ତେଜସ୍ୱୀ ଯାଦବଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | December 06, 2022 IST

ପାଟନା ୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ନୋଦି ମଙ୍ଗଳବାର ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ଏହି ଆଳାପରେ ପ୍ରଧାନମନ୍ତ୍ରୀ କିଡନୀ ଟ୍ରାନ୍ସପ୍ଲାଣ୍ଟ ଅପରେସନ ପରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି। ଏହା ପୂର୍ବରୁ ତେଜସ୍ୱୀ ଯାଦବ ଏକ ଟ୍ୱିଟ୍‌ରେ ତାଙ୍କ ପିତା ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ସଫଳ ହୋଇଥିବାର ସୂଚନା ସେୟାର କରିଥିଲେ।

ତେଜସ୍ୱୀ ତାଙ୍କ ଟ୍ୱିଟ୍‌ରେ ଡୋନର ରୋହିଣୀ ଆଚାର୍ଯ୍ୟ ଓ ପିତା ଉଭୟ ସୁସ୍ଥ ଥିବାର ଉଲ୍ଲେଖ କରିଥିଲେ। ଏଣୁ ଲୋକଙ୍କ ପ୍ରାର୍ଥନା ଲାଗି ସେ ସାଧୁବାଦ ଜଣାଇଥିଲେ। ଏହି ଟ୍ୱିଟ୍‌ରେ ତେଜସ୍ୱୀ ଏକ ୭ ସେକେଣ୍ଡର ଭିଡିଓ ମଧ୍ୟ ସେୟାର କରିଥିଲେ। ଯେଉଁଥିରେ ଅପରେସନ ପରେ ଲାଲୁ ପ୍ରସାଦ ଯାଦବଙ୍କୁ ବାହାରକୁ ଅଣାଯାଉଥିବାର ଦେଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସ୍ପିଟାଲରେ ଲାଲୁ ଯାଦବଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି।

ସିଙ୍ଗାପୁର ହସ୍ପିଟାଲରେ ଲାଲୁ ଯାଦବଙ୍କ ଅସ୍ତ୍ରୋପଚାର ସମୟରେ ତାଙ୍କ ପରିବାର ଅପରେସନ ଥିଏଟର ବାହାରେ ଅପେକ୍ଷା କରି ରହିଥିଲେ। ସମସ୍ତେ ଉଭୟ ଡୋନର ଓ ଲାଲୁଙ୍କ ଆଶୁ ଆରୋଗ୍ୟ କାମନା କରୁଥିଲେ। ତେବେ ଏହା ପୂର୍ବରୁ ଲାଲୁଙ୍କ ବଡ଼ ଝିଅ ମିସା ଭାରତୀ ତାଙ୍କ ସାନ ଭଉଣୀ ରୋହିଣୀ ଆଚାର୍ଯ୍ୟଙ୍କ ଅପରେସନ ସଫଳ ହୋଇଥିବାର ସୂଚନା ଦେଇଥିଲେ। ମିସା ଭାରତୀ ତାଙ୍କ ଟ୍ୱିଟ୍‌ରେ ସାନ ଭଉଣୀ ରୋହିଣୀଙ୍କ ଠାରେ କିଡନୀ ଦାନ ଲାଗି କରାଯାଇଥିବା ଅପରେସନ ସଫଳ ହୋଇଥିବା ଉଲ୍ଲେଖ କରିଥିଲେ। ଏଥିରେ ସେ ଏବେ ସୁସ୍ଥ ଥିବା ତଥା ଆଇସିୟୁରେ ଥିବା ଉଲ୍ଲେଖ କରିଥିବା ବେଳେ ପିତାଙ୍କ ଅପରେସନ ଚାଲିଥିବା ଉଲ୍ଲେଖ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.