NCCର ୭୫ତମ ସ୍ଥାପନା ଦିବସରେ ୭୫ ଟଙ୍କିଆ ମୁଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ ମୋଦୀ
28/01/2023 at 7:44 PM

ନୂଆଦିଲ୍ଲୀ: ୭୫ ଟଙ୍କିଆ ମୁଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନୂଆଦିଲ୍ଲୀ ସ୍ଥିତ କରିୟପ୍ପା ପରେଡ୍ ଗ୍ରାଉଣ୍ଡରେ ଶନିବାର ଆୟୋଜିତ ଏନସିସିର କାର୍ଯ୍ୟକ୍ରମରେ ଏହି ମୁଦ୍ରା ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ରାଷ୍ଟ୍ରୀୟ କ୍ୟାଡେଟ୍ କୋର(ଏନସିସି) ଚଳିତ ବର୍ଷ ନିଜର ୭୫ତମ ସ୍ଥାପନା ଦିବସ ପାଳନ କରୁଛି। ଏଥିରେ ୧୯ଟି ଦେଶର ୧୯୬ ଅଧିକାରୀଙ୍କ ଏବଂ କ୍ୟାଡେଟ୍କୁ ଆମନ୍ତ୍ରିତ କରାଯାଇଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏନସିସି କ୍ୟାଡେଟ୍ସ ଭାରତୀୟ ଯୁବ ପିଢି ରୂପେ ଦେଶର ଅମୃତ ପିଢିର ପ୍ରତିନିଧିତ୍ଵ କରୁଛି। ଏହି ଅମୃତ ପିଢି ଆଗାମୀ ୨୫ ବର୍ଷରେ ଦେଶକୁ ଏକ ନୂତନ ଦିଗକୁ ନେଇଯିବେ। ଭାରତକୁ ଆତ୍ମନିର୍ଭର ଏବଂ ବିକଶିତ କରିବା ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବେ। ସେ କହିଛନ୍ତି, ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତିର ଏହି ସମୟରେ ଏନସିସି ମଧ୍ୟ ନିଜର ୭୫ତମ ବର୍ଷ ପୂର୍ତ୍ତି ପାଳନ କରୁଛି। ଯେଉଁମାନେ ଏନସିସିର ପ୍ରତିନିଧିତ୍ଵ କରୁଛନ୍ତି ଏବଂ ଏହାର ଅଂଶବିଶେଷ ଅଛନ୍ତି, ସେମାନଙ୍କୁ ମୁଁ ପ୍ରଶଂସା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିବିଧତାରେ ଭରି ରହିଥିବା ଭାରତର ମୂଳମନ୍ତ୍ରକୁ ହିନ୍ଦୁସ୍ଥାନର କୋଣ ଅନୁକୋଣକୁ ନେଇଯିବାର ଏହି କାର୍ଯ୍ୟକ୍ରମ ବେଶ ସହାୟକ ହେବ।