ପ୍ରଧାନମନ୍ତ୍ରୀଙ୍କୁ ବି ବିଭିନ୍ନ କେସ୍‌ରେ ସମନ ଜାରି କରାଯାଉ, ହେମନ୍ତ ସୋରେନଙ୍କୁ ନେଇ ଇଡିର କାର୍ଯ୍ୟାନୁଷ୍ଠାନ ଉପରେ ଜେଏମଏମର ରୋକ୍‌ ଠୋକ୍‌

Published By : Prameya-News7 Bureau | November 02, 2022 IST

ରାଞ୍ଚି: ଖଣି ଖନନ ଏବଂ ମନି ଲଣ୍ଡ୍ରିଂ ମାମଲାରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ ଜାରି କରିଛି। ନଭେମ୍ବର ୩ରେ ପଚରା ଉଚୁରା ପାଇଁ ହାଜର ହେବାକୁ ଇଡି କହିଛି। ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛି ଶାସକ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)। ପାର୍ଟିର ନେତା ମନୋଜ ପାଣ୍ଡେ କହିଛନ୍ତି , କେନ୍ଦ୍ର ସରକାର ବହୁତ ହୀନ ରାଜନୀତି କରୁଛନ୍ତି। ଯଦି ମୁଖ୍ୟମନ୍ତ୍ରୀଙ୍କୁ ସମନ ପଠାଯାଇ ପାରୁଛି ତେବେ ସେହି ହିସାବରେ ପ୍ରଧାନମନ୍ତ୍ରୀଙ୍କୁ ତ ଅନେକ କେସ୍‌ରେ ସମନ ଜାରି କରାଯିବା ଉଚିତ୍।

ଆମେ ଆଇନର ଆଶ୍ରୟ ନେବୁ। କଣ ଇଡି ମୁଖ୍ୟମନ୍ତ୍ରୀଙ୍କୁ ସମନ କରି ପାରିବ ସେ ବିଷୟରେ ଆମେ ଜାଣିନୁ। ଆଇନଗତ ପରାମର୍ଶ ପରେ ହିଁ ମୁଖ୍ୟମନ୍ତ୍ରୀ ଏହା ଉପରେ କିଛି କହି ପାରିବେ ବୋଲି ଜେଏମଏମ  ନେତା କହିଛନ୍ତି।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ  ଇଡି ଦ୍ଵାରା ଜାରି ସମନକୁ ନେଇ ରାଜନୀତି ଜୋର ଧରିଛି। ଏହାକୁ ନେଇ ହେମନ୍ତ ସୋରେନ କହିଛନ୍ତି, ରାଜ୍ୟବାସୀ ଏହି ଷଡଯନ୍ତ୍ରର ଜବାବ ଦେବେ। ସେ ଇଡିର ସମନକୁ ଭୟ କରନ୍ତି ନାହିଁ। ସାହବେଗଞ୍ଜରେ ଆୟୋଜିତ ‘ଆପକି ଯୋଜନା, ଆପକି ସରକାର ଆପକେ ଦ୍ଵାର’, କାର୍ଯ୍ୟକ୍ରମରେ ସୋରେନ କହିଛନ୍ତି, ତାଙ୍କ ସରକାରଙ୍କ ବିରୋଧରେ ଷଡଯନ୍ତ୍ର ରଚା ଯାଉଛି।

ସୋରେନ କେନ୍ଦ୍ର ସରକାରଙ୍କୁ ତାର୍ତ୍ସଲ୍ୟ କରି କହିଛନ୍ତି, ସେମାନେ ଏହା ଦେଖାଇବାକୁ ଉଦ୍ୟମ କରୁଛନ୍ତି ଯେ, ଇଡି କେତେ ଶକ୍ତିଶାଳୀ। ସେମାନେ ଏହା ମଧ୍ୟ ଦେଖାଇବାକୁ ଚାହାନ୍ତି ଯେ, ଯଦି ଇଡି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଡକାଇ ପାରୁଛି ତେବେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଡକାଇ ପାରିବ ନାହିଁ। ଯଦି ସେମାନଙ୍କୁ ଲାଗୁଛି ଆମର ଛବି ଖରାପ କରିପାରିବେ, ତେବେ ସେମାନେ ଭ୍ରମରେ ଅଛନ୍ତି। ସେମାନେ କେବଳ ଆମର ଛବି ଖରାପ କରିବାକୁ ଷଡଯନ୍ତ୍ର ରଚୁଥିବା ସୋରେନ କହିଛନ୍ତି।

ଏହି ଘଟଣାରେ ଝାଡଖଣ୍ଡ ବିଜେପି ରାଜ୍ୟ ସଭାପତି ଦୀପକ ପ୍ରକାଶ କହିଛନ୍ତି, ଯିଏ ଭୁଲ୍ କରିଛି ଆଇନ ତାକୁ କେବେ ବି ଛାଡିବନି। ସୋରେନ ବେଆଇନ ଖଣି ମାମଲାରେ ସାମିଲ୍ ଥିବା ରାଜ୍ୟବାସୀ  ଜାଣି ସାରିଲେଣି। ମୁଖ୍ୟମନ୍ତ୍ରୀଙ୍କ ବିଧାୟକ ପ୍ରତିନିଧି ପଙ୍କଜ ମିଶ୍ର ଏବଂ ତାଙ୍କ ପତ୍ନୀ ଏହି କେସ୍‌ରେ ସାମିଲ୍ ଅଚନ୍ତି। ଇଡି ମୁଖ୍ୟମନ୍ତ୍ରୀଙ୍କୁ ସମନ ଜାରି କରିବା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି ଦୀପକ ପ୍ରକାଶ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.