ପୁରା ବିଲ୍ ପୈଠ କରି ନାହାନ୍ତି ତଥାପି ଶବ ଦେବାକୁ ମନା କରିପାରିବେନି ଘରୋଇ ହସ୍ପିଟାଲ, ଜାଣନ୍ତୁ କ’ଣ ରହିଛି ସୁପ୍ରିମକୋର୍ଟଙ୍କ ଅର୍ଡର

Published By : Prameya-News7 Bureau | December 16, 2022 IST

ନୂଆଦିଲ୍ଲୀ ୧୬।୧୨: ଦେଶରେ ପ୍ରାୟତଃ ଘରୋଇ ହସ୍ପିଟାଲମାନଙ୍କରେ ଆଦାୟ କରାଯାଉଥିବା ଚାର୍ଜ ଓ ବିଲ୍‌କୁ ନେଇ ହଙ୍ଗାମା ହେଉଥିବାର ଖବର ସାମ୍ନାକୁ ଆସିଥାଏ। କେବେ କେବେ ଏମିତି ମାମଲା ମଧ୍ୟ ସାମ୍ନାକୁ ଆସେ ଯେତେବେଳେ ଘରୋଇ ହସ୍ପିଟାଲ ବାକି ପଇସା ପାଇଁ ମୃତ ରୋଗୀର ଶବକୁ ପରିବାରକୁ ହସ୍ତାନ୍ତର କରୁ ନାହାନ୍ତି।  ଆର୍ଥିକ ଦୁର୍ବଳ ଓ ଘରୋଇ ହସ୍ପିଟାଲରେ ମହଙ୍ଗା ଚିକିତ୍ସା କରାଉଥିବା ରୋଗୀଙ୍କ ପରିଜନଙ୍କୁ ପ୍ରାୟ ଏପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଖୁବ କମ ଲୋକେ ଜାଣନ୍ତି ବକେୟା ବିଲ୍‌ ଦାବିରେ ହସ୍ପିଟାଲ କର୍ତ୍ତୃପକ୍ଷ ଶବକୁ ଅଟକାଇ ରଖିପାରିବେନି । ଯେଦି କେହି ଏପରି କରନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇ ପାରିବ।

ଏ ସମ୍ପର୍କରେ ସୋସିଆଲ ଜୁରିଷ୍ଟ ଅଶୋକ ଅଗ୍ରୱାଲ କହଛନ୍ତି ଯେ ୨୦୧୮ମସିହାରେ ସୁପ୍ରିମକୋର୍ଟ କିଛି ହସ୍ପିଟାଲଙ୍କୁ ନେଇ ଦିଲ୍ଲୀ ସରକାର, ଡିଡିଏ ଓ ସୋସିଆଲ ଜୁରିଷ୍ଟଙ୍କ ପକ୍ଷରୁ ଦିଆଯାଇଥିବା ଏସଏଲପିରେ ଏକ କଡା ଆଦେଶ ଜାରି କରିଛନ୍ତି। ୟୁନିୟନ ଅଫ ଇଣ୍ଡିଆ ବନାମ ମୁଲଚନ୍ଦ ଖୈରାତିରାମ ଟ୍ରଷ୍ଟ ମାମଲାରେ ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ୟୁ.ୟୁ.ଲଲିତ ଓ ଜଷ୍ଟିସ୍ ଅରୁଣ ମିଶ୍ର ପାରା ୭୦ରେ ଏ ବାବଦେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି।

କୋର୍ଟ କହିଛନ୍ତି ଯେ ଏହା ଦୁର୍ଭାଗ୍ୟର ବିଷୟ କିଛି ଏପରି ମାମଲା ସାମ୍ନାକୁ ଆସୁଛି ଯେଉଁଠି କେତେକ ଘରୋଇ ହସ୍ପିଟାଲ ବିଲର ପୁରା ପଇସା ପୈଠ ନ ହେବା ପର୍ଯ୍ୟନ୍ତ ମୃତ ଦେହକୁ ସିକ୍ୟୁରିଟି ରୂପେ ରଖି ନେଉଛନ୍ତି। କୋର୍ଟ ଏହାକୁ ସମ୍ପୂର୍ଣ୍ଣ ବେ ଆଇନ ଓ ଅପରାଧିକ କାର୍ଯ୍ୟ ବୋଲି କହିଛନ୍ତି। ଏଥିରେ କୋର୍ଟ କହିଛନ୍ତି ଯେ ଯଦି ଭବିଷ୍ୟତରେ ଏପରି ଅଭିଯୋଗ ହୁଏ ଓ ମାମଲା ପୋଲିସ ନିକଟକୁ ଯାଏ ତେବେ ପୋଲିସକୁ ଆଦେଶ ଦିଆଯାଉଛି ଯେ ସେ ହସ୍ପିଟାଲର ମ୍ୟାନେଜମେଣ୍ଟ ଓ ସେଠାରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିବେ।

ଏଣୁ ଦେଶରେ ଲୋକଙ୍କୁ ଏ ସମ୍ପର୍କରେ ସୂଚନା ରହିବା ଦରକାର ଯେ ବିଲ ପୈଠକୁ ନେଇ ଶବ ଦେବାର ଏପରି କୌଣସି ମାମଲା ଉପୁଜିଲେ ଲୋକେ ପୋଲିସ ସହାୟତା ନେଇ ପାରିବେ ଓ  ପୋଲିସ କାର୍ଯ୍ୟାନୁଷ୍ଠାନ କରିପାରିବ। ଏ ବାବଦେ ଲୋକେ ପୋଲିସକୁ ସୁପ୍ରିମକୋର୍ଟଙ୍କ ଆଦେଶ ସମ୍ପର୍କରେ ମଧ୍ୟ ସୂଚିତ କରିପାରିବେ। ଏପରି ମାମଲାରେ ପୋଲିସ ଅଭିଯୋଗ ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ କରିବେ। ଅଗ୍ରୱାଲ କହିଛନ୍ତି ଯେ ଏହି ଆଦେଶ ଏବେ ମଧ୍ୟ ପ୍ରାସଙ୍ଗିକ କାରଣ ପ୍ରାୟ ଦିନ ଘରୋଇ ହସ୍ପିଟାଲରେ ଏଭଳି ଘଟଣାମାନ ଘଟୁଛି। ନିକଟରେ ଦିଲ୍ଲୀର ଏକ ଘରୋଇ ଓ ଏକ ଅର୍ଦ୍ଧସରକାରୀ ହସ୍ପିଟାଲରେ ଏପରି ଘଟଣା ଘଟିଥିଲା। ଯାହାକୁ ନେଇ ହସ୍ପିଟାଲରେ ହଙ୍ଗାମା ହୋଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.