ଘୋଷଣା ହେଲା ପ୍ରଧାନମନ୍ତ୍ରୀ ଶ୍ରମ ଆୱାର୍ଡ, ଓଡ଼ିଶାରୁ ୧୫ ଜଣଙ୍କୁ ମିଳିବ ପୁରସ୍କାର

Published By : Prameya-News7 Bureau | August 12, 2021 IST

ନୂଆଦିଲ୍ଲୀ, ୧୨/୦୮: ଭାରତ ସରକାରଙ୍କ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରମ ଆୱାର୍ଡରେ ସ୍ଥାନ ପାଇଥିବା ବ୍ୟକ୍ତିଙ୍କ ତଥ୍ୟ ପ୍ରକାଶ ପାଇଛି । ସମୁଦାୟ ୬୯ ଜଣ ବ୍ୟକ୍ତି ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ, ପବ୍ଲିକ୍‌ କମ୍ପାନୀ ଏବଂ ରାଜ୍ୟ ସରକାର ଓ ବେସରକାରୀ ଅନୁଷ୍ଠାନରେ କାମ କରୁଥିବା ୫୦୦ ବ୍ୟକ୍ତିଙ୍କ ନାମକୁ ସୁପାରିଶ୍ କରାଯାଇଥିଲା । ସେମାନଙ୍କର ଦକ୍ଷତା, କାର୍ଯ୍ୟ ଶୈଳୀକୁ ବିଚାରକୁ ନିଆଯାଇ ଏହି ତଥ୍ୟ ପ୍ରକାଶ କରାଯାଇଛି ।

ଏହା ତିନୋଟି କ୍ୟାଟେଗୋରୀରେ ମିଳିବ । ଶ୍ରମ ଭୂଷଣ ଯେଉଁଥିରେ ୧ ଲକ୍ଷ ଟଙ୍କା ପୁରସ୍କାର ରହିଛି । ଶ୍ରମ ବୀର ପାଇଁ ୬୦ ହଜାର ଏବଂ ଶ୍ରମ ଶ୍ରୀ ପାଇଁ ୪୦ ହଜାର ଟଙ୍କା ପ୍ରଦାନ କରାଯିବ । ୨୦୧୮ ମସିହା ପାଇଁ ଶ୍ରମ ଭୂଷଣରେ ୪ ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ ଶ୍ରମବୀର ପାଇଁ ୧୨ ଜଣ ଏବଂ ଶ୍ରମ ଶ୍ରୀ ପାଇଁ ୧୭ ଜଣଙ୍କୁ ଏହି ପୁରସ୍କାର ମିଳିବ । ସମୁଦାୟ ୩୩ ଜଣ ଆୱାର୍ଡ ପାଉଥିବା ବେଳେ ବଳକା ଟିମ୍‌ ବା ଅନୁଷ୍ଠାନରେ କାମ କରୁଥିବା ଜଣେରୁ ଅଧିକ ବ୍ୟକ୍ତିଙ୍କୁ ମିଳିବ ବୋଲି ଜଣାପଡ଼ିଛି ।

ତେବେ ଓଡ଼ିଶାରୁ ମୋଟ ୧୫ ଜଣ ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ବେଳେ ୬ ଜଣ କେବଳ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ର କର୍ମଚାରୀ ହୋଇଥିବା ଜଣାପଡ଼ିଛି ।  ୬ ଜଣ ଶ୍ରମ ଭୂଷଣ ପାଇବାକୁ ଥିବା ବେଳେ ୬ ଜଣ ଶ୍ରମବୀର ଏବଂ ୩ ଜଣଙ୍କୁ ଶ୍ରମ ଶ୍ରୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.