କ୍ୟାନସର ଓ ସୁଗାର ସମେତ କମିଲା ଅନେକ ରୋଗର ଔଷଧ ଦର, ଶସ୍ତା ହେବ ପାରାସିଟାମଲ

Published By : Prameya-News7 Bureau | December 22, 2022 IST

ନୂଆଦିଲ୍ଲୀ ୨୨।୧୨:  ସରକାର କ୍ୟାନସର,ଡାୟବେଟିଜ, ଜ୍ୱର ଓ ହେପାଟାଇଟିସ ସମେତ ଅନେକ ଗୁରୁତର ରୋଗର ଚିକିତ୍ସାରେ ଆସୁଥିବା ଔଷଧ ମୂଲ୍ୟ ହ୍ରାସ କରିଛନ୍ତି। ଏପରି ଔଷଧ ଦରରେ ଅନୁନ୍ୟ ୪୦ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ ହୋଇଛି। ସରକାରଙ୍କ ଆବଶ୍ୟକ ଔଷଧ ସୂଚୀ (ଏନଏଲଇଏମ)ରେ ସାମିଲ ୧୧୯ ଔଷଧର ଅଧିକତମ ମୂଲ୍ୟ ଧାର୍ଯ୍ୟ କାରଣରୁ ଏହା ସମ୍ଭବ ହୋଇଛି। ସରକାର ଆଗକୁ ମଧ୍ୟ ଏନଏଲଇଏମରେ ସାମିଲ ଅନ୍ୟ ଔଷଧର ମୂଲ୍ୟ କମ୍‌ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଫଳରେ ଆଉ କିଛି ଔଷଧର ମୂଲ୍ୟ ମଧ୍ୟ ହ୍ରାସ ହେବ ବୋଲି ଏବେ ଅନୁମାନ କରାଯାଉଛି।

ନିଷ୍ପତ୍ତି ଅନୁସାରେ ଜ୍ୱର ଉପସମ ଲାଗି ବ୍ୟବହୃତ ହେଉଥିବା ପାରାସିଟାମଲ ମୂଲ୍ୟରେ ୧୨ ପ୍ରତିଶତ ପର୍ଯ୍ୟନ୍ତ ଦର ହ୍ରାସ ହୋଇଛି। ଏହା ଛଡା ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟିଙ୍କ ବୈଠକରେ ଏହି ସୂଚୀରେ ସାମିଲ ୧୧୯ ପ୍ରକାର ଫର୍ମୂଲେସନ ଔଷଧର ମୂଲ୍ୟ ପ୍ରତି ଟାବଲେଟ୍ ଓ କ୍ୟାପସୁଲ ଧାର୍ଯ୍ୟ କରିଛନ୍ତି। ଯେଉଁ ପ୍ରମୁଖ ଔଷଧର ମୂଲ୍ୟ ହ୍ରାସ ହୋଇଛି ସେଥିରେ ପାରାସିଟାମଲ, ମେଲେରିଆ ଜ୍ୱରର ଚିକିତ୍ସାରେ କାମକୁ ଆସୁଥିବା ହାଇଡ୍ରୋକ୍ସି କ୍ଲୋରକ୍ୱିନ୍ର ମଧ୍ୟ ମୂଲ୍ୟ ହ୍ରାସ ହୋଇଛି।

ଉଲ୍ଲେଖଯୋଗ୍ୟଯେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଜରୁରି ଔଷଧର ଜାତୀୟ ସୂଚୀ ଜାରି କରିଥାନ୍ତି। ଚଳିତବର୍ଷ ଲାଗି ଗତ ସେପ୍ଟେମ୍ବର ମାସରେ ଏହି ସୂଚୀ ଜାରି ହୋଇଛି। ଏହି ସୂଚୀରେ ୨୭ ଶ୍ରେଣୀରେ ୩୮୪ ଔଷଧକୁ ସାମିଲ କରାଯାଇଛି। ଏହା ଛଡା ସୂଚୀରେ ୩୪ ନୂଆ ଔଷଧକୁ ସଂଯୁକ୍ତ କରାଯାଇଛି। ସେହିପରି ସୂଚୀରୁ ୨୬ଟି ଔଷଧକୁ ବାଦ ମଧ୍ୟ ଦିଆଯାଇଛି।

ଏଥିରେ ଅନେକ କ୍ୟାନସର ନିରୋଧକ ଔଷଧ, ଆଣ୍ଟିବୋୟାଟିକ୍ସ, ଭେକ୍ସିନ, ସିଗାରେଟ ଅଭ୍ୟାସ ଛଡାଇବା ଲାଗି ନିକୋଟିନ ରିପ୍ଲେସ୍‌ମେଣ୍ଟଥେରାପି ସମେତ ଅନେକ ଜରୁରି ଔଷଧକୁ ଏହି ସୂଚୀରେ ସାମିଲ କରାଯାଇଛି। ସେହିପରି ସଂକ୍ରମଣ ରୋକିବା ଲାଗି ୧୮ ଔଷଧକୁ ମଧ୍ୟ ଏହି ସୂଚୀରେ ସାମିଲ କରାଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.