କଏଦୀଙ୍କୁ ନିର୍ମମ ମାଡ ମାରି 'ଜୟ ଶ୍ରୀ ରାମ' ନାରା ଲଗାଇଲେ, ହାଇକୋର୍ଟର ଦ୍ଵାରସ୍ଥ ହେଲେ ଅଭିଯୁକ୍ତ ISIS ଆତଙ୍କୀ

Published By : Prameya-News7 Bureau | June 09, 2021 IST

ନୂଆଦିଲ୍ଲୀ ୦୯।୦୬: ଦେଶରେ ଆତ୍ମଘାତୀ ଆକ୍ରମଣ ଏବଂ ସିରିଏଲ ବ୍ଲାଷ୍ଟ କରିବାକୁ ଯୋଜନା କରିଥିବା ଅଭିଯୋଗରେ ଗିରଫ ଅଭିଯୁକ୍ତ ଦିଲ୍ଲୀ ଉଚ୍ଚନ୍ୟାୟାଳୟରେ ଆବେଦନ ଦାଖଲ କରିଛନ୍ତି। ଦୁର୍ଦ୍ଦାନ୍ତ ଆତଙ୍କୀ ସଂଗଠନ ଆଇଏସଆଇଏସର ଏହି ସନ୍ଦିଗ୍ଧ ଆତଙ୍କବାଦୀ ଅଦାଲତରେ କହିଛନ୍ତି ଯେ, ଦିଲ୍ଲୀ ତିହାର ଜେଲ୍‌ରେ ତାଙ୍କ ସାଥୀ କଏଦୀ ତାଙ୍କୁ ନିର୍ମମ ମାଡ ମାରି ତାଙ୍କ ମୁହଁରୁ ବଳପୂର୍ବକ 'ଜୟ ଶ୍ରୀ ରାମ' ନାରା ଲଗାଇଛନ୍ତି।

ଆଡଭୋକେଟ୍ ଏମଏସ ଖାନ କହିଛନ୍ତି, ଏହି ଘଟଣା ବିଷୟରେ ପୀଡିତ କଏଦୀ ତିହାର ଜେଲ୍‌ରେ ଲାଗିଥିବା ଟେଲିଫୋନ ଜରିଆରେ ନିଜ ବାପାଙ୍କୁ ଏହି ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପୀଡିତ ଅଭିଯୁକ୍ତଙ୍କୁ ତାଙ୍କ ସାଥୀ କଏଦୀ ମାଡ ମାରି ବଳପୂର୍ବକ 'ଜୟ ଶ୍ରୀ ରାମ' ନାରା ଲଗାଇଛନ୍ତି। ସୂଚନାଯୋଗ୍ୟ, ଅଭିଯୁକ୍ତ ରାଶିଦ ଜାଫରଙ୍କୁ ୨୦୧୮ରେ ଆତଙ୍କୀ ସଂଗଠନ ଆଇଏସଆଇଏସର ସଦସ୍ୟ ହୋଇଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ଏହି ଆତଙ୍କୀ ସଂଗଠନ ସେହି ସମୟରେ ଦିଲ୍ଲୀରେ ସିରିଏଲ ବ୍ଲାଷ୍ଟ କରିବାକୁ ଯୋଜନା କରିଥିଲେ। ଏପରିକି ଅଲଗା ଅଲଗା ରାଜନୈତିକ ନେତାଙ୍କୁ ଟାର୍ଗେଟ୍ କରିବାକୁ ଷଡଯନ୍ତ୍ର ରଚିଥିଲେ।

ଅଭିଯୁକ୍ତ ରାଶିଦ ଜାଫରଙ୍କୁ ୨୦୧୮ ଡିସେମ୍ବର ୯ରେ ଅନ୍ୟ ୯ ଅଭିଯୁକ୍ତଙ୍କ ସହ ଗିରଫ କରାଯାଇଥିଲା। ସେହି ସମୟରେ ଏନଆଇଏ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏବଂ ଉତ୍ତର ପ୍ରଦେଶର ଆତଙ୍କରୋଧୀ ଟିମ୍‌ ସହ ମିଶି ଦିଲ୍ଲୀର ଜାଫରାବାଦ ଓ ସିଲମପୁରରେ ୬ଟି ସ୍ଥାନରେ ଚଢାଉ କରିଥିବା ବେଳେ ଉତ୍ତର ପ୍ରଦେଶର ଅମରୋହାରେ ୬ଟି, ଲକ୍ଷ୍ନୌରେ ୨ଟି, ହାପୁଡାରେ ୨ଟି ଏବଂ ମେରଠରେ ୨ଟି ସ୍ଥାନରେ ବଡ ସର୍ଚ୍ଚ ଅପରେସନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.