UPSC ସଦସ୍ୟ ହେଲେ ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୂଦନ

Published By : Prameya-News7 Bureau | November 29, 2022 IST

ନୂଆଦିଲ୍ଲୀ ୨୯।୧୧: ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୂଦନ ସଂଘ ଲୋକସେବା ଆୟୋଗ (ୟୁପିଏସସି) ସଦସ୍ୟ ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ବିଦେଶ ସେବା (ଆଇଏଫଏସ୍) ଓ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀଙ୍କ ଚୟନ ଲାଗି ୟୁପିଏସସି ପରୀକ୍ଷା ଆୟୋଜନ କରିଥାନ୍ତି।

ଏ ନେଇ ଜାରି ବୟାନରେ କୁହାଯାଇଛି ଯେ ଆନ୍ଧ୍ରପ୍ରଦେଶ କ୍ୟାଡରର ୧୯୮୩ ବ୍ୟାଚ୍‌ ଆଇଏଏସ୍ ( ଅବସରପ୍ରାପ୍ତ) ଅଧିକାରୀ ସୂଦନଙ୍କୁ ମଙ୍ଗଳବାର ୟୁପିଏସସି ଅଧ୍ୟକ୍ଷ ଡା. ମନୋଜ ସୋନି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସୂଦନ ୨୦୨୦ ମସିହାରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଅବସ୍ଥାପିତ ଥିବା କାଳରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ। କେବଳ ସ୍ୱାସ୍ଥ୍ୟ ନୁହେଁ ସେ ପୂର୍ବରୁ ସେ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସଚିବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଏବଂ ପ୍ରତିରକ୍ଷା ମନ୍ତ୍ରାଳୟରେ ମଧ୍ୟ କାର୍ଯ୍ୟ କରିଛନ୍ତି।

{"id":715176,"sizeSlug":"full","linkDestination":"none"}

ସେ ତାଙ୍କ କ୍ୟାଡର ରାଜ୍ୟ ଆନ୍ଧ୍ରପ୍ରଦେଶରେ ଅର୍ଥ ଓ ଯୋଜନା, ବିପର୍ଯ୍ୟୟ ପିରଚାଳନା, ପର୍ଯ୍ୟଟନ ଓ କୃଷି ବିଭାଗ ଦାୟିତ୍ୱ ଦକ୍ଷତାର ସର ନିର୍ବାହ କରିଥିଲେ। ବୟାନରେ କୁହାଯାଇଛି ଯେ ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରେ ଦେଶର ଦୁଇ ମୁଖ୍ୟ କାର୍ଯ୍ୟକ୍ରମ ‘ବେଟି ବଚାଓ  ବେଟି ପଢାଓ’ ଏବଂ  ‘ଆୟୁଷ୍ମାନ ଭାରତ ଯୋଜନା’ ଆରମ୍ଭ କରାଯାଇ ପାରିଛି। ଏହା ଛଡା ସେ ସ୍ୱାସ୍ଥ୍ୟ ସଚିବ ଥିବା କାଳରେ ଜାତୀୟ ଆୟୁର୍ବିଜ୍ଞାନ ଆୟୋଗ, ଆଲାଏଡ ହେଲଥ ପ୍ରଫେସନାଲ କମିଶନ ଗଠନ ହୋଇଥିଲା। ଏହା ଛଡା ଇ-ସିଗାରେଟ ଉପରେ ନିଷିଦ୍ଧାଦେଶ ଜାରି ହୋଇଥିଲା।

ଅତୀତରେ ସୂଦନ ବିଶ୍ୱବ୍ୟାଙ୍କ ପରାମର୍ଶଦାତ୍ରୀ ମଧ୍ୟ ଥିଲେ। ୟୁପିଏସସିର ଅଧ୍ୟକ୍ଷ ନେତୃତ୍ୱ ନେଇଥାନ୍ତି ଓ ତାଙ୍କ ଅଧୀନରେ ସର୍ବାଧିକ ୧୦ ଜଣ ସଦସ୍ୟ କାର୍ଯ୍ୟ କରିଥାନ୍ତି। ସୂଦନଙ୍କ ନିଯୁକ୍ତି ପରେ ମଧ୍ୟ ଆୟୋଗରେ ଆହୁରି ୪ଟି ସଦସ୍ୟ ପଦ ଖାଲି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.