ମୋଦି ସରକାରଙ୍କ ଉପରେ ପ୍ରିୟଙ୍କାଙ୍କ ବଡ ହମଲା : ‘ନମସ୍ତେ ଟ୍ରମ୍ପ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେଲା ଅଥଚ ଶ୍ରମିକଙ୍କ ପାଇଁ କାହିଁକି ନାହିଁ ?’

Published By : Prameya-News7 Bureau | May 04, 2020 IST

ନୂଆଦିଲ୍ଲୀ ୦୪/୦୫ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି | ପ୍ରବାସୀ ଶ୍ରମିକଙ୍କ ଠାରୁ ରେଳବାଇ ଭଡା ଆଦାୟ କରିଥିବା ଘଟଣାକୁ ନେଇ ପ୍ରିୟଙ୍କା ବିଜେପି ସରକାରଙ୍କୁ ଆକ୍ଷେପ କରିଛନ୍ତି | ସେ ପ୍ରଶ୍ନ କରିଛନ୍ତି, ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯଦି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାରୁଛି ତାହେଲେ ପ୍ରବାସୀ ଶ୍ରମିକଙ୍କୁ କାହିଁକି ମାହାଳିଆ ରେଳ ଯାତ୍ରା ଉପଲବ୍ଧ କରାଯାଇପାରିବ ନାହିଁ |

ପ୍ରିୟଙ୍କା ଟ୍ୱିଟ କରି କହିଛନ୍ତି, ଶ୍ରମିକ ରାଷ୍ଟ୍ର ନିର୍ମାତା | କିନ୍ତୁ ଆଜି ଏହିଭଳି ସଙ୍କଟ ପରିସ୍ଥିତିରେ ଶ୍ରମିକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହା ସାରା ଦେଶ ପାଇଁ ଦୁଃଖର ବିଷୟ | ସେ ଆହୁରି ପ୍ରଶ୍ନ କରିଛନ୍ତି ଯେ, ବିଦେଶରେ ଫସି ରହିଥିବା ନାଗରିକଙ୍କୁ ଯଦି ସରକାର ବିମାନ ଯୋଗେ ନିଃଶୁଳ୍କ ନିଜ ଦେଶକୁ ଫେରାଇ ଆଣିପାରୁଛନ୍ତି, ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ୧୦୦ କୋଟି ଖର୍ଚ୍ଚ କରିପାରୁଛନ୍ତି, ରେଳମନ୍ତ୍ରୀ ପିଏମ କେୟାର ଫଣ୍ଡରେ ୧୫୧ କୋଟି ଟଙ୍କା ଦେଇପାରୁଛନ୍ତି ତାହେଲେ ଏହିଭଳି ସଙ୍କଟ ସମୟରେ ଶ୍ରମିକଙ୍କୁ ନିଃଶୁଳ୍କ ରେଳ ଯାତ୍ରା ସୁବିଧା କାହିଁକି ଦିଆଯାଇପାରିବ ନାହିଁ ?

ପ୍ରିୟଙ୍କା କହିଛନ୍ତି, ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ନିଷ୍ପତ୍ତି ନେଇଛି ଯେ ରେଳ ଯୋଗେ ଘରକୁ ଫେରୁଥିବା ଶ୍ରମିକଙ୍କ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବ | ସୂଚନାଯୋଗ୍ୟ ଯେ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆଜି ଘୋଷଣା କରିଛନ୍ତି ଯେ ଶ୍ରମିକ ନିଜ ଘରକୁ ଫେରିବା ପାଇଁ ଯାହା ଖର୍ଚ୍ଚ ହେବ ତାହା ପ୍ରଦେଶ କଂଗ୍ରେସ ବହନ କରିବ | ଶ୍ରମିକଙ୍କ ନିଃଶୁଳ୍କ ରେଳ ଯାତ୍ରା ପାଇଁ କଂଗ୍ରେସ ବାରମ୍ବାର ଦାବି କରିବା ସତ୍ୱେ ନା ସରକାର କର୍ଣପାତ କଲେ ନା ରେଳ ମନ୍ତ୍ରାଳୟ | ସେଥିପାଇଁ କଂଗ୍ରେସ ନିଷ୍ପତ୍ତି ନେଇଛି ଯେ, ପ୍ରତ୍ୟେକ ପ୍ରଦେଶ କଂଗ୍ରେସ କମିଟି ଶ୍ରମିକଙ୍କ ରେଳ ଖର୍ଚ୍ଚ ବହନ କରିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.