ଯୋଶୀମଠରେ ମାଟି ଧସିବାକୁ ନେଇ ପିଏମଓର ଉଚ୍ଚସ୍ତରୀୟ ବୈଠକ, ସିଏମ ଧାମୀଙ୍କ ସହ କଥା ହେଲେ ପିଏମ ମୋଦୀ

Published By : Prameya-News7 Bureau | January 08, 2023 IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଯୋଶୀମଠରେ ମାଟି ଧସିବା ଘଟଣାକୁ ନେଇ ଏବେ ପିଏମଓ ସକ୍ରିୟ ହୋଇ ଉଠିଛି । ରବିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଧାନ ସଚିବ ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିବାକୁ ଯାଉଛି । ଏଥିରେ ପିଏମଓର କ୍ୟାବିନେଟ୍ ସଚିବ ଏବଂ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ସାମିଲ ହେବେ । ଏହାସହ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ମଧ୍ୟ ସ୍ଥିତିର ସମୀକ୍ଷା କରିବେ । ସୂଚନା ଅନୁସାରେ ଯୋଶୀ ମଠର ଜିଲ୍ଲା ପଦାଧିକାରୀ ଏବଂ ଉତ୍ତରାଖଣ୍ଡର ସରକାରର ବରିଷ୍ଠ ଅଧିକାରୀ ଏହି ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହେବେ ।

ଯୋଶୀମଠ ସଙ୍କଟକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ସହ ଫୋନ ଯୋଗେ କଥା ହୋଇ ସ୍ଥିତି ବିଷୟରେ ସୂଚନା ନେଇଛନ୍ତି । ଯୋଶୀମଠକୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ସବୁ ସମ୍ଭବ ଉଦ୍ୟମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଧାମୀଙ୍କୁ ସେ ଆଶ୍ୱାସନା ଦେଇଛନ୍ତି । ଏହାସହ ଲୋକଙ୍କ ସୁରକ୍ଷା ଏବଂ ସ୍ଥାନାନ୍ତର ବିଷୟରେ ଜାଣିଥିଲେ । ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନରୁ ଯୋଶୀ ମଠରେ ମାଟି ଧସିବାରେ ଲାଗିଛି ।

ଯୋଶୀମଠ ହିନ୍ଦୁଙ୍କ ପାଇଁ ଏକ ପବିତ୍ର ଧାର୍ମିକସ୍ଥଳୀ । ଏଠାରେ ହିଁ ବଦ୍ରିନାଥ ମନ୍ଦିର ରହିଛି । କିଛି ଦିନ ଧରି ଏଠାରେ ଲୋକଙ୍କ ଘର ଫାଟିବାରେ ଲାଗିଛି । ରାସ୍ତାଘାଟ ମଧ୍ୟ ଫାଟିବାରେ ଲାଗିଛି, ତେବେ ଏହା ଲଗାତାର ବଢିବାରେ ଲାଗିଛି । ସେହିପରି ମାରୱାଡି ଅଞ୍ଚଳରେ ମାଟିତଳୁ ପାଣି ଧାର ବୋହିବା ବନ୍ଦ ହେଉ ନାହିଁ । ଦାବି କରାଯାଉଛି ଯେ ଯୋଶୀମଠ ସହର ଧସୁଛି ଏବଂ ଏହା କୌଣସି ଏକ ବଡ଼ ବିପର୍ଯ୍ୟୟର ସଂକେତ ଦେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.