରିୟଙ୍କା ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ମତାମତକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି, "ରାହୁଲ ଯେଭଳି କହିଥିଲେ ଯେ ଆମମାନଙ୍କ ମଧ୍ୟରୁ କେହି ଦଳର ଅଧକ୍ଷ ହେବା ଉଚିତ ନୁହେଁ । ମୁଁ ମଧ୍ୟ ରାହୁଲଙ୍କ ସହ ଏନେଇ ମତାମତ| ମୋତେ ଲାଗୁଛି ବର୍ତ୍ତମାନ ଦଳକୁ ନିଜ ରାସ୍ତା ଖୋଜିବା ଆବଶ୍ୟକ ।"

ପ୍ରିୟଙ୍କାଙ୍କୁ ପଚରା ଯାଇଥିଲା, କଂଗ୍ରେସ, ବିଜେପି ବିରୋଧରେ ଧାରଣା ଲଢେଇରେ ହାରିସାରିଛି ? ଏହି ପ୍ରଶ୍ନର ଜବାବରେ ପ୍ରିୟଙ୍କା କହିଛନ୍ତି, ମୋତେ ଲାଗୁଛି କଂଗ୍ରେସ ନ୍ୟୁ ମିଡ଼ିଆ (ସୋସିଆଲ୍‌ ମିଡିଆ)କୁ ବୁଝିବାକୁ ବିଳମ୍ବ କରିଦେଇଥିଲା । ଆଉ ଯେତେବେଳେ ସୋସିଆଲ୍‌ ମିଡିଆ ଜରିଆରେ ନିଜ ବିଚାର ରଖିବା ଆରମ୍ଭ କରିଥିଲା ସେତେବେଳକୁ ବହୁତ କ୍ଷତି ହୋଇସାରିଥିଲା । ଏହା କହିବା ବେଳେ ପ୍ରିୟଙ୍କା ଗାନ୍ଧୀ କିନ୍ତୁ ସ୍ପଷ୍ଟ କରିଛନ୍ତି, କୌଣସି ଅଣ-ଗାନ୍ଧୀ ଯଦି ଦଳର ଅଧ୍ୟକ୍ଷ ହୁଅନ୍ତି , ତାହେଲେ ସେ ତାଙ୍କ (ଅଧ୍ୟକ୍ଷଙ୍କ) ନିର୍ଦ୍ଦେଶ ପାଳନ କରିବେ ।

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ପ୍ରିୟଙ୍କା କହିଛନ୍ତି, ସ୍ୱାମୀ ରବର୍ଟ ଭଦ୍ରାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହେତୁ ତାଙ୍କ ପରିବାର ପ୍ରଭାବିତ ହୋଇଥିଲା । ତାହାର ପ୍ରଭାବ ତାଙ୍କ ପୁଅ ଓ ଝିଅଙ୍କ ଉପରେ ମଧ୍ୟ ପଡିଥିଲା ଓ ସେମାନେ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥିଲେ । ସେ କହିଛନ୍ତି, ଯେତେବେଳେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଆରୋପ ଲଗାଯାଇଥିଲା, ସେତେବେଳେ ସେ ତାଙ୍କ ୧୩ ବର୍ଷର ପୁଅକୁ ସବୁ କଥା ବୁଝାଇଥିଲେ |ଏପରିକି ସେ ପୁଅକୁ ସବୁ କଥା ବୁଝାଇବା ସହ ତାଙ୍କ ବ୍ୟାଙ୍କ ନେଣଦେଣର ସମସ୍ତ ତଥ୍ୟ ବି ଦେଖାଇଥିଲେ । ଏହିସବୁ କଥା ସେ ନିଜ ଝିଅକୁ ମଧ୍ୟ ବୁଝାଇଥିଲେ ବୋଲି କହିଛନ୍ତି | ପ୍ରିୟଙ୍କା କହିଛନ୍ତି , ସେ ନିଜ ପୁଅ-ଝିଅଙ୍କ ଠାରୁ କୌଣସି କଥା ଲୁଚାନ୍ତିନାହିଁ । ଏପରିକି ନିଜ ଭୁଲ କିମ୍ବା ଦୁର୍ବଳତା ମଧ୍ୟ ଲୁଚାନ୍ତିନି ବୋଲି କହିଛନ୍ତି | ପ୍ରିୟଙ୍କା ଆହୁରି କହିଛନ୍ତି, ରବର୍ଟ ଭଦ୍ରାଙ୍କ ବିରୋଧରେ ଅଭିଯୋଗ ନେଇ ତମ୍ବିତୋଫାନ ବେଳେ, ତାଙ୍କ ପୁଅ ବୋର୍ଡିଂ ସ୍କୁଲରେ ଥିଲା । ସେଥିଯୋଗୁଁ ତାଙ୍କୁ ମଧ୍ୟ ବହୁତ ଅସୁବିଧା ସାମ୍ନା କରିବାକୁ ପଡିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.