ଓ୍ବାୟନାଡ ୨୩/୧୧: ନିର୍ବାଚନୀ ମଇଦାନରେ ପ୍ରିୟଙ୍କା ଗାନ୍ଧିଙ୍କ କମାଲ୍ । ପଦାର୍ପଣ ଇଲେକ୍ସନରେ ବିଜୟ ମୁହାଁ ହୋଇଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତ୍ରୀ । ଓ୍ବାୟନାଡ ଲୋକସଭା କ୍ଷେତ୍ରରେ ପ୍ରିୟଙ୍କା ଗାନ୍ଧି ପ୍ରାୟ ୩ଲକ୍ଷ ଭୋଟରେ ଆଗରେ ରହିଛନ୍ତି । ଭୋଟ୍ ଗଣତି ଜାରି ରହିଥିବା ବେଳେ ଏବେ ସୁଦ୍ଧା ତାଙ୍କୁ ୪, ୬୧, ୫୬୬ ଖଣ୍ଡ ଭୋଟ୍ ମିଳିଛି । କଂଗ୍ରେସ ବିପକ୍ଷରେ ଛିଡ଼ା ହୋଇଥିବା ସିପିଆଇ ପ୍ରାର୍ଥୀ ସଥ୍ୟାନ୍ ମୋଙ୍କରିଙ୍କୁ ୧, ୫୬ ୬୪୬ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ନଭ୍ୟା ହରିଦାସଙ୍କୁ ୮୪, ୪୯୯ ଖଣ୍ଡ ଭୋଟ୍ ମିଳିଛି ।
କେରଳର ଓ୍ବାୟନାଡ ଲୋକସଭା ଆସନ ପୂର୍ବରୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଅଧୀନରେ ଥିଲା । ସେ ୨୦୧୯ ଲୋକସଭା ନିର୍ବାଚନରେ ଓ୍ବାୟନାଡରୁ ନିର୍ବାଚିତ ହୋଇଥିଲେ । ଦ୍ବିତୀୟ ଥର ପାଇଁ ୨୦୨୪ରେ ମଧ୍ୟ ଏହି ସିଟରୁ ସାସଂଦ ଭାବେ ବିଜୟ ଲାଭ କରିଥିଲେ । ମାତ୍ର ୨୦୨୪ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧି ଦୁଇଟି ଲୋକସଭା ଆସନରୁ ଜିତିବାରୁ ତାଙ୍କୁ ଓ୍ବାୟନାଡ ସିଟ୍ ଛାଡ଼ିବାକୁ ପଡ଼ିଥିଲା । ତେବେ ଉପନିର୍ବାଚନରେ ଭଉଣୀ ପ୍ରିୟଙ୍କା ଗାନ୍ଧି ଏଠାରେ ପ୍ରାର୍ଥୀ ହୋଇ ନିର୍ବାଚନୀ ବୈତରଣୀ ପାର୍ ହେବାକୁ ପ୍ରୟାସ କରୁଛନ୍ତି । ଶନିବାର ଭୋଟ୍ ଗଣତି ଜାରି ରହିଥିବା ବେଳେ ସମସ୍ତ ବିରୋଧୀ ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି ପ୍ରିୟଙ୍କା ଗାନ୍ଧି । ସେ ପ୍ରାୟ ୩ ଲକ୍ଷରୁ ଅଧିକ ଭୋଟରେ ଆଗରେ ରହିଛନ୍ତି । ଓ୍ବାୟନାଡରୁ ତାଙ୍କର ବିଜୟ ନିଶ୍ଚିତ ।