ବିକାଶର ବର୍ଷ ୨୦୨୨, ୯୬ତମ ‘ମନ୍ କି ବାତ୍’ରେ ବଖାଣିଲେ ପ୍ରଧାନମନ୍ତ୍ରୀ, କୋଭିଡ୍ ନୂଆ ଭାରିଆଣ୍ଟକୁ ନେଇ କଲେ ସତର୍କ
25/12/2022 at 1:17 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ । ବର୍ଷର ଶେଷ ତଥା ୯୬ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି । ଏହି ଅବସରରେ ପିଏମ ବିକାଶର ଗାଥା ବଖାଣିଛନ୍ତି । ୨୦୨୨ ଭାରତ ପାଇଁ ବିକାଶର ବର୍ଷ ବୋଲି ରେଡିଓ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି । କରୋନାର ନୂଆ ଭାରିଆଣ୍ଟକୁ ନେଇ ଲୋକଙ୍କୁ ସତର୍କ ମଧ୍ୟ କରାଇଛନ୍ତି ।
୨୦୨୨ ଦେଶ ପାଇଁ ବିକାଶର ବର୍ଷ । ଚଳିତ ବର୍ଷ ଆଜାଦୀର ୭୫ବର୍ଷ ପୂର୍ତ୍ତି ପାଳିଛନ୍ତି ଭାରତ । ଅମୃତ ମହୋତ୍ସବରେ ତ୍ରରଙ୍ଗା ଅଭିଯାନ ଦେଶବାସୀଙ୍କ ମନରେ ଏକତାର ବାର୍ତ୍ତା ଭରି ଦେଇଛି । ଏହି ଦିନ ପୂରା ଦେଶ ତ୍ରିରଙ୍ଗାମୟ ହୋଇଥିଲା । ୬କୋଟିରୁ ଅଧିକ ଲୋକ ଜାତୀୟ ପତାକା ସହିତ ସେଲଫି ନେଇ ସ୍ବାଧୀନତାର ପ୍ରତୀକକୁ ନିଜ ଘରମାନଙ୍କରେ ଲଗାଇଥିଲେ ।
ଚଳିତ ବର୍ଷ ନମାମୀ ଗଙ୍ଗା ଅଭିଯାନ ଆରମ୍ଭ ହୋଇଛି । ମାଆ ଗଙ୍ଗା ସଫେଇ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ନମାମୀ ଗଙ୍ଗା କାର୍ଯ୍ୟକ୍ରମ ଜୈବ ବିବିଧତା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ୟୁଏନ ମଧ୍ୟ ଏହି ମିଶନକୁ ବିଶ୍ବର ଶ୍ରେଷ୍ଠ ୧୦ ଇକୋ ସିଷ୍ଟମରେ ସାମିଲ କରିଛି । ସେହିପରି ସ୍ବଚ୍ଛତା ମିଶନରେ ଦେଶବାସୀଙ୍କ ସହଯୋଗ ମିଳୁଛି ବୋଲି କହିଛନ୍ତି ।
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୮ତମ ଜନ୍ମଜୟନ୍ତୀ । ପିଏମ ମୋଦି, ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଟ୍ବିଟ୍ କରି ଅଟଳଜୀଙ୍କୁ ଶତ ଶତ ନମସ୍କାର କରିଛନ୍ତି । ଆଧୁନିକ ଭାରତ ଗଠନରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ଦୂର ଦୃଷ୍ଟି ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଛି ବୋଲି ମୋଦି କହିଛନ୍ତି ।
ସେହିପରି ଜି-୨୦ ସମ୍ମିଳନୀରେ ଭାରତକୁ ମିଳିଥିବା ଗୁରୁଦାୟିତ୍ବ ଉପରେ ଆଲୋକପାତ କରିଛନ୍ତି ମୋଦି । ଚଳିତ ବର୍ଷ ଜି-୨୦ ସମ୍ମିଳନୀରେ ଭାରତକୁ ଅଧ୍ଯକ୍ଷତା କରିବାକୁ ସୁଯୋଗ ମିଳିଥିଲା । ଆସନ୍ତା ବର୍ଷ ତଥା ୨୦୨୩ରେ ଜି-୨୦ ସମ୍ମିଳନୀ ଭାରତରେ ହେବ । ଏହା ଦେଶ ପାଇଁ ଏକ ଗୌରବର ବିଷୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ୟପେଟ ଖ୍ରୀଷ୍ଟମାସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପିଏମ୍ ।