କାହିଁକି ବାରଣାସୀରୁ ମୋଦିଙ୍କ ବିପକ୍ଷରେ ଲଢ଼ିଲେ ନାହିଁ ପ୍ରିୟଙ୍କା : ନିଜେ କଲେ ଖୁଲାସା

Published By : Prameya-News7 Bureau | April 28, 2019 IST

ବାରଣାସୀ ୨୮/୪ : ଉତ୍ତର ପ୍ରଦେଶ ବାରଣାସୀ ଲୋକସଭା ଆସନରୁ ନିର୍ବାଚନ ନ ଲଢ଼ିବା ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରଥମଥର ପାଇଁ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ, ତାଙ୍କ କାନ୍ଧ ଉପରେ ପୁରା ଉତ୍ତର ପ୍ରଦେଶର ପ୍ରଚାର ଭାର ରହିଛି | କେବଳ ଗୋଟିଏ ନୁହେଁ ବରଂ ୪୧ ଆସନରୁ ଦଳ ଜିତାଇବା ଦାୟିତ୍ୱ ତାଙ୍କ ଉପରେ ରହିଛି | କିନ୍ତୁ ଗୋଟିଏ ଜାଗାରେ ରହି ଏସବୁ ସମ୍ଭବ ନୁହେଁ ବୋଲି କହିଛନ୍ତି ପ୍ରିୟଙ୍କା |


ମାର୍ଚ୍ଚ ୨୮ ତାରିଖରେ ରାୟବରେଲୀରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ପାଇଁ ପ୍ରଚାର କରିବା ପାଇଁ ଆସିଥିଲେ ପ୍ରିୟଙ୍କା | ପ୍ରଚାର ବେଳେ ଜନତା ପ୍ରିୟଙ୍କାଙ୍କୁ ନିର୍ବାଚନ ଲଢ଼ିବା ନେଇ ପ୍ରଶ୍ନ କରିଥିଲେ | ସେତେବେଳେ ପ୍ରିୟଙ୍କା ଓଲଟା ପ୍ରଶ୍ନ କାର୍ଯ୍ୟକର୍ତ୍ତାଙ୍କୁ ହିଁ ପଚାରିଥିଲେ ଯେ, ସେ ବାରଣାସୀ ଆସନରୁ ଲଢ଼ିବେ କି ? ପ୍ରିୟଙ୍କା ଏବଂ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅନୌପଚାରିକ ଭାବେ କଥାବାର୍ତ୍ତା କରିଥିଲେ | ଏହାପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ, ପ୍ରିୟଙ୍କା ବାରଣାସୀ ଆସନରୁ ଲଢ଼ିପାରନ୍ତି |


ଏହି ଚର୍ଚ୍ଚା ଉପରେ କଂଗ୍ରେସ ପ୍ରବକ୍ତା ଏବଂ ଏମଏଲସି ଦୀପକ ସିଂହ ମଧ୍ୟ କହିଥିଲେ ଯେ, ପ୍ରିୟଙ୍କା ବାରଣାସୀ ଆସନରୁ ନିର୍ବାଚନ ଲଢ଼ିବେ | ପ୍ରିୟଙ୍କା ବାରଣାସୀରୁ ନିର୍ବାଚନ ଲଢ଼ିବା ପାଇଁ ପୁରା ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ଦୀପକ | ଦିନେ ଦୁଇ ଦିନ ଭିତରେ ପ୍ରିୟଙ୍କା ନାମାଙ୍କନ ମଧ୍ୟ ଦାଖଲ କରିବେ ବୋଲି କହିଥିଲେ ଦୀପକ | ପ୍ରିୟଙ୍କା ମଧ୍ୟ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ସେ ବାରଣାସୀରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି | କିନ୍ତୁ ଗତ ୨୫ ତାରିଖରେ ଏହା ସ୍ପଷ୍ଟ ହୋଇଯାଇଥିଲା ଯେ, ପ୍ରିୟଙ୍କା ବାରଣାସୀରୁ ନିର୍ବାଚନ ଲଢ଼ିବେ ନାହିଁ | ୨୫ ତାରିଖରେ ଅଜୟ ରାୟଙ୍କୁ କଂଗ୍ରେସ ବାରଣାସୀ ଲୋକସଭା ଆସନ ଟିକେଟ ଦେଇଥିଲା | ୨୦୧୪ ମସିହାରେ ମଧ୍ୟ ଅଜୟ ରାୟ ବାରଣାସୀରୁ ମୋଦିଙ୍କ ବିପକ୍ଷରେ ଲଢ଼ିଥିଲେ | କିନ୍ତୁ ସେତେବେଳେ ମଧ୍ୟ ସେ ହାରିଯାଇଥିଲେ | ପ୍ରିୟଙ୍କା ଗାନ୍ଧୀ ବାରଣାସୀ ଆସନରୁ ନ ଲଢ଼ିବା ନିଷ୍ପତ୍ତି ସେ ନିଜେ ନେଇଥିଲେ ବୋଲି କହିଛନ୍ତି କଂଗ୍ରେସ ନେତା ସାମ ପିଟ୍ରୋଡା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.