ବିସିସିଆଇକୁ ପୃଥ୍ଵୀ ଶଙ୍କ ମୁହଁତୋଡ ଜବାବ, ଖେଳିଲେ ଐତିହାସିକ ତ୍ରିଶତକୀୟ ଇନିଂସ

Published By : Prameya-News7 Bureau | January 11, 2023 IST

ନୂଆଦିଲ୍ଲୀ: ବିସିସିଆଇକୁ ପୃଥ୍ଵୀ ଶଙ୍କ ମୁହଁତୋଡ ଜବାବ। ରଣଜୀ ଟ୍ରଫିରେ ଖେଳିଲେ ଐତିହାସିକ ଇନିଂସ। ରଣଜୀ ଟ୍ରଫିର ୨୦୨୨-୨୩ର ସିଜିନ୍ ଜାରି ରହିଛି। ବର୍ଷର ଦ୍ଵିତୀୟ ସପ୍ତାହରେ ଦେଶର ସବୁଠୁ ବଡ ଘରୋଇ ଟୁର୍ଣ୍ଣାମେଣ୍ଟରେ ଏକ ନୂତନ ରେକର୍ଡ ପ୍ରତିଷ୍ଠା ହୋଇଛି। ମୁମ୍ବାଇ ଦଳରୁ ଖେଳୁଥିବା ପୃଥ୍ଵୀ ଶ ଆସାମ ବିପକ୍ଷ ରଣଜୀ ମ୍ୟାଚ୍‌ର ଗୋଟିଏ ଇନିଂସରେ ୩୭୯ ରନ କରିଛନ୍ତି। ଏହିପରି ରଣଜୀ ଟ୍ରଫିର ଇତିହାସରେ ଗୋଟିଏ ଇନିଂସରେ ସର୍ବାଧିକ ରନ ତାଲିକାରେ ଦ୍ଵିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହା ପୂର୍ବରୁ ସଞ୍ଜୟ ମାଞ୍ଜରେକର ୩୭୭ ରନ ସହିତ ଦ୍ଵିତୀୟ ସ୍ଥାନରେ ଥିଲେ। ନିଜର ଏହି ଇନିଂସ ଜରିଆରେ ପୃଥ୍ଵୀ ଶ ବିସିସିଆଇକୁ ଦୃଢ ଜବାବ ଦେଇଛନ୍ତି।

ଗତ ସନ୍ଧ୍ୟାରେ ତଥା ମ୍ୟାଚ୍‌ର ପ୍ରଥମ ଦିନରେ ପୃଥ୍ଵୀ ଶ ୨୪୦ ରନ କରି ଅପରାଜିତ ଥିଲେ। ବୁଧବାର ଇନିଂସକୁ ଆଗକୁ ବଢାଇ ପ୍ରଥମେ ତ୍ରିଶତକ ଅର୍ଜନ  କରିବା ସହିତ ୩୫୦ ଅଙ୍କ ଛୁଇଁଥିଲେ। ଏହା ପରେ ପୃଥ୍ଵୀ ଶ ନିଜର ଏହି ଇନିଂସ ଜରିଆରେ ସ୍ଵପ୍ନିଲ ଗୁଗାଲେ(୩୫୧*), ଚେତେଶ୍ଵର ପୂଜାରା(୩୫୨), ଭିଭିଏସ ଲକ୍ଷ୍ମଣ(୩୫୩), ସମିତ ଗୋହେଲ(୩୫୯*), ବିଜୟ ମର୍ଚ୍ଚାଣ୍ଟ(୩୫୯*) ଏବଂ ସଞ୍ଜୟ ମାଞ୍ଜ୍ରେକର(୩୭୭)ଙ୍କୁ ପଛରେ ପକାଇଛନ୍ତି। ରଣଜୀ ଟ୍ରଫିର ଗୋଟିଏ ଇନିଂସରେ ସର୍ବାଧିକ ରନ ତାଲିକାରେ ଶୀର୍ଷରେ ଅଛନ୍ତି ଭାଉସାହେବ ନିମ୍ବଲକର। ଭାଉସାହେବ ମହାରାଷ୍ଟ୍ର ପକ୍ଷରୁ ରଣଜୀ ଟ୍ରଫିରେ କାଠିଆଓ୍ଵାଡ ବିପକ୍ଷରେ ୧୯୪୮ରେ ୪୪୩ ରନ କରିଥିଲେ।

{"id":732066,"sizeSlug":"full","linkDestination":"none"}

ଭାରତୀୟ ଦଳ ପକ୍ଷରୁ ଖେଳି ସାରିଥିବା ପୃଥ୍ଵୀ ଶ ଗୋଟିଏ ବର୍ଷରୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସେ ଭାରତୀୟ ଜାତୀୟ ଦଳ ପାଇଁ ଶେଷ ଥର ୨୦୨୧ ଜୁଲାଇ ୧୫ରେ ଖେଳିଥିଲେ। ଏହା ପରେ ସେ ସୀମିତ ଓଭର ଫର୍ମାଟ୍‌ରେ ନିୟମିତ ଭଲ ପ୍ରଦର୍ଶନ କରି ଆସିଛନ୍ତି। ଏହା ସତ୍ତ୍ଵେ ବି ପୃଥ୍ଵୀ ଶଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳୁନାହିଁ। ଚୂଡାନ୍ତ ଏକାଦଶ କଥା ଛାଡନ୍ତୁ ତାଙ୍କୁ ୧୫ ଜଣିଆ ଦଳରେ ବି ସ୍ଥାନ ମିଳୁନାହିଁ।

ଏହି ସବୁ ମଧ୍ୟରେ ପୃଥ୍ଵୀ ୩୮୩ ବଲ୍‌ରେ ୩୭୯ ରନର ଦମଦାର ଇନିଂସ ଖେଳି ପୁଣି ଥରେ ଭାରତୀୟ ଦଳର ଜର୍ସି ପିନ୍ଧିବା ପାଇଁ ନିଜର ଦାବିଦାର ଉପସ୍ଥାପନ କରିଛନ୍ତି। ଏହି ଇନିଂସ  ଜରିଆରେ ସେ ବିସିସିଆଇକୁ ଉଚିତ୍ ଜବାବ ଦେଇଛନ୍ତି। ବିଡମ୍ବନାର କଥା ସାଧାରଣ ଦର୍ଶକ ଏବଂ କ୍ରୀଡା ପ୍ରେମୀ ପୃଥ୍ଵୀ ଶୋଙ୍କ ଏହି ଇନିଂସ ବିଷୟରେ ବେଶ ଅବଗତ ନାହାନ୍ତି। କାରଣ ଏହି ମ୍ୟାଚ୍‌ର କୌଣସି ସିଧାପ୍ରସାରଣ ହେଉନଥିଲା। ଗୋଟିଏ ଦୁଇଟି ଟ୍ଵିଟର ହ୍ୟାଣ୍ଡେଲ୍ ଜରିଆରେ ପୃଥ୍ଵୀ ଶଙ୍କ ଇନିଂସର ସୂଚନା ମିଳୁଥିଲା। ଯାହା କଦାପି ସ୍ଵୀକାର୍ଯ୍ୟ ନୁହେଁ ବୋଲି କ୍ରିକେଟ୍ ପ୍ରଶଂସକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.