ସମରକନ୍ଦରେ ପିଏମ ମୋଦୀ-ପୁଟିନଙ୍କ ଦ୍ୱିପାକ୍ଷିକ ଆଲୋଚନା, ପିଏମ କହିଲେ-ଯୁଦ୍ଧର ଯୁଗ ନୁହେଁ...

Published By : Prameya-News7 Bureau | September 16, 2022 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଜବେକିସ୍ତାନର ସମରକନ୍ଦରେ ଦ୍ୱିକ୍ଷାପିକ ବୈଠକ କରିଛନ୍ତି । ଏସସିଓ ଶିଖର ସମ୍ମିଳନୀ ବାହାରେ ଏହି ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ପିଏମ ମୋଦୀ କହିଛନ୍ତି, 'ଆଜି ଦୁନିଆ ସାମନାରେ ବହୁ ସମସ୍ୟା ରହିଛି, ମୁଖ୍ୟତଃ ବିକାଶଶୀଳ ଦେଶ ପାଇଁ ଖାଦ୍ୟ ସୁରକ୍ଷା, ଇନ୍ଧନ ସୁରକ୍ଷା, ସାର ସମସ୍ୟା ରହିଛି । ଏହାର ସମାଧାନର ରାସ୍ତା ବାହାର କରିବାକୁ ପଡିବ'।

ଯୁଦ୍ଧର ସମୟରେ ଭାରତର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସାହାଯ୍ୟ କରିଥିବାରୁ ରୁଷ ରାଷ୍ଟ୍ରପତି ଏବଂ ୟୁକ୍ରେନକୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ପୁଟିନଙ୍କୁ ପିଏମ ମୋଦୀ କହିଛନ୍ତି, ‘ବର୍ତ୍ତମାନର ଯୁଗ ଯୁଦ୍ଧର ନୁହେଁ। ମୁଁ ଅନେକ ଥର ଏହା ଉପରେ ଆପଣଙ୍କ ସହ ଫୋନରେ କଥା ହୋଇଛି। କୂଟନୀତି ଏବଂ ଆଲୋଚନାରେ ଦୁନିଆକୁ ସଠିକ ସନ୍ଦେଶ ମିଳିବ’।

ପୁଟିନଙ୍କ ସହ ଆଲୋଚନାରେ ପ୍ରଧାନମନ୍ତ୍ରୀ କହିଛନ୍ତି, 'ବହୁ ଦଶନ୍ଧି ଧରି ଆମେ ପ୍ରତି ମୁହୂର୍ତ୍ତରେ ପରସ୍ପର ସହ ଠିଆ ହୋଇଛୁ । ଦୁଇ ଦେଶ ଏହି ଅଞ୍ଚଳର ବିକାଶ ପାଇଁ ଲଗାତାର କାମ କରୁଛନ୍ତି । ଆଜିର ଏସସିଓ ବୈଠକରେ ଆପଣ ଭାରତ ପାଇଁ ଯେଉଁ ଭାବନା ବ୍ୟକ୍ତ କଲେ ସେଥିପାଇଁ ମୁଁ ଆପଣଙ୍କ ନିକଟରେ କୃତଜ୍ଞତା ଜାଣଉଛି'।

ଅନ୍ୟପଟେ ରୁଷ ରାଷ୍ଟ୍ରପତି ପୁଟିନ କହିଥିଲେ, ‘ଯୁକ୍ରେନ ସଂଘର୍ଷ ଉପରେ ଆପଣଙ୍କ ସ୍ଥିତି ଏବଂ ଆପଣଙ୍କ ଚିନ୍ତା ସହ ଅବଗତ ଅଛି। ଏହା ଶୀଘ୍ର ଶେଷ ହେଉ ବୋଲି ଆମେ ଚାହୁଁଛୁ। ସେଠାର କଣ ଘଟୁଛି, ସେ ବାବଦରେ ଆପଣଙ୍କୁ ସୂଚନା ନିୟମିତ ଅବଗତ କରାଇବୁ’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.