ଚତୁର୍ଥ ଟେଷ୍ଟରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦୁଇ ଅଧିନାୟକ ସହ ପକାଇ ପାରନ୍ତି ଟସ୍
8/03/2023 at 5:11 PM

ଅହମ୍ମଦାବାଦ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଚତୁର୍ଥ ତଥା ନିର୍ଣ୍ଣାୟକ ମୁକାବିଲା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଦର୍ଶକଙ୍କ ସହିତ ଖେଳାଳିଙ୍କ ପାଇଁ ମଧ୍ୟ ବହୁତ ଐତିହାସିକ ହେବାକୁ ଯାଉଛି। କାରଣ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଚତୁର୍ଥ ଟେଷ୍ଟର ପ୍ରଥମ ଦିନ ଷ୍ଟାଡିୟମରେ ଉପସ୍ଥିତ ରହିବେ। ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚତୁର୍ଥ ଟେଷ୍ଟର ଟସ୍ ସମୟରେ ପଡିଆରେ ଦୁଇ ଅଧିନାୟକ ସହିତ ଉପସ୍ଥିତ ରହିବେ ଏବଂ ନିଜେ ଟସ୍ ପକାଇ ପାରନ୍ତି। ଏହା ପୂର୍ବରୁ ଏହି ଖବର ରହିଥିଲା ଯେ, ମୋଦୀ ମ୍ୟାଚ୍ ସମୟରେ କମେଣ୍ଟ୍ରି ବକ୍ସରେ ମଧ୍ୟ ରହି ପାରନ୍ତି।
ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ ସଂପ୍ରତି ଭାରତ ଗସ୍ତରେ ଅଛନ୍ତି। ସେ ମାର୍ଚ୍ଚ ୮ରୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଭାରତରେ ଆନୁଷ୍ଠାନିକ ଯାତ୍ରାରେ ରହିବେ। ତେଣୁ ଚତୁର୍ଥ ଟେଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଷ୍ଟାଡିୟମରେ ଉପସ୍ଥିତ ରହିବେ। ଉଲ୍ଲେଖନୀୟ ବିଶ୍ଵର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନାମକରଣ କରାଯାଇଛି। ଅନେକ ରିପୋର୍ଟ ଅନୁସାରେ ମୋଦୀ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଉଭୟ ଦଳର ଅଧିନାୟକଙ୍କ ସହ ଟସ୍ ପକାଇବେ। ତେବେ ଏହାକୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।
ଏ ଖବର ପଢନ୍ତୁ- ଅଶ୍ଵିନଙ୍କ ଟାର୍ଗେଟ୍ରେ ଅନିଲ କୁମ୍ବଲେଙ୍କ ମହାରେକର୍ଡ, କ’ଣ ଅହମ୍ମଦାବାଦରେ ରଚିବେ ଇତିହାସ ?
ଭାରତ ୨୦୨୧ରେ ଏହି ପଡିଆରେ ଖେଳିଥିବା ଦୁଇଟି ଟେଷ୍ଟ ଜିତିଛି। ଚଳିତ ଶୃଙ୍ଖଳାର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିବାରେ ସଫଳ ହୋଇଛି। ତୃତୀୟ ମ୍ୟାଚ୍ ଅଷ୍ଟ୍ରେଲିଆ ଜିତି ଶୃଙ୍ଖଳାରେ ଦମଦାର ପ୍ରତ୍ୟାବର୍ତ୍ତନ କରିଛି। ଇନ୍ଦୋର ଟେଷ୍ଟ ଜିତି ଅଷ୍ଟ୍ରେଲିଆ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ରେ ପ୍ରବେଶ କରିଥିବା ବେଳେ ଭାରତ ନିକଟରେ ଅହମ୍ମଦାବାଦ ଟେଷ୍ଟ ଜିତି ଫାଇନାଲ୍ରେ ପହଞ୍ଚିବାର ସୁଯୋଗ ରହିଛି।