ଡିସେମ୍ଵର ୧୦ରେ ନୂତନ ସଂସଦ ଭବନର ଶିଳାନ୍ୟାସ୍ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ହେବ ଭୂମିପୂଜନ
5/12/2020 at 3:44 PM

ନୂଆଦିଲ୍ଲୀ ୦୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୦ରେ ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ। ଲୋକସଭାର ବାଚସ୍ପତି ଓମ ବିର୍ଲା ଶନିବାର ଏହାର ସୂଚନା ଦେଇଛନ୍ତି। ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ନୂତନ ସଂସଦ ଭବନର ଶିଳାନ୍ୟାସ୍ କରିବା ସହ ଭୂମିପୂଜନ କରିବେ। ଆଜି ପ୍ରଧାନମନ୍ତ୍ରୀ ଲୋକସଭା ବାଚସ୍ପତିଙ୍କୁ ଭେଟିବା ପରେ ଶିଳାନ୍ୟାସର ତାରିଖ ବିଷୟରେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ନୂତନ ସଂସଦ ଭବନର କଣ୍ଟ୍ରାକ୍ଟ ଟାଟା ପ୍ରୋଜେକ୍ଟ ଲିମିଟେଡ୍କୁ ମିଳିଛି। ଏହାର ବଜେଟ୍ ୮୬୧.୯୦ କୋଟି ଟଙ୍କା ରହିଛି। ଏହା ବର୍ତ୍ତମାନ ଥିବା ସଂସଦ ଭବନ ନିକଟରେ ନିର୍ମାଣ ହେବ। ପ୍ରାୟ ୨୧ ମାସ ଭିତରେ ନୂତନ ସଂସଦ ଭବନ ନିର୍ମାଣ ପୂରା ହେବ ବୋଲି ଆଶା କରାଯାଉଛି। ନୂତନ ଭବନରେ ମିଳିତ ଅଧିବେଶନରେ ୧୩୫୦ ସାଂସଦଙ୍କ ବସିବା ପାଇଁ ପର୍ଯ୍ୟାପ୍ତ ଆସନର ବ୍ୟବସ୍ଥା ରହିବ। ବର୍ତ୍ତମାନର ସଂସଦ ଭବନରେ ମିଳିତ ଅଧିବେଶନ ପାଇଁ ଏତେ ସଂଖ୍ୟକ ଆସନ ନାହିଁ।
କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ(ସିପିଡବ୍ଲ୍ୟୁଡି) ଅନୁଯାୟୀ, ପ୍ରାୟ ୬୫ ହଜାର ବର୍ଗ ମିଟର କ୍ଷେତ୍ର ଫଳରେ ଭବନର ନିର୍ମାଣ ହେବ। ଏଥିରେ ୧୬୯୨୧ ବର୍ଗମିଟର ଅଞ୍ଚଳ ଭୂତଳ ରହିବ। କୋଠାର ଭୂମିଗତକୁ ମିଶାଇ ଗ୍ରାଉଣ୍ଡ ଫ୍ଲୋର ଓ ଦୁଇଟି ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯିବ।
ସାଂସଦଙ୍କ ବସିବା ପାଇଁ ଆରାମଦାୟକ ବ୍ୟବସ୍ଥା କରାଯାଇଛି। ଏହି ଆଧାରରେ ଟୁ-ସିଟର ବେଞ୍ଚ ରହିବ, ଯଦ୍ଵାରା କୌଣସି ବି ସାଂସଦ ଆରାମରେ ବସି ପାରିବେ। ବର୍ତ୍ତମାନ ଅନେକ ଥର ଆସନ ଫୁଲ୍ ହୋଇଗଲେ ସାଂସଦଙ୍କୁ ଲାଗି ଲାଗି ବସିବାକୁ ପଡିଥାଏ। କିନ୍ତୁ ନୂତନ ଭବନ ଦ୍ଵାରା ଏହି ସବୁ ସମସ୍ୟା ଦୂର ହେବ।