ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରେରଣାଦାୟକ ବ୍ୟକ୍ତିତ୍ୱ : ଡେନମାର୍କ ପ୍ରାଧାନମନ୍ତ୍ରୀ ମେଟେ ଫ୍ରେଡରିକସନ୍

Published By : Prameya-News7 Bureau | October 09, 2021 IST

ନୂଆଦିଲ୍ଲୀ ୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଲାଗି ଜଣେ ପ୍ରେରଣା ଦାୟକ ବ୍ୟକ୍ତିତ୍ୱ। ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକସନ୍‌ ଶନିବାର ଏହା କହିଛନ୍ତି। ୩ ଦିବସୀୟ ଭାରତ ଗସ୍ତରେ ଆସିଥିବା ଡେନମାର୍କ ପ୍ରଧାନମନ୍ତ୍ରୀ ଶକ୍ତି, ବାଣିଜ୍ୟ ବ୍ୟବସାୟ ଓ ନିବେଶ କ୍ଷେତ୍ରରେ ଭାରତ-ଡେନମାର୍କ ନେଇ ଦ୍ୱିପାକ୍ଷିକ ସମ୍ପର୍କର ବିସ୍ତୃତ ଚର୍ଚ୍ଚା କରିବା ସହ ଭାରତ ସାଙ୍ଗରେ ଗ୍ରୀନ ଷ୍ଟ୍ରାଟେଜିକ ଆଲାଏନ୍ସକୁ ଆଗକୁ ବଢାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ପ୍ରେସ୍‌ ବ୍ରିଫିଙ୍ଗ ଲାଗି ମେଟେ ଫ୍ରେଡରିକସନ୍‌ଙ୍କୁ ସ୍ୱାଗତ କରିଥିବାବେଳେ ସେ ଏହା କହିଛନ୍ତି।

{"id":524835,"width":839,"height":472,"sizeSlug":"full","linkDestination":"none"}

ଫ୍ରେଡରିକସନ କହିଛନ୍ତି ଯେ ବିଶ୍ୱ ଲାଗି ଗୁରୁତ୍ୱପୂର୍ଣ୍ଣ ଜଳବାୟୁ ଲକ୍ଷ ନିର୍ଦ୍ଧାରିତ କରିବାରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ବାସ୍ତବିକ ପ୍ରଶଂସା ଯୋଗ୍ୟ। ଦେଶର ୧୦ ଲକ୍ଷ ଘରକୁ ସ୍ୱଚ୍ଛ ପାନୀୟ ଜଳ ଓ ରିନିୱେବଲ ଏନର୍ଜୀ ଲାଗି ଅନେକ ମହତ୍ୱାକାଙକ୍ଷୀ ଯୋଜନା ହାତକୁ ନେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ। ଏଣୁ ତାଙ୍କୁ ଯଦି ବିଶ୍ୱର ଜଣେ ପ୍ରେରଣାଦାୟକ ନେତା ବୋଲି କୁହାଯାଏ ତେବେ ଅତ୍ୟୁକ୍ତି ହେବ ନାହିଁ ବୋଲି ଡେନମାର୍କ ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ଯାତ୍ରା ଲାଗି ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣରେ ମୁଁ ଗର୍ବିତ ବୋଲି କହିଛନ୍ତି ଫ୍ରେରିକସନ।

{"id":524837,"width":841,"height":631,"sizeSlug":"full","linkDestination":"none"}

ଡେନମାର୍କକୁ ଅନ୍ତର୍ଜାତୀୟ ସୌର ମେଣ୍ଟର ସଦସ୍ୟ କରାଯାଇଥିବାରୁ ଫ୍ରେଡରିକସନ ଅତ୍ୟନ୍ତ ଖୁସିବ୍ୟକ୍ତ କରିଛନ୍ତି। ଭାରତ-ଡେନମାର୍କ  ଭାଗିଦାରୀର ଏହା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଭାରତ ଭଳି ଡେନମାର୍କ ମଧ୍ୟ ଏକ ଗଣତାନ୍ତ୍ରିକ ଦେଶ ଓ ଅନ୍ତର୍ଜାତୀୟ ବ୍ୟବସ୍ଥା ଉପରେ ଆସ୍ଥାରଖନ୍ତି। ଏଣୁ ଭାରତ-ଡେନମାର୍କ ସହଯୋଗ ହରିତ ବିକାଶ କ୍ଷେତ୍ରରେ ଏକ ବଡ଼ ଉଦାହରଣ ହେବ ବୋଲି ଫ୍ରେଡରିକସନ କହିଛନ୍ତି।

{"id":524838,"sizeSlug":"full","linkDestination":"none"}

ଆଜି ଆମେ ପାଣି ଓ ସବୁଜ ଇନ୍ଧନ ଉପରେ କାମ କରିବା ଲାଗି ସହମତ ହୋଇଛୁ ବୋଲି ସେ କହିଥିବା ବେଳେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ମଧ୍ୟ କାନ୍ଧକୁ କାନ୍ଧ ମିଳାଇ କାମ କରିବୁ ବୋଲି କହିଛନ୍ତି। ଭାରତ ଓ ଡେନମାର୍କ ମଧ୍ୟରେ ୪ଟି ବୁଝାମଣା ପରେ ଫ୍ରଡରିକସନ ଏହା କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆମେ ଯେଉଁ ବେଗରେ ଆଗକୁ ବଢିବାକୁ ଚାହୁଁଛେ ଏଥିରେ ଡେନମାର୍କର ବିଶେଷଜ୍ଞତା ଓ ବୈଷୟିକ ଜ୍ଞାନ କୌଶଳ ସହଯୋଗୀ ହୋଇପାରିବ। ଭାରତୀୟ ଅର୍ଥବ୍ୟବସ୍ଥାରେ ହୋଇଥିବା ସୁଧାର ବିଶେଷ କରି ମେନୁଫେକ୍ଚରିଂ ସେକ୍ଟର ଲାଗି ନିଆଯାଇଥିବା ପଦକ୍ଷେପରେ ଡେନମାର୍କ ଅପାର ଅବସର ସୃଷ୍ଟି କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.