ପ୍ରଧାନମନ୍ତ୍ରୀଙ୍କ ମା ହୀରା ବା ଅସୁସ୍ଥ, ଅହମ୍ମଦାବାଦ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | December 28, 2022 IST

ଅହମ୍ମଦାବାଦ ୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହୀରା ବା ବୁଧବାର ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଅହମ୍ମଦାବାଦର ୟୁ.ଏନ. ମେହେଟ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ ପକ୍ଷରୁ ଏ ନେଇ ଏକ ବୟାନ ଜାରି  କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା କୁହାଯାଇଛି। ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ହସ୍ପିଟାଲରେ ପହଞ୍ଚି ହୀରା ବାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।

କୁହାଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଙ୍କ ସ୍ୱାସ୍ଥ୍ୟାବସ୍ଥା ମଙ୍ଗଳବାର ଅଚାନକ ବିଗଡି ଯାଇଥିଲା। ଏହା ପରେ ତାଙ୍କୁ ଅହମ୍ମଦାବାଦର ୟୁ.ଏନ. ମେହେଟ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ତାଙ୍କ ପରିବାରର ସବୁ ଲୋକେ ହସ୍ପିଟାଲରେ ପହଞ୍ଚିଛନ୍ତି। ହୀରା ବା କଫରେ ଆକ୍ରାନ୍ତ ଥିବା ଜଣାପଡିଛି। କୁହାଯାଉଛି ମାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ପାଇବା ପରେ ପ୍ରଧାନମନ୍ତ୍ରୀ ମଧ୍ୟ ଅହମ୍ମଦାବାଦ ବାହାରିଛନ୍ତି। ସେ ମଧ୍ୟାହ୍ନରେ ହସ୍ପିଟାଲ ପହଞ୍ଚି ମାଙ୍କୁ ଭେଟି ପାରନ୍ତି।  

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ମଧ୍ୟାହ୍ନରେ ହସ୍ପିଟାଲକୁ ଯାଇ ହୀରା ବାଙ୍କ ସ୍ୱାସ୍ଥ୍ୟାବସ୍ଥା ସମୀକ୍ଷା କରିବେ ବୋଲି ଜଣାପଡିଛି। ଏଣୁ ପ୍ରଶାସନ ପକ୍ଷରୁ ହସ୍ପିଟାଲ ଆଖପାଖର ସୁରକ୍ଷା କଡାକଡି କରିଛନ୍ତି। ହୀରା ବା ୟୁ.ଏନ.ମେହେଟ୍ଟା ହସ୍ପିଟାଲ କାର୍ଡିଓଲଜି ଏଣ୍ଡ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଏକ ବୟାନରେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ଗତ ଜୁନ ମାସରେ ୧୦୦ ବର୍ଷରେ ପଦାର୍ପଣ କରିଥିଲେ। ହୀରା ବାଙ୍କ ୧୦୦ତମ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ତାଙ୍କୁ ଗାନ୍ଧିନଗରରେ ଭେଟିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ପୂଜାର୍ଚ୍ଚନା କରିବା ସହିତ ମାଙ୍କ ଆଶିର୍ବାଦ ମଧ୍ୟ ଗ୍ରହଣ କରିଥିଲେ। ମୋଦି ମାଙ୍କ ପଦ ପ୍ରେକ୍ଷାଳନ କରି ତାଙ୍କୁ ଏକ ସାଲ ଉପହାର ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.